Advertisment

IPS ଆଶିଷ ସିଂଙ୍କ ପକ୍ଷ ଛେଦିଲା ବିଜେପି ସରକାର

ନବୀନ ସରକାରରେ ଶକ୍ତିଶାଳୀ ଅଫିସର ଥିଲେ ଆଶିଷ ସିଂ । IG ସିଏମ୍ ସିକ୍ୟୁରିଟିରୁ ଗୃହ ବିଭାଗର OSD ଭାବେ ବଦଳି ।

author-image
Satyendu Shekher Mishra
Ashish Singh

Ashish Singh

ହଟୁଛନ୍ତି ପୂର୍ବ ବିଜେଡି ସରକାର କୋଟେରୀ ଗ୍ରୁପର ଜଣଙ୍କ ପରେ ଜଣେ ଅଫିସର। ଏକଦା ନବୀନ ସରକାରର ଶକ୍ତିଶାଳୀ ଅଫିସର ଆଇପିଏସ୍ ଆଶିଷ ସିଂଙ୍କ ଆଜି ପକ୍ଷ ଛେଦିଛି ବିଜେପି ସରକାର। ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଆଇଜି ଆଶିଷ ସିଂଙ୍କୁ ଗୃହ ବିଭାଗ OSD ଭାବେ ବଦଳି କରାଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 

Advertisment

ନିର୍ବାଚନ ବେଳେ କାର୍ଯ୍ୟରୁ ଅନ୍ତର ସହ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଯାଂଚ ପାଇଁ ନିର୍ଦ୍ଦେଶ ଦେଇଥିଲେ ECI। ପରେ ଭୁବନେଶ୍ୱର ଏମ୍ସରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇଥିଲା। ଏମସର ସ୍ପେଶାଲ ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଆଶିଷ ସିଂଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଥିବା ସୂଚନା ଦେଇଥିଲେ ଇସିଆଇ। ଆଶିଷ ସିଂ ନିର୍ବାଚନ ବେଳେ ଶାସକ ଦଳ ପ୍ରତି ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଫେରାଦ ହୋଇଥିଲା କେନ୍ଦ୍ର ବିଜେପି।

ପୂର୍ବରୁ ମଧ୍ୟ ଆଶିଷଙ୍କ ବିରୋଧରେ ଆସିଥିଲା ଅଭିଯୋଗ। ଗତ ଏପ୍ରିଲ ୫ ତାରିଖରେ ଇସିଆଇଙ୍କ ନିର୍ଦ୍ଦେଶ କ୍ରମେ ଆଶିଷ ସିଂଙ୍କୁ ସେଣ୍ଟ୍ରାଲ ରେଞ୍ଜ IG ପଦରୁ ହଟାଯାଇଥିଲା। ପରେ ତାଙ୍କୁ ଆଇଜି- ସିଏମ ସିକ୍ୟୁରିଟି ପଦବୀରେ ଅବସ୍ଥାପିତ କରାଯାଇଥିଲା । ହେଲେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥାଇ ବି ଶାସକ ଦଳ ପାଇଁ ସେ କାମ କରୁଥିବା ଏବଂ ନିର୍ବାଚନ ବେଳେ ବିଜେଡି ନିର୍ବାଚନ ପ୍ରଚାର ପାଇଁ ରଣନୀତି ତିଆରି କରୁଥିବା ଅଭିଯୋଗ ହୋଇଥିଲା।

Advertisment

ଅନ୍ୟପଟେ ସେହିଭଳି ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଶାସନ ସଚିବ ଥିବା ଜି ମାଥିଭାଥନନଙ୍କୁ ଦାୟିତ୍ବରୁ ହଟାଇ ତାଙ୍କ ସ୍ଥାନରେ ଜିଏ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବା ସୁରେନ୍ଦ୍ର କୁମାରଙ୍କୁ ଏହି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ସେପଟେ କ୍ରୀଡ଼ା ସଚିବ ପଦରୁ ହଟିଛନ୍ତି ଭିନିଲ କ୍ରିଷ୍ଣା। ତାଙ୍କ ସ୍ଥାନରେ ଭାସ୍କର ଜ୍ୟୋତି ଶର୍ମା ହୋଇଛନ୍ତି କ୍ରୀଡ଼ା ବିଭାଗ ସଚିବ। ସେପଟେ ଭିନିଲ କ୍ରିଷ୍ଣାଙ୍କୁ ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିଶନର ଭାବେ ନିଯୁକ୍ତି ମିଳିଛି। ତେବେ ଆଶିଷ ସିଂଙ୍କ ବଦଳି ବାବଦରେ କିଛି ସୂଚନା ମିଳିନଥିବାରୁ ତାକୁ ନେଇ ଚର୍ଚ୍ଚା ଆଲୋଚନା ଚାଲିଥିଲା। ଏବେ ତାଙ୍କର ବଦଳି ପରେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। 

IPS
Advertisment
Advertisment