Advertisment

ବଡ଼ ଠାକୁର ପଡ଼ିବା ଘଟଣାରେ ଖୁଣ୍ଟିଆ-ପ୍ରତିହାରୀ-ଜେଟିପି-ଦଇତା ସେବକଙ୍କୁ ପଚରାଉଚରା

କାହା ଭୁଲ୍ ରୁ ଚାରମାଳ ଉପରେ ହାମୁଡେଇ ପଡ଼ି ଯାଇଥିଲେ ବଳଭଦ୍ର ? ଘଟଣାର ମାସକ ପରେ ତତ୍ପର ହେଲା ୩ ଜଣିଆ ଇନକ୍ବାରି କମିଟି ।

author-image
Satyendu Shekher Mishra
undefined

Ratha Jatra

କାହା ଭୁଲରୁ ଚାରମାଳ ଉପରେ ହାମୁଡ଼ି ପଡିଲେ ବଡ଼ଠାକୁର ବଲଭଦ୍ର ? ଆଡ଼ପ ପହଣ୍ଡି ଅଘଟଣ ବେଳେ ବାଡ଼ଗ୍ରାହୀ, ଜେଟିପି ଓ ପ୍ରଶାସନିକ ଅଧିକାରୀମାନେ କଣ କରୁଥିଲେ ? ୧୦ ଦିନ ଭିତରେ ଘଟଣାର ତଦନ୍ତ କରି ରିପୋର୍ଟ ମଗାଯାଇଥିଲା ? ହେଲେ କାହିଁକି ସେଥିରେ ଏତେ ବିଳମ୍ବ ? ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସରିବାର ୟା ଭିତରେ ମାସେ ବିତିବାକୁ ବସିଲାଣି, ହେଲେ ଏବେ ବି ବଳଭଦ୍ର ମହାପ୍ରଭୁଙ୍କ ଆଡ଼ପ ପହଣ୍ଡି ସମୟର ଅଭାବନୀୟ ଘଟଣାକୁ ନେଇ ମାଳ ମାଳ ଅସମାହିତ ପ୍ରଶ୍ନ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଛି।

Advertisment

ଏଣେ ଏତେଦିନ ପରେ ହଠାତ୍ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି ତିନି ଜଣିଆ ଇନକ୍ୱାରି କମିଟି। ଯେଉଁଥିରେ ଅଛନ୍ତି ପୁରୀ ଏଡିଏମ୍, ସିଟି ଡିଏସପି ଓ ଶ୍ରୀମନ୍ଦିର ନୀତି ପ୍ରଶାସକ। ସେଦିନର ଭିଡିଓ ଦେଖାଇ କମିଟି ମେମ୍ବର ଖୁଣ୍ଟିଆ ସେବକ, ପ୍ରତିହାରୀ ସେବକ, ଜେଟିପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମତେ ବରିଷ୍ଠ ଦଇତାପତି ସେବକଙ୍କୁ ବି ପଚରା ଉଚରା କରିଛି। 

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିଜେ ଭର୍ଚୁଆଲରେ ରହି ତଦନ୍ତ ତଦାରଖ କରିଛନ୍ତି। ତେବେ ଘଟଣା ଦିନର ପ୍ରତିଟି ଦିଗକୁ ନେଇ ତଦନ୍ତ କରାଗଲେ କାହା ଭୁଲ୍ ରୁ ଏତେବଡ଼ ତ୍ରୁଟି ଘଟିଲା ଓ ଜଗନ୍ନାଥ ପ୍ରେମୀଙ୍କ ମନକୁ ଆଘାତ ଦେଲା, ସେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିବ ବୋଲି କହିଛନ୍ତି ସେବାୟତ ।

Advertisment

ଜୁଲାଇ ୯ ତାରିଖରେ ତାଳଧ୍ୱଜ ରଥରେ ଘଟିଥିଲା ଏହି ବଡ଼ ଅଘଟଣ। ପହଣ୍ଡି ଦାୟିତ୍ୱରେ ଥିବା ସେବକମାନଙ୍କ ଚରମ ଅବହେଳାରୁ ଚାରମାଳ ଉପରେ ହାମୁଡ଼େଇ ପଡ଼ିଥିଲେ ବଡ଼ଠାକୁର। ସେତେବେଳେ କେବଳ ଦଇତାପତି, ସୁଆର ମହାସୁଆର, ପୂଜାପଣ୍ଡା ଓ ପୁଷ୍ପାଳକଙ୍କୁ ମିଶାଇ ବଳଭଦ୍ରଙ୍କ ରଥରେ ୪୦ଜଣ ରହିବାର ନିୟମ କହିଛି। କିନ୍ତୁ ସେଦିନ ସେବା ନଥିବା ଅନଧିକୃତ ବ୍ୟକ୍ତିଙ୍କୁ ମିଶାଇ ଶତାଧିକ ସଂଖ୍ୟାରେ ଲୋକ ରଥ ଉପରେ ଚଢ଼ିଥିଲେ। ସେବକ ପହଣ୍ଡିକୁ ଗୁରୁତ୍ୱ ଦେବା ବଦଳରେ ଫଟୋ ପୋଜରେ ମାତିଥିଲେ। ଯାହାକୁ ନେଇ ଘଟଣା ପରେ ଖୋଦ୍ ବଳଭଦ୍ର ଓ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ବି କଡ଼ା ପ୍ରତିକ୍ରିୟା ରଖିଥିଲେ।

ଏପରିକି ହଡପନାୟକ ସେଦିନ ଠାକୁରଙ୍କୁ ବିଡିଆ ଦେବାରେ ବିଳମ୍ବ କରିବାରୁ ପହଣ୍ଡି ବିଳମ୍ବ ହୋଇଥିବା ଅଭିଯୋଗ ଆସିଥିଲା। ଏ ଅଘଟଣ ଜୁଲାଇ ୯ରେ ଘଟିଲା, ଜୁଲାଇ ୧୯ରେ ନୀଳାଦ୍ରି ବିଜେ ସରିଲା। ନୀଳାଦ୍ରି ବିଜେର ୧୦ଦିନ ଭିତରେ ଅର୍ଥାତ୍ ଜୁଲାଇ ୨୯ ତାରିଖ ସୁଦ୍ଧା ତିନି ଜଣିଆ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ସେତେବେଳର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଥିଲେ।

ରିପୋର୍ଟ ଆଧାରରେ ଆକ୍ସନ ହେବା କଥା। ହେଲା ୟା ଭିତରେ ୨୫ଦିନ ବିତିଗଲା ସିନା କାର୍ଯ୍ୟାନୁଷ୍ଠାନ ଶୂନ୍। ତେଣେ ଗତ ୧ ତାରିଖରେ ତିନିଜଣିଆ ଟିମଙ୍କୁ ତାଗିଦ୍ କରାଯାଇଛି ୧୫ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦିଅ। ଏହି କ୍ରମରେ ଆକ୍ଟିଭ୍ ମୋଡ୍ କୁ ଆସିଯାଇଛି ଇନକ୍ୱାରି କମିଟି । ତଦନ୍ତ ଆରମ୍ଭ ହୋଇଛି, ଆସନ୍ତା ୧୫ ତାରିଖ ସୁଦ୍ଧା ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ।

ଏବେ ଦେଖିବାର କଥା ଚାରମାଳ ଉପରେ ବଡ଼ଠାକୁର ପଡ଼ିଯିବା ଘଟଣାରେ, ତଦନ୍ତ କମିଟି କାହାକୁ ଦାୟୀ କରୁଛନ୍ତି ?

Srimandir Lord Jagannath Puri Temple Ratha Jatra
Advertisment
Advertisment