Advertisment

Burning Issue: ସରକାରଙ୍କ ପାଇଁ ମୁଣ୍ଡବିନ୍ଧା ପ୍ରସଙ୍ଗ ମହିଳା ସୁରକ୍ଷା, କେତେ ଫରକ୍ ଯୋଜନା ଓ ବାସ୍ତବତାରେ ?

ଯେଉଁଭଳି ଘଟଣା ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ଘଟିଲା, ସେଭଳି ଅସନ୍ତୋଷ ଓ ଅସହାୟତାର କାରଣଗୁଡ଼ିକ ଶକ୍ତିଶ୍ରୀ ଭଳି ସଶକ୍ତିକରଣ କେନ୍ଦ୍ର ସୁଧାରି ପାରିବ କି? ସେହିଭଳି ରାଜ୍ୟର ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏପରି ଅବସ୍ଥାରେ ‘ଶକ୍ତିଶ୍ରୀ’ କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

author-image
Dilip Sabat
ଅଦ୍ୟତନ ହୋଇଛି
shaktishree

shaktishree

ଦିଲ୍ଲୀ ନିର୍ଭୟା ଘଟଣା ଏବଂ ଏହାର ପରବର୍ତ୍ତୀ ସମୟରେ ବିଜେଡି ସରକାର ଓଡିଶାରେ ମହିଳାମାନଙ୍କ ସୁରକ୍ଷା ପାଇଁ ‘ମୋ ସାଥୀ’ ଆପ୍, ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମ, ଗୋଲାପୀ ଅଟୋ ଆଦି ଅନେକ ବ୍ୟବସ୍ଥା କରିଥିଲେ । ଏହା ସତ୍ତ୍ୱେ ଜାତୀୟ ଅପରାଧିକ ତାଲିକାରେ ମହିଳା ଓ ଶିଶୁ ବିରୋଧୀ ଅପରାଧ କ୍ଷେତ୍ରରେ ଓଡିଶାର ସ୍ଥାନ ଉପରମୁହାଁ ରହିଥିଲା । ବର୍ତ୍ତମାନ ମୋହନ ମାଝୀଙ୍କ ସରକାର ରାଜ୍ୟରେ ଯୌନ ନିର୍ଯାତନା, ଦୁଷ୍କର୍ମ, ଗଣଦୁଷ୍କର୍ମ ଆଦି ବ୍ୟାପକ ଅପରାଧିକ ପ୍ରବଣତାକୁ ରୋକିବା ପାଇଁ ‘ଶକ୍ତିଶ୍ରୀ’ ସମେତ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଏହାର କେତେ ଫଳପ୍ରଦ ପ୍ରଭାବ ପଡିବ? ବର୍ତ୍ତମାନର ରାଜନୈତିକ ଆନ୍ଦୋଳନ, ବ୍ୟାପକ ପ୍ରତିବାଦ ଏବଂ ଜନମାନସରେ ଅସନ୍ତୋଷର ବାତାବରଣକୁ ପ୍ରଶମନର ପ୍ରୟାସ କରୁଛନ୍ତି କି ? ସରକାର ଏକ୍ଷେତ୍ରରେ କେତେ ବାସ୍ତବବାଦୀ ?

Advertisment

ଏକଦା ନିଜ କୃତୀ ପାଇଁ ଖ୍ୟାତି ଓ ସୁନାମ ଅର୍ଜନ କରିଥିବା ଓଡିଶା ଆଜି ଜାତୀୟ ଦରବାରରେ ଲଜ୍ଜାର ଚିତ୍ର ଦେଖାଇ ନତମସ୍ତକ ହୋଇଛି । ଖୋଦ ଦେଶର ସର୍ବୋଚ୍ଚ ଅଦାଲତ ଓଡିଶାରେ ଯୌନ ନିର୍ଯାତନା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ନହେବା ପ୍ରତିବାଦରେ ଛାତ୍ରୀଜଣକ ଆତ୍ମାହୂତି ଘଟଣାକୁ ଲଜ୍ଜାଜନକ ବୋଲି କହିଛନ୍ତି । ସୌମ୍ୟାଶ୍ରୀ ଆତ୍ମାହୂତିର ଅବ୍ୟକ୍ତ ବେଦନା ଏବଂ ବଳଙ୍ଗା ବର୍ବରତା ପରେ ଲଜ୍ଜାର ଚିତ୍ର ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି । ଏହି ଦୁଇ ଘଟଣାରେ ୪ ଦିନ ମଧ୍ୟରେ ରାଜ୍ୟରେ ଲଜ୍ଜାର ଧାରାବାହିକ ଖବର ଆମ ସଭିଙ୍କୁ ବ୍ୟଥିତ ଓ ମର୍ମାହତ କରେ ।

ପ୍ରମୁଖ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିଥିବା ଓଡିଶାରେ ମହିଳା ଓ ନାବାଳିକା ବିରୋଧୀ ଅପରାଧିକ ଘଟଣାରେ ରହିଛି । ଜଗତସିଂପୁରରେ ଘରକୁ ଫେରୁଥିବାବେଳେ ଛାତ୍ରୀଙ୍କୁ ରାସ୍ତାରୁ ଟେକିନେଇ ଦୁଇ ଯୁବକ ଗଣଦୁଷ୍କର୍ମ କରିବା ଘଟଣା ପୁଣି ଅସ୍ତବ୍ୟସ୍ତ କରିଦେଇଛି । ପୀଡିତା ଛାତ୍ରୀ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଛନ୍ତି । ପୁରୀରେ ୩ ଭଉଣୀ ମନ୍ଦିର ଦର୍ଶନ ସାରି ଘରକୁ ଫେରିବା ବାଟରେ ୬ ଜଣ ମଦ୍ୟପ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

Advertisment

ସେପଟେ ମାଲକାନଗିରିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ଗିରଫ ହୋଇଛନ୍ତି । ଜଳେଶ୍ୱରରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଘଟଣାରେ ଦୁଇ ଶିକ୍ଷକ ଗିରଫ ହୋଇଛନ୍ତି । ଯାଜପୁରରେ ଜଣେ ନାବାଳିକା କ୍ରୀଡାବିତଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରଶିକ୍ଷକ ଗିରଫ ହୋଇଛନ୍ତି । ଜଗତସିଂପୁରରେ କଲେଜ ଛାତ୍ରୀଙ୍କୁ ଅଧ୍ୟାପକଙ୍କ ଅସଦାଚରଣ, କଟକ ଗୁରୁଡିଝାଟିଆରେ ଅଧ୍ୟାପିକାଙ୍କୁ ଯୌନଶୋଷଣ ଅଭିଯୋଗ ଓ ଅଧ୍ୟକ୍ଷଙ୍କ ଆତ୍ମାହୂତି ଧମକ ବି ଚର୍ଚ୍ଚାରେ ରହିଛି ।

ଜନମାନସରେ ଏଭଳି ଭୟଙ୍କର ଅପରାଧିକ ବାତାବରଣ ମହିଳା ଓ କନ୍ୟାରତ୍ନଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ମୋହନ ମାଝୀଙ୍କ ସରକାର ତତ୍ପରତା ପ୍ରକାଶ କରି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ସମସ୍ତ ୧୬ଟି ବିଶ୍ୱବିଦ୍ୟାଳୟ, ୭୩୦ଟି ସରକାରୀ ଓ ଅନୁଦାନ ପ୍ରାପ୍ତ ମହାବିଦ୍ୟାଳୟର ଛାତ୍ରୀମାନଙ୍କ ସୁରକ୍ଷା ନିମନ୍ତେ ‘ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର’ ଖୋଲିବାକୁ ଘୋଷଣା କରିଛନ୍ତି । ଏହାର ପରିଚାଳନା ପାଇଁ ଜଣେ ଛାତ୍ରୀ ‘ଶକ୍ତିଶ୍ରୀ ସାଥୀ’ ଏବଂ ଜଣେ ଅଧ୍ୟାପିକା ‘ଶକ୍ତିଶ୍ରୀ ସଂଯୋଜିକା’ ଭାବରେ ନିଯୁକ୍ତ ହେବେ ।

ଏହି ଶକ୍ତିକେନ୍ଦ୍ରକୁ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ୫ ଜଣିଆ କାର୍ଯ୍ୟରତ ମହିଳା ‘ଶକ୍ତି ଅପା’ ଭାବରେ ମନୋନୀତ ହେବେ । ଛାତ୍ରୀ କୌଣସି ଅସୁବିଧାର ବା ଅସଦାଚାରଣ ଅଭିଯୋଗ ପଞ୍ଜିକରଣ ପାଇଁ ‘ଶକ୍ତିଶ୍ରୀ ମୋବାଇଲ୍ ଆପ୍’ ପ୍ରଚଳନ କରାଯିବ । କଲେଜ ଅଧ୍ୟାପକ ଓ ଅଣଶିକ୍ଷକଙ୍କ ପାଇଁ ସ୍ୱତନ୍ତ୍ର କୋର୍ଡ ଅଫ୍ କଣ୍ଡକ୍ଟ ରହିବ । ଦୁଇଥର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଓ ମହିଳା ସୁରକ୍ଷା ଅଧିକାର ସଚେତନତା କାର୍ଯ୍ୟକ୍ରମ ହେବ । ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ୩୧ ଡିସେମ୍ବର ସୁଦ୍ଧା ବାର୍ଷିକ କ୍ୟାମ୍ପସ୍ ସୁରକ୍ଷା ରିପୋର୍ଟ ପ୍ରଦାନ କରିବେ । ସବୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ସିସିଟିଭି କ୍ୟାମେରା ଲାଗିବ । ସେହିଭଳି ସମସ୍ତ ସ୍କୁଲରେ ସିସିଟିଭି ବାଧ୍ୟତାମୂଳକ କରାଯିବା ସହିତ ରାଗିଂ ଓ ନିର୍ଯାତନା କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଭଳି ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ।

ତେବେ କଥା ହେଉଛି ଯେଉଁଭଳି ଘଟଣା ସୌମ୍ୟାଶ୍ରୀଙ୍କ କ୍ଷେତ୍ରରେ ଘଟିଲା, ସେଭଳି ଅସନ୍ତୋଷ ଓ ଅସହାୟତାର କାରଣଗୁଡ଼ିକ ଶକ୍ତିଶ୍ରୀ ଭଳି ସଶକ୍ତିକରଣ କେନ୍ଦ୍ର ସୁଧାରି ପାରିବ କି? ସେହିଭଳି ରାଜ୍ୟର ଅଧିକାଂଶ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଏପରି ଅବସ୍ଥାରେ ‘ଶକ୍ତିଶ୍ରୀ’ କେତେ ସଫଳ ହେବ ତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ମିଡିଆ ରିପୋର୍ଟ ଅନୁସାରେ ଜୁଲାଇ ୧୦ ତାରିଖ ସକାଳ ସାଢେ ୯ଟାରେ ଜଣେ ଛାତ୍ରୀ ସ୍କୁଲକୁ ଗଲାବେଳେ ଏକ କଳା ରଙ୍ଗର ପଲସରେ ଦୁଇ ଜଣ ଯୁବକ ଆସି ତାଙ୍କୁ ପାର୍କକୁ ଉଠାଇ ନେଲେ । ଦୁର୍ବୃତ୍ତମାନେ ପାଣି କାଦୁଅରେ ଛାତ୍ରୀଙ୍କୁ କଚାଡି ଆକ୍ରମଣ କଲେ । କୌଣସିମତେ ଛାତ୍ରୀ ଜଣକ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ଘରେ ମାଆଙ୍କୁ ଜଣାଇଥିଲେ । ବାପା ପ୍ରବାସୀ ଶ୍ରମିକ ହୋଇଥିବାରୁ ମାଆ ଏବଂ ଝିଅ ନିଜ ସମ୍ପର୍କୀୟଙ୍କ ସହିତ ଅସ୍ତରଙ୍ଗ ଥାନାର ଦ୍ୱାରସ୍ଥ ହେଲେ । ତେବେ ବିଡମ୍ବନାର ବିଷୟ ହେଉଛି ପୋଲିସ ଏଫ୍ଆଇଆର ଗ୍ରହଣ କଲା ନାହିଁ ବୋଲି ଅଭିଯୋଗ ହେଉଛି ।

ଛାତ୍ରୀ ଜଣକ ଭୟରେ ଘରୁ ବାହାରିଲେ ନାହିଁ । ଆତଙ୍କିତ ଅବସ୍ଥାରେ ପରିବାର ଲୋକେ ପ୍ରତିଦିନ ପୋଲିସ ପାଖକୁ ଦୌଡିଲେ । ଥାନା ସମ୍ମୁଖରେ ଧାରଣାରେ ବସିଲେ । ଘଟଣାକୁ ଅତି ହାଲୁକା ଭାବେ ନେଇଥିବା ପୋଲିସର କହିବା କଥା “କେସ୍ ଷ୍ଟ୍ରଙ୍ଗ ନୁହେଁ” । ଏଥିରୁ ଜଣାପଡୁଛି ରାଜ୍ୟରେ ଘଟୁଥିବା ମହିଳା ଅପରାଧ ପ୍ରବଣତାକୁ ପୋଲିସ କେତେ ଗୁରୁତ୍ୱ ଦେଉଛି । ପୋଲିସର ଏଭଳି ଖାମଖିଆଲ ନୀତି ପାଇଁ ଆଗାମୀ ଦିନରେ ଯଦି କୌଣସି ଅଘଟଣ ଘଟେ ତାହେଲେ ସେଥିପାଇଁ କିଏ ଦାୟୀ ରହିବେ?

ସରକାର କେବଳ ଯୋଜନା ଓ ବ୍ୟବସ୍ଥା କରିଦେଲେ ହେବ ନାହିଁ ଏହାର କାର୍ଯ୍ୟକାରିତା ଏବଂ ଅପରାଧ ବିରୋଧରେ ପୋଲିସର ମାନସିକତାରେ ମଧ୍ୟ ପରିବର୍ତ୍ତନ ଆସିବା ଆବଶ୍ୟକ । ଏହି କାରଣ ପାଇଁ ପୂର୍ବ ସରକାରରେ ସବୁ ଯୋଜନା, ପଦକ୍ଷେପ ଓ ନୀତି ନିଷ୍ପତ୍ତି ସତ୍ତ୍ୱେ ମହିଳା ବିରୋଧୀ ଅପରାଧ ଦେଶରେ ଶୀର୍ଷରେ ଥିଲା l

୨୦୧୩ ମସିହାରେ ନିର୍ଭୟା ଗଣଦୁଷ୍କର୍ମ ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଥିଲା । ଏହି ଘଟଣାକୁ ଦୃଷ୍ଟିରେ ରଖି ତତ୍କାଳୀନ ସରକାର ଓଡିଶାରେ ମହିଳାଙ୍କ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିଲେ । ୨୦୧୫ରେ ମହିଳାମାନଙ୍କ ସୁରକ୍ଷା ପାଇଁ ଏକ ମୋବାଇଲ ଫୋନ ଆଧାରିତ ଆପ୍ଲିକେସନ ‘ମୋ ସାଥୀ’ ଆପ ଲଞ୍ଚ୍ କରାଯାଇଥିଲା । ଏହା ଓଡ଼ିଶାରେ ପ୍ରଥମ ଥର ପାଇଁ ମହିଳା-ଅନୁକୂଳ ପଦକ୍ଷେପ ବୋଲି କୁହାଯାଏ । ଜରୁରୀକାଳୀନ ପରିସ୍ଥିତିରେ ୫ ଥର ମୋବାଇଲ ବଟନ କ୍ଲିକ କଲେ ୩୦ ସେକେଣ୍ଡରେ ଘଟଣାସ୍ଥଳର ଭିଡିଓ ଓ ଅଡିଓ ରେକର୍ଡ ପୋଲିସ କଂଟ୍ରୋଲରୁମ ଓ ସେମାନଙ୍କ ପରିବାରଲୋକଙ୍କ ପାଖକୁ ଅଟୋମେଟିକ ଚାଲିଯିବ । ତେବେ ପାଖାପାଖି ମାତ୍ର ୭,୦୦୦ରୁ ଅଧିକ ମୋବାଇଲ ଏହି ଆପ୍ ଡାଉନଲୋଡ କରିଥିଲେ । ପରେ ଏହି ଆପ ‘ସହାୟତା' ଆପ ସହିତ ମିଶ୍ରଣ କରାଯାଇଥିଲା ।

ସେହିଭଳି ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ରାଜଧାନୀରେ ମହିଳା ଯାତ୍ରୀମାନଙ୍କ ପାଇଁ ପିଙ୍କ ଅଟୋ ସେବା ଆରମ୍ଭ କରିଥିଲେ । ଏଥିପାଇଁ ପ୍ରାୟ ୩୦୦ ଅଟୋ ଚାଳକ ପଞ୍ଜୀକରଣ କରିଥିଲେ । ଏହି ସେବାର ମୁଖ୍ୟ ଲକ୍ଷ୍ୟ ଥିଲା ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା । ତେବେ ୨୦୧୮ରୁ ଏହି ଅଟୋଗୁଡ଼ିକୁ ଭୁବନେଶ୍ୱର ରାସ୍ତାରେ ଆଉ ଦେଖିବାକୁ ମିଳିଲା ନାହିଁ । ସେହିଭଳି ୨୦୧୩ ମସିହାରେ ଓଡ଼ିଶା ସରକାର ୨.୫ ଲକ୍ଷ କଲେଜ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳ ପ୍ରଦାନ କରିବାକୁ ନିଷ୍ପତ୍ତି ନେଲେ ।

ବର୍ଷକ ପରେ କମିଶନରେଟ ପୋଲିସ ସ୍କୁଲ ଏବଂ କଲେଜ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଆତ୍ମରକ୍ଷା କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ମହିଳା ବିରୋଧୀ ଅପରାଧ ପାଇଁ ପ୍ରତିରୋଧକ ପଦକ୍ଷେପ ବିଷୟରେ ନାଗରିକମାନଙ୍କୁ ଶିକ୍ଷା ଦେବା ପାଇଁ ପୋଲିସ କ୍ଷୁଦ୍ର ଚଳଚ୍ଚିତ୍ର ଆରମ୍ଭ କରିଥିଲା । ଏ ସବୁ ଉଦ୍ୟମର ବ୍ୟର୍ଥତା ପ୍ରକାଶ କଲା ୨୦୧୭ ଜାତୀୟ ଅପରାଧିକ ରିପୋର୍ଟ । ଆସାମ ପରେ ଓଡିଶା ମହିଳାମାନଙ୍କ ବିରୁଦ୍ଧରେ ଦ୍ୱିତୀୟ ସର୍ବାଧିକ ଅପରାଧ ଘଟିଥିବା ରାଜ୍ୟ ବୋଲି ଏନ୍ସିଆରବି ରିପୋର୍ଟରେ ପ୍ରକାଶ ପାଇଲା ।

ତେଣୁ ପୂର୍ବ ସରକାରଙ୍କ ସମସ୍ତ ଘଟଣାକୁ ସମୀକ୍ଷା ଓ ନିରୀକ୍ଷା କରି ବର୍ତ୍ତମାନ ସରକାର ଏଭଳି ଅପରାଧ ପ୍ରବଣତାକୁ ପ୍ରଶମିତ ପାଇଁ ବାସ୍ତବବାଦୀ ହୁଅନ୍ତୁ ଏବଂ ଏଥିପାଇଁ ଦୃଢ ନିଷ୍ପତ୍ତି ନିଆଯିବାର ଆବଶ୍ୟକତା ରହିଛି ।

ବି.ଦ୍ର.- ଏହା ଲେଖକଙ୍କ ନିଜସ୍ୱ ମତ ।

ଅଧିକ ପଢ଼ନ୍ତୁ: ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ, ମହିଳାଙ୍କ ସୁରକ୍ଷା ପାଇଁ ଡାକିଲେ ବଡ଼ ବୈଠକ

Odisha Women Safety
Advertisment
Advertisment