ଅଦିନିଆ ବର୍ଷାରେ ହୋଇଥିବା ଫସଲ କ୍ଷୟକ୍ଷତି ପାଇଁ ଆଉ ଦୁଇ-ତିନି ଦିନ ଭିତରେ କ୍ଷତିପୂରଣ ପାଇବେ କ୍ଷତିଗ୍ରସ୍ତ ଚାଷୀ । ପଞ୍ଜୀକରଣ କରିଥିବା ବୀମାଭୁକ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରିବା ସରକାର । କିନ୍ତୁ ରାଜ୍ୟର ପ୍ରଭାବିତ ୧୪ ଜିଲ୍ଲାର ହଜାର ହଜାର କ୍ଷତିଗ୍ରସ୍ତ ଭାଗ ଚାଷୀ ସହାୟତା କେମିତି ପାଇବେ ତାର ଉତ୍ତର କାହା ପାଖରେ ନାହିଁ । ସେହିଭଳି ବୀମା କରିନଥିବା କ୍ଷତିଗ୍ରସ୍ତ ଚାଷୀ କେବେ ଆଉ କେତେ ଟଙ୍କା ପାଇବେ ତାହା ବି ବଡ଼ ପ୍ରଶ୍ନ ।
ସେପଟେ କିନ୍ତୁ ସରକାର କ୍ଷୟକ୍ଷତିର ସର୍ଭେ କରିଛନ୍ତି, ସବୁ କ୍ଷତିଗ୍ରସ୍ତଚାଷୀଙ୍କୁ ସହାୟତା ଦିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି ସମବାୟ ମନ୍ତ୍ରୀ । ଅଦିନିଆ ବର୍ଷାରେ ଉଜୁଡି ଯାଇଛି ସୁନାର ଫସଲ । ବୃଥାରେ ଯାଇଛି ଚାଷୀର ବର୍ଷ ଯାକର ହାଡ଼ଭଙ୍ଗା ପରିଶ୍ରମ । ଆଉ ଏବେ କ୍ଷତିପୂରଣ ମିଳିବା ବେଳକୁ ଏମାନେ ଅଲୋଡ଼ା, ଅଖୋଜା । କାରଣ ଏମାନଙ୍କ ନିକଟରେ ଚାଷୀ ଭାବେ ତଥ୍ୟ ପ୍ରମାଣ କି ଦଲିଲ ଦସ୍ତାବିଜ ନାହିଁ ।
ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ
Also Read
ନିକଟରେ ହୋଇଥିବା ଅଦିନିଆ ଲଗାଣ ବର୍ଷା ଧୋଇ ନେଇଛି ଅଧା ଓଡ଼ିଶାରୁ ଅଧିକ ଚାଷୀର ଫସଲ । ଠିକ୍ ଧାନର ଅମଳ ସମୟରେ ହିଁ କାଳ ସାଜିଥିଲା ଝିପି ଝିପି ବର୍ଷା । ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଏ ବର୍ଷାରେ ୧୪ ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି । ପୁରୀ ଆଉ ଗଞ୍ଜାମ ଜିଲ୍ଲାର ଚାଷୀ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । କିନ୍ତୁ ବିଡ଼ମ୍ବନା ହେଉଛି, ଏ କ୍ଷୟକ୍ଷତି ପାଇଁ କେବଳ ବୀମାଭୁକ୍ତ ଚାଷୀ କ୍ଷତିପୂରଣ ପାଇବାକୁ ଯାଉଥିବା ବେଳେ କ୍ଷତିଗ୍ରସ୍ତ ଭାଗଚାଷୀ କିଛି ସୁବିଧା ନଥିବାରୁ ଏବେ ଚିନ୍ତାରେ ରାଜ୍ୟର ଲକ୍ଷ ଲକ୍ଷ ଭାଗଚାଷୀ ।
ସମବାୟ ମନ୍ତ୍ରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ଏଯାବତ ୨ଲକ୍ଷ ୭୭ ହଜାରରୁ ଅଧିକ ବୀମାଭୁକ୍ତ ଚାଷୀ କ୍ଷତିପୂରଣ ରାଶି ପାଇବା ଲାଗି ପଞ୍ଜୀକରଣ କରିଛନ୍ତି । ଅବଶ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ପଞ୍ଜୀକରଣ ଲାଗି ଥିବା ସମୟସୀମାକୁ ୩ ଦିନ ବଢ଼ାଯିବା ପରେ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ବି ବଢ଼ିଛି । ହେଲେ ଏପଟେ କିନ୍ତୁ ଆଦୌ କୃଷି ବୀମା କରିନଥିବା ଚାଷୀ କେମିତି ସହୟତା ପାଇବ ତା ବି ଏବେ ଦ୍ୱନ୍ଦ୍ୱରେ ।
ସେପଟେ କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଅନୁଧ୍ୟାନ କରାଯାଇଛି, ଏବଂ ସମସ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ସମବାୟ ମନ୍ତ୍ରୀଙ୍କ ଆଶ୍ୱାସନା ଚାଷୀଙ୍କ ମନରେ ଆଶା ସଂଚାର କରିପାରିଛି । ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁସାରେ ଅଦିନିଆ ବର୍ଷାରେ ୧୪ ଜିଲ୍ଲାରେ ଧାନ, ପନିପରିବା, ଚିନାବାଦାମ, କପା ଏବଂ ଅନ୍ୟାନ୍ୟ ଫସଲ ବ୍ୟାପକ ନଷ୍ଟ ହୋଇଛି ।
ପ୍ରାୟ ୬ ଲକ୍ଷ ୬୬ ହଜାର ୭୨୦ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି । ୨ ଲକ୍ଷ ୨୬ ହଜାର ୭୯୧ ହେକ୍ଟର ଚାଷ ନଷ୍ଟ ହୋଇଛି । ଏହି କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ଜଳସେଚିତ ଜମିକୁ ହେକ୍ଟର ପିଛା ୧୫ ହଜାର ଏବଂ ଅଣଜଳସେଚିତ ଜମି ପାଇଁ ୭ ହଜାର ୫୦୦ ଟଙ୍କା ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ।