• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Namita Biswal

ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମୋଦକ ଚୋରି ଘଟଣାକୁ ନେଇ ବଢୁଛି ହଇଚଇ । ଗୋଟିଏ ପଟେ ଆଇନ ମନ୍ତ୍ରୀ ଚୋରି ଅଭିଯୋଗକୁ ଖଣ୍ଡନ କରୁଛନ୍ତି, କିନ୍ତୁ ଏପଟେ ମୋଦକ ଚୋରି ହେବା ସତ ବୋଲି କହିଛନ୍ତି ଖୋଦ୍‌ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର । ୭୦ଟି ମୋଦକ କମିବା ସତ କଥା, କିଏ ନେଇଥିବେ ନିଶ୍ଚିତ । ରାଜ୍ୟ ସରକାର ସିସିଟିଭି ଦେଖି ଏହାର ତଦନ୍ତ କରନ୍ତୁ ବୋଲି କହିଛନ୍ତି ଜଗୁନି ।

ଏଥିସହ ଶ୍ରୀକ୍ଷେତ୍ରରୁ ମୋଦକ ଚୋରେଇ ନେଇ ଦୀଘା ମନ୍ଦିରରେ ବ୍ୟବହାର କରାଯାଇଥିବା ଚର୍ଚ୍ଚାକୁ ଜଗୁନି ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ମୋଦକ ଚୋରି ହୋଇଛି, ଏହା ସତ । ଜଗନ୍ନାଥଙ୍କୁ ଲାଗି ପରେ ମୋଦକ ବଣ୍ଟା ହେବା ସମୟରେ ମୁଁ ଉପସ୍ଥିତି ଥିଲି । ୭୦ ମୋଦକ କମ୍ ଥିଲା । କିନ୍ତୁ ଏହାକୁ ଦୀଘା ପଠାଯାଇଥିବା କଥା ମିଛ । ସରକାର ଏହି ଛୋଟମୋଟ କଥାରେ ନ ମାତି ଶୃଙ୍ଖଳିତ ରଥଯାତ୍ରା ଅନୁଷ୍ଠିତ କରିବା ଦିଗରେ ଚିନ୍ତା କରନ୍ତୁ ବୋଲି ଜଗୁନି କହିଛନ୍ତି ।

 

ଅଧିକ ପଢନ୍ତୁ: ଚୋରି ହୋଇନି ମୋଦକ, ସ୍ପଷ୍ଟ କଲେ ଆଇନ ମନ୍ତ୍ରୀ

ଉଲ୍ଲେଖଯୋଗ୍ୟ, ଶ୍ରୀଜୀଉଙ୍କ ଲାଗି ଉଦ୍ଦେଶ୍ୟରେ ଆସିଥିବା ମୋଦକ ଚୋରିଥିବା ନେଇ ପ୍ରଭୁ ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ର ଅଭିଯୋଗ କରିଥିଲେ । ରାଜବୈଦ୍ୟ ୩୧୩ଟି ଅମୁଣିଆ ମୋଦକ ବଡ଼ ଠାକୁରଙ୍କ ପାଇଁ ପ୍ରସ୍ତୁତ କରିଥିଲେ । ଏହାକୁ କମାଣ୍ଡରଙ୍କ ସୁରକ୍ଷାରେ ଶ୍ରୀମନ୍ଦିରକୁ ଅଣାଯାଇ ଗାରଦ ଘରେ ରଖାଯାଇଥିଲା । ହେଲେ ଲାଗି ହେବା ପୂର୍ବରୁ ଏଥିରୁ ୭୦ଟି ମୋଦକ କମ୍ ଥିଲା । ଯେହେତୁ ମୋଦକ ଚୋରି ହୋଇଥିଲା ତେଣୁ ବାକି ଥିବା ମୋଦକ ମାରା ହୋଇଯାଇଥିଲା ଏବଂ ଏହି ମାରା ମୋଦକ ଶ୍ରୀବିଗ୍ରହଙ୍କ ପାଖରେ ଲାଗି ହୋଇଥିଲା ବୋଲି ଅଭିଯୋଗ କରିଥିଲେ ବାଡ଼ଗ୍ରାହୀ । 

ଏହି ମୋଦକ ଚୋରି ଅଭିଯୋଗରେ ଆଜି ଆଇନ ମନ୍ତ୍ରୀ ପୃଥ୍ବୀରାଜ କହିଥିଲେ, କିଛି ସେବାୟତ ବାହାଦୂରୀ ନେବା ପାଇଁ ଏଭଳି ବିଭ୍ରାନ୍ତିକର ଖବର ସୃଷ୍ଟି କରିଛନ୍ତି । ମୋଦକ ଚୋରି ହୋଇ ନଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସ୍ପଷ୍ଟ କରିସାରିଛନ୍ତି । ମୋଦକ କେବେ ବି ଗଣାଯାଏ ନାହିଁ । ଯିଏବି ବାହାଦୂରୀ ନେବା ପାଇଁ ଏଭଳି କରିଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ।