Victim of chit fund scams: ମୁଖ୍ୟମନ୍ତ୍ରୀ ବି ଚିଟ୍‌ଫଣ୍ଡ ଠକେଇର ଶିକାର; ତାଜା ହେଲା ପ୍ରସଙ୍ଗ , କେବେ ଫେରିବ ଟଙ୍କା

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍‌ଫଣ୍ଡ କାହାଣୀ ଫେରିବା ପରେ ରାଜ୍ୟରେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟ୍‌ଫଣ୍ଡ । କାହିଁକି ନା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରସ୍ତ ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି ।

Victim of chit fund scams

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବି ହୋଇଛନ୍ତି ଚିଟଫଣ୍ଡ୍ ଠକେଇର ଶିକାର । ଏମିତି କି କଂଜ୍ୟୁମର କୋର୍ଟରେ ଅପିଲ୍ ପରେ ବି ମିଳିନଥିଲା ପଇସା । ଜାତୀୟ ଉପଭୋକ୍ତା ଦିବସ ଅବସରରେ କିଛି ଏମିତି କହି ଠକେଇରୁ ବଞ୍ଚିବାକୁ ସଚେତନ କରିଛନ୍ତି ମୋହନ । କିନ୍ତୁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍‌ଫଣ୍ଡ ଠକେଇ କାହାଣୀ ଆସିବା ପରେ ପୁଣି ଚର୍ଚ୍ଚାକୁ ଫେରିଛି ଚିଟ୍‌ଫଣ୍ଡ ପ୍ରସଙ୍ଗ । କାହିଁକି ନା ସରକାରକୁ ଆସିଲେ ୧୮ ମାସ ଭିତରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲା ବିଜେପି ।

ପୁଣି ପ୍ରସଙ୍ଗକୁ ଫେରିଲା ଚିଟଫଣ୍ଡ । ମୁଖ୍ୟମନ୍ତ୍ରୀ ନିଜେ ଠକେଇ ଶିକାର ହୋଇଥିବା କହିବା ପରେ ତେଜିଲା ଚିଟ୍‌ଫଣ୍ଡ ତାତି । ଆଜି ଜାତୀୟ ଉପଭୋକ୍ତା ଦିବସରେ ଠକେଇର ଉଦାହରଣ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ବି ଚିଟଫଣ୍ଡ ଠକେଇର ଶିକାର ହୋଇଥିଲି । ଏକ ସରକାରୀ ଏବଂ ବେସରକାରୀ ସଂସ୍ଥା ଠକେଇ କରିଥିଲେ । ୧୯୯୦ ଏବଂ ୨୦୦୨ ରେ ଦୁଇ ଦୁଇ ଥର ଠକେଇର ଶିକାର ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ପଇସା ଯୋଗାଡ଼ କରି ଦେଲି, ହେଲେ ପରେ ଦେଖିଲା ବେଳେକୁ ସଂସ୍ଥା ଉଭାନ । ୧୯୮୬ ଆଇନରେ ଅପିଲ ବି କରିଥିଲି, କିନ୍ତୁ ରାସ୍ତା ଏତେ ଜଟିଳ ଥିଲା ଯେ ପଇସା ମିଳିଲାନି । ସେଥିପାଇଁ ୧୯୮୬ ଆଇନକୁ ୨୦୧୯ ରେ ସଂଶୋଧନ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଦିଗଦର୍ଶନରେ ଏହି ସବୁ ଗଳା ବାଟ ବନ୍ଦ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ଟେଲିକମ୍ ଅପରେଟରଙ୍କୁ ଟ୍ରାଇ ଛାଟ ! ଆଣିବାକୁ ପଡ଼ିବ 'ଶସ୍ତା ରିଚାର୍ଜ'

ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଚିଟ୍‌ଫଣ୍ଡ କାହାଣୀ ଫେରିବା ପରେ ରାଜ୍ୟରେ ପୁଣି ପ୍ରସଙ୍ଗକୁ ଫେରିଛି ଚିଟ୍‌ଫଣ୍ଡ । କାହିଁକି ନା ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତକୁ ଟଙ୍କା ଫେରସ୍ତ ଥିଲା ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି । ୧୮ ମାସ ମଧ୍ୟରେ ଚିଟ୍‌ଫଣ୍ଡ ସ୍କାମରେ ଅଟକି ଥିବା ଟଙ୍କା ଫେରସ୍ତ କରିବୁ ବୋଲି କହିଥିଲା ବିଜେପି ।

ତେଣୁ ଜମାକାରୀଙ୍କୁ ଶୀଘ୍ର ଟଙ୍କା ଫେରାଯାଉ ବୋଲି ଦାବି କରିଛି କ୍ଷତିଗ୍ରସ୍ତ ଜମାକାରୀ ମିଳିତ ମଞ୍ଚ । ସେପଟେ ମନ୍ତ୍ରୀ କହିଛନ୍ତି ସମସ୍ତ ପ୍ରତିଶ୍ରୁତି ପୂରଣ କରିବ ଦଳ । ରାଜ୍ୟରେ ପ୍ରାୟ ୭୦ ଲକ୍ଷ ଚିଟ୍‌ଫଣ୍ଡ ଜମାକାରୀ ରହିଛନ୍ତି । ୨୦୧୩ ମସିହାରେ ଜମାକାରୀଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବାକୁ କମିଶନ ବସାଇଥିଲେ ପୂର୍ବ ସରକାର ।

ଏହା ଭିତରେ ଜଷ୍ଟିସ ଏମଏମ ଦାସଙ୍କ କମିଶନ ୭ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି । ଯେଉଁଥିରେ ୪୫୦ରୁ ଅଧିକ ଚିଟ୍‌ଫଣ୍ଡ ଦ୍ୱାରା ଠକେଇ ହୋଇଥିବା ପାଖାପାଖି ୮ ଲକ୍ଷ ୮୬ ହଜାର ଆବେଦନ କମିଶନଙ୍କ ନିକଟକୁ ଆସିଥିଲା । ସେଥିରୁ ୪ ଲକ୍ଷ ୯୭ ହଜାର କ୍ଷୁଦ୍ର ଜମାକାରୀ ଚିହ୍ନଟ କରିଥିଲେ କମିଶନ ।

ହେଲେ ଏଯାଏଁ ମାତ୍ର ୨ ଲକ୍ଷ ୩୮ ହଜାର କ୍ଷୁଦ୍ର ଜମାକାରୀ ଅର୍ଥାତ ୧୦ ହଜାରରୁ କମ ରଖିଥିବା ଜମାକାରୀଙ୍କୁ ତାଙ୍କ ଟଙ୍କା ଫେରାଇଛନ୍ତି ରାଜ୍ୟ ସରକାର । ଏବେ ନଜର ନୂଆ ସରକାର କେବେ ଚିଟ୍‌ଫଣ୍ଡ ପ୍ରତିଶ୍ରୁତିକୁ ପୂରଣ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଡରାଇଲାଣି ବର୍ଷା, ଆଜିଠାରୁ ଏହି ସବୁ ଜିଲ୍ଲାରେ ବର୍ଷିବ ...