• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଯଦିଓ ଟିକେ କମିଛି, ହେଲେ ଜୁଲାଇରେ ଯେତିକି ରହିବା କଥା ତାଠୁ ଅଧିକ ରହିଛି ପରିବା ଓ ଗ୍ରୋସରୀ ଦର । ଦରଦାମ କେମିତି ନିୟନ୍ତ୍ରଣକୁ ଆସିବ, ମାର୍କେଟ୍ ବୁଲି ସ୍ଥିତି ପରଖିବା ପରେ ଆଜି ରିଟେଲର ଏବଂ ହୋଲସେଲରଙ୍କ ସହ ବୈଠକ କରି କାରଣ ଖୋଜିଛନ୍ତି ମନ୍ତ୍ରୀ । ଚାରିଥାକିଆ ବିକ୍ରି ବ୍ୟବସ୍ଥା ଓ ମିଡିଲ ମ୍ୟାନ୍ ପ୍ରଭାବ ଯୋଗୁଁ ପରିବା ଦର ବଢୁଥିବା ମନ୍ତ୍ରୀ ମାନିଛନ୍ତି । ତେଣୁ ପ୍ରତି ଜିଲ୍ଲାରେ ପରିବା ମଣ୍ଡି କରିବା ସହ ଦୋକାନ ଆଗରେ ରେଟ୍ ଚାର୍ଟ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

ସୁଧୁରିବ ବଜାର ବ୍ୟବସ୍ଥା ! କମିବ ମିଡିଲମ୍ୟାନଙ୍କ ପ୍ରାଦୁର୍ଭାବ ! ପ୍ରତି ଜିଲ୍ଲାରେ ପରିବା ମଣ୍ଡି ଖୋଲିବେ ସରକାର । ଦରଦାମ ନିୟନ୍ତ୍ରଣ ପାଇଁ ଆଜି ରାଜ୍ୟ ବ୍ୟବସାୟ ମହାସଂଘର ରିଟେଲର୍ ଏବଂ ହୋଲସେଲରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ବୈଠକରୁ ଜଣାପଡିଛି, ପାଇକାରୀ ଦାମ୍ କମ୍ ଥିଲେ ମଧ୍ୟ ଚାରି ଥାକିଆ ବିକ୍ରି ବ୍ୟବସ୍ଥା ଯୋଗୁଁ ହୁ ହୁ ହୋଇ ବଢୁଛି ପରିବା ଦର । ଏହାକୁ ନିୟନ୍ତ୍ରଣ କରିବା ଲାଗି କଟକ ଏବଂ ଭୁବନେଶ୍ୱରରେ ପ୍ରଥମେ ଖୋଲାଯିବ ପରିବା ମଣ୍ଡି । ପରେ ସବୁ ଜିଲ୍ଲାରେ ଖୋଲାଯିବାକୁ ଯୋଜନା ରହିଛି ।

ତା’ଛଡ଼ା ପରିବାର ଦର କେତେ ରହିବ ତାର ଏକ ରେଟ୍ ଚାର୍ଟ ବି ଲାଗିବ । ଏହାସହ କୃଷି ଉତ୍ପାଦ ୧୩୭ ଲକ୍ଷ ଟନରୁ ୨୦୦ ଲକ୍ଷ ଟନ୍ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେଇ ଆଳୁ, ପିଆଜ ଉତ୍ପାଦନ ବଢାଇବାକୁ ମଧ୍ୟ ଚିନ୍ତା କରୁଛନ୍ତି ସରକାର ।

ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବାକୁ ଏଣିକି ପ୍ରତି ୩ ମାସରେ ରିଟେଲର ଏବଂ ହୋଲସେଲରଙ୍କ ସହ ଆଲୋଚନା ହେବ । ଏପଟେ କିନ୍ତୁ ଜୁଲାଇ ଅଧା ହେଲାଣି ହେଲେ ଆଖିଦୃଶିଆ ଭାବେ କମୁନି ପରିବା ଦର । ମାର୍କେଟ ରେଟ୍ ଅନୁସାରେ କେଜି ପିଛା ଆଳୁ ୩୦ରୁ ୩୫, ପିଆଜ ୪୦, ବିନ୍ସ ୮୦, ଟମାଟୋ ୬୦, ପୋଟଳ ୪୦ରୁ ୫୦, ବାଇଗଣ ୪୦ରୁ ୫୦, କଲରା ୪୦, ଝୁଡ଼ଙ୍ଗ ୬୦ ଓ କାଙ୍କଡ ୬୦ ଟଙ୍କା ରହିଛି ।

ଅନ୍ୟ ପଟେ ଗ୍ରୋସରୀ ବି ବଢିବାରେ ଲାଗିଛି । ସୋରିଷ ତେଲ ଲିଟର ପିଛା ୧୪୫, ରିଫାଇନ ଲିଟର ପିଛା ୧୧୦ରୁ ୧୧୨, କେଜି ପିଛା ହରଡ ଡାଲି ୧୭୦, ଅଟା ୩୮ରୁ ୪୦ ଟଙ୍କା ଥିବା ବେଳେ ଅରୁଆ ଏବଂ ଉଷୁନା ଚାଉଳ କିଲୋ ପ୍ରତି ୪୦ ଟଙ୍କା ରହିଛି । ଯାହାକୁ ନେଇ ଗ୍ରାହକଙ୍କ ମନରେ ପ୍ରବଳ ଅସନ୍ତୋଷ ରହିଛି ।

ଏବେ ଦେଖିବାର କଥା ବିଭାଗ ଏବଂ ମନ୍ତ୍ରୀଙ୍କ ନୂଆ ନିଷ୍ପତ୍ତି କେବେ କାର୍ଯ୍ୟକାରୀ ହେଉଛି ଏବଂ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାରେ କେବେ ସଫଳ ହେଉଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now