• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେତେ ସୁରକ୍ଷିତ ଉପକୂଳ ଓଡ଼ିଶାର ବିଭିନ୍ନ ପୁରୁଣା ବାତ୍ୟା ଆଶ୍ରୟସ୍ଥଳୀ? ବାତ୍ୟା ପ୍ରକୋପରୁ ବର୍ତ୍ତିବାକୁ ଠିକ୍ ଅଛି ତ ଆଶ୍ରୟସ୍ଥଳୀର ଅବସ୍ଥା? ସମ୍ଭାବ୍ୟ ବାତ୍ୟା ଦାନା ସମୁଦ୍ର ଭିତରେ ବଳ ଗୋଟାଉଥିବା ବେଳେ ଏପଟେ ଦାନାର ଆଗମନ ପୂର୍ବରୁ ଗ୍ରାଉଣ୍ଡକୁ ଯାଇ ସ୍ଥିତି ପରିଖିଛି ଓଟିଭି । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଖଡ଼ିଅଣ୍ଟା ବାତ୍ୟା ଆଶ୍ରୟସ୍ଥଳୀ ।

ଭୂତକୋଠି ପାଲଟିଲାଣି ପ୍ରବେଶ ଦ୍ୱାର । ପ୍ଲାଷ୍ଟର ଛାଡ଼ି ଭୁଶୁଡ଼ିବାକୁ ବସିଲାଣି କାନ୍ଥ ଓ ପିଲାର । ଆଉ ଦ୍ୱିତୀୟ ମହଲାରେ ମାଡ଼ିଗଲାଣି ଗଛଲଟା । ଏମିତି ବିପଦସଙ୍କୁଳ ଅବସ୍ଥାରେ ଏଠାକୁ ଲୋକେ କେମିତି ଆସିବେ, ତାହା ସବୁଠୁ ବଡ଼ ପ୍ରଶ୍ନ । ସେହିପରି ପଟ୍ଟାମୁଣ୍ଡାଇ ବ୍ଲକର ତିଗିରିଆ ବାତ୍ୟା ଆଶ୍ରୟସ୍ଥଳୀ ।

୧୯୯୯ ମହାବାତ୍ୟା ପରେ ନିର୍ମାଣ ହୋଇଥିବା ଏ ବାତ୍ୟା ଆଶ୍ରୟସ୍ଥଳୀର ୟା ଭିତରେ ଉଡ଼ିଗଲାଣି ଛାତ । ରହିଛି କେବଳ ରଙ୍ଗ ବିହୀନ ଖୁଣ୍ଟି ଆଉ ବିପଦପୂର୍ଣ୍ଣ ଛାତ । ପଟ୍ଟାମୁଣ୍ଡାଇ ସିଙ୍ଗାରପୁର ଗାଁରେ ଥିବା ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଆହୁରି ବିପଦଜ୍ଜନକ । ନିର୍ମାଣ ପରଠୁ ଆଦୌ ରକ୍ଷଣାବେକ୍ଷଣ ହୋଇନଥିବା ଏ ଆଶ୍ରୟସ୍ଥଳୀ ପବନରେ ଭୁଶୁଡ଼ି ପଡ଼ିବାର ଆଶଙ୍କା ଥିବାରୁ ଏ ଅଞ୍ଚଳର ଲୋକେ କେଉଁଠି ରହିବେ, ତାକୁ ନେଇ ବଢ଼ିଛି ଚିନ୍ତା ।

ଏପଟେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଲୋକେ ବି ବାତ୍ୟାକୁ ନେଇ ଛାନିଆ ହୋଇଥିବା ବେଳେ ଆରମ୍ଭ ହୋଇଛି ଅସଜଡା ବାତ୍ୟା ଆଶ୍ରୟସ୍ଥଳୀକୁ ସଜାଡ଼ିବା କାମ । କିନ୍ତୁ ଅବ୍ୟବହୃତ ହୋଇ ପଡ଼ିରହିଥିବା ସ୍ଥାନରେ ଅବସ୍ଥା ଏମିତି, ଯେ ତୁରନ୍ତ ଲୋକ ରହିବା, ସମ୍ଭବ ହୋଇନପାରେ । ସେହିଭଳି ଜଗତସିଂପୁର ପାରାଦୀପ ଗଡ଼ ନିମିଢି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ।

ଏଠି ଆଶ୍ରୟସ୍ଥଳୀର ଅବସ୍ଥା ଠିକ୍ ଠାକ୍ ଥିଲେ ବି ଅନେକ ଦିନ ହେବ ବ୍ୟବହାର ହୋଇନଥିବାରୁ ଏବେ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସଫା ସୁତରା କାମ । ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ରହିବା ଉପଯୋଗୀ କରିବାକୁ କାମ ଲାଗିଛନ୍ତି । ତା ସାଙ୍ଗକୁ ଏଠାରେ ମହଜୁଦ ରଖାଯାଇଥିବା ଆବଶ୍ୟକ ସାଜସରଞ୍ଜାମକୁ ବ୍ୟବହାର ଲାଗି ପ୍ରସ୍ତୁତ ରଖାଯାଉଛି ।

ସେପଟେ ବାତ୍ୟା ପୂର୍ବରୁ କେନ୍ଦ୍ରାପଡ଼ା ଭିତରକନିକା ଖମାରିସାହି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟ ଲୋକଙ୍କ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ । ଏଠାରେ ବ୍ଲକ ପ୍ରଶାସନ ପକ୍ଷରୁ ଆଜି ଆଶ୍ରୟସ୍ଥଳ ଯାଞ୍ଚ ପରେ ଏଠି ବିଜୁଳି, ପାଣି, ଶୁଖିଲା ଓ ରନ୍ଧା ଖାଦ୍ୟର ବ୍ୟବସ୍ଥା କରିବାକୁ ଆଗୁଆ ଅଣ୍ଟା ଭିଡ଼ିଛି ପଞ୍ଚାୟତ ପ୍ରଶାସନ ।

OTV is now on Whatsapp

Join and get latest news update delivered to you via whatsapp

Join Now