• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

କୁହାଯାଏ ଗୁରୁଙ୍କ ସ୍ଥାନ ପିତାମାତାଙ୍କଠାରୁ ବି ଉର୍ଦ୍ଧ୍ବରେ । ସେଥିପାଇଁ ତ ଗୁରୁଙ୍କ ଅବଦାନକୁ ସହଜରେ ଭୁଲି ନଥାନ୍ତି ଛାତ୍ରଛାତ୍ରୀମାନେ। ଗତ ୨୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶିକ୍ଷାଦାନ କରିଥିବା ଏଭଳି ଜଣେ ଗୁରୁଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି କେନ୍ଦ୍ରାପଡ଼ା ରାଜକନିକାର କାଏମା ଦୋମଣ୍ଡା ଗ୍ରାମବାସୀ ।

ବାଜା ବାଜାଇ । ତାଳେ ତାଳେ ଜମାଣିଆ ନାଚ ବି । କୌଣସି ବାହା କି ବ୍ରତଘର ହେଉନାହିଁ। ନିଜ ଅତି ପ୍ରିୟ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଏକ ଶୋଭାଯାତ୍ରା ବାହାର କରିଥିଲେ ପୁରାତନ ଛାତ୍ରଛାତ୍ରୀ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ୍ କାଏମା ଦୋମଣ୍ଡା ଗାଁରେ ଥିବା ସରକାରୀ ୟୁପି ସ୍କୁଲରେ ୨୯ ବର୍ଷ ଧରି ଶିକ୍ଷକତା କରିଥିବା ନିଜାମୁଦ୍ଦିନ ଶାହାଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦେବା ଲାଗି ଭବ୍ୟ ଆୟୋଜନ କରିଥିଲେ ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀ ।

ନିଜାମୁଦ୍ଦିନ ସାର୍‌ଙ୍କୁ ଓଳାଭର ବଜାରରୁ ଏକ ସୁସଜ୍ଜିତ ରଥରେ ବସାଇ ୪ କିଲୋମିଟର ଧରି ଶୋଭାଯାତ୍ରାରେ ବୁଲାଇବା ପରେ ଗାଁକୁ ଅଣାଯାଇଥିଲା । ଗାଁ ମୁଣ୍ଡରେ ପହଞ୍ଚିବା ପରେ ସମସ୍ତେ ଫୁଲ ପକାଇ ପାଛୋଟି ନେଇଥିଲେ ଅତି ପ୍ରିୟର ଶିକ୍ଷକଙ୍କୁ । ପରେ ସ୍କୁଲରେ ଆୟୋଜିତ ହୋଇଥିଲା ବିଦାୟକାଳୀନ ସମ୍ବର୍ଦ୍ଧନା ସଭା । 

ନିଜାମ ସାରଙ୍କ ଘର ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳରେ । ସେ ୧୯୯୦ ମସିହାରେ କାଏମା ଦୋମଣ୍ଡା ୟୁପି ସ୍କୁଲରେ ପ୍ରଥମେ ଶିକ୍ଷକତା ଆରମ୍ଭ କରିଥିଲେ । ଯେଉଁ ସମୟରେ ଗମନାଗମନର ସୁବିଧା ନଥିଲା, ଅନ୍ୟ ଶିକ୍ଷକମାନେ ଏଇ ସ୍କୁଲକୁ ଆସିବା ପାଇଁ ଚାହୁଁ ନଥିଲେ ସେତେବେଳ ନିଜାମ ସାର୍ ଗାଁରେ ରହି ପିଲାମାନଙ୍କୁ ପାଠ ପଢ଼ାଉଥିଲେ । ଦୀର୍ଘ ତିନି ଦଶନ୍ଧିର ଶିକ୍ଷାଦାନ ଭିତରେ ଅନେକ ଛାତ୍ରଛାତ୍ରୀ ତାଙ୍କଠାରୁ ପାଠପଢ଼ି ଏବେ ସମାଜରେ ପ୍ରତିଷ୍ଠିତ ହୋଇପାରିଛନ୍ତି । 

ନିଜାମ ସାର୍ କିଛି ବର୍ଷ ତଳେ ଏଠାରୁ ଅନ୍ୟ ଏକ ସ୍କୁଲକୁ ବଦଳି ହୋଇଯାଇଥିଲେ । ତେବେ ସେଠାରୁ ଅବସର ନେବା ପରେ ତାଙ୍କୁ ଭୁଲି ନଥିଲେ କାଏମା ଦୋମଣ୍ଡା ଗ୍ରାମବାସୀ । ଆଉ ତାଙ୍କ ପାଇଁ ଏଭଳି ବିଦାୟକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ କରିଥିଲେ । 

  • Reported by:
  • Banamali Sahoo