ଆଜି ବି ବଞ୍ଚିଛି ରେବତୀ । ଜଣେ ନୁହେଁ ତିନି ତିନି ଜଣ ରେବତୀ । ଉନବିଂଶ ଶତାବ୍ଦୀର ଫକୀର ମୋହନ ସେନାପତିଙ୍କ ଗଳ୍ପ ରେବତୀକୁ ମନେପକାଇ ଦେଇଛି ନୂଆପଡ଼ାର କାହାଣୀ । ତିନି ଝିଅଙ୍କ ପାଠ ପଢିବା ଇଚ୍ଛା ଆଗରେ ଯେମିତି ସମାଜ ପାହାଡ଼ ଭଳି ଠିଆ ହୋଇଥିଲା । ଘାତପ୍ରତିଘାତର ସବୁ ବନ୍ଧ ଡେଇଁ ତିନିହେଁ ସ୍କୁଲ ଏରୁଣ୍ଡି ମାଡିଲେ ଏବଂ ଶେଷରେ ଚାକିରି ବି କଲେ । ନାରୀ ଶିକ୍ଷାର ସେଇ ପ୍ରେରଣାଦାୟୀ କାହାଣୀ ବିଷୟରେ ଆସନ୍ତୁ ଜାଣିବା ।
ଚାନ୍ଦିନୀ, ଜୟଶ୍ରୀ, ତ୍ରିବେଣୀ ତିନି ଚେହେରା ହେଲେ ଗୋଟିଏ କାହାଣୀ । ରକ୍ଷଣଶୀଳ ସମାଜରେ ଜଣେ ଜଣେ ବୁଦ୍ଧିମତୀ, ଜଣେ ଜଣେ ରେବତୀ । ଏମାନେ ସେଇ ଅଖ୍ୟାତପଲ୍ଲୀର ରେବତୀ । ଫକୀର ମୋହନଙ୍କ ସଂସ୍କାରବାଦୀ ଗପର ସତ ରେବତୀ । ଯାହାଙ୍କ ଦୁର୍ବାର ଇଚ୍ଛା ଭାଙ୍ଗିଛି ପରମ୍ପରାକୁ । ମାତ୍ ଦେଇଛି ରୁଢିବାଦୀ ସମାଜର ଆକଟକୁ । ଜିତିଛି ନାରୀ ଶିକ୍ଷାର ଜାଗରଣକୁ ।
Also Read
ଚକୋଟିଆ ଭୁଞ୍ଜିଆ ଆଦିମ ଜନଜାତିର ଏହି ତିନି ବିଜୟିନୀଙ୍କ ଜୀବନ ଆରମ୍ଭ ହୁଏ ନୂଆପଡା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରୁ । ୨୦୦୭ ମସିହାର କଥା। ପାଠ ପଢିବାକୁ ମନରେ ଥାଏ ପ୍ରବଳ ଆଗ୍ରହ। ହେଲେ ସତେ ଯେମିତି ଭାଗ୍ୟକୁ ବାନ୍ଧି ରଖିଥିଲା ସମାଜ ଦଉଡ଼ି । ଝିଅଙ୍କ ପାଠପଢା ଉପରେ ଚକୋଟିଆ ଭୁଞ୍ଜିଆ ଆଦିମ ଜନଜାତିର ପାରମ୍ପରିକ ରୋକ୍ ପାହାଡ଼ ଭଳି ଠିଆ ହୋଇଥିଲା । ହେଲେ ରକ୍ଷଣଶୀଳତାର ଏରୁଣ୍ଡି ଡେଇଁ ପାଠ ପଢିବାର ଦୁର୍ବାର ଜିଦ୍ ଆଗରେ ନିସ୍ତେଜ ପଡ଼ିଯାଇଥିଲା ପରମ୍ପରାର ନାଲିଆଖି । ରେବତୀ ଭଳି ଘାତପ୍ରତିଘାତ ଭିତରେ ବି ଉଚ୍ଚଶିକ୍ଷିତ ହେଲେ ଆଉ ଚାକିରି କରି ଉଦାହରଣ ସାଜିଲେ ।
ଏଥିପାଇଁ ସମାଜ ତରଫରୁ ବାସନ୍ଦ ହେଲେ ସତ କିନ୍ତୁ ସଫଳତାର ସ୍ବାଦ ଆଗରେ ସେସବୁ ତୁଚ୍ଛ ଭଳି । ଚାନ୍ଦିନୀ ଏବେ ଏଏନଏମ ଭାବେ କାର୍ଯ୍ୟକରୁଥିବାବେଳେ ତ୍ରିବେଣୀ ଓ ଜୟଶ୍ରୀ ସ୍ବତନ୍ତ୍ର ବିଦ୍ୟାଳୟରେ ଶିକ୍ଷୟିତ୍ରୀ ହୋଇଛନ୍ତି । ଏହି ତିନି ଜଣଙ୍କ ସମାଜ ସଂସ୍କାର ବାର୍ତ୍ତା ପରେ ଏବେ ବଦଳିଯାଇଛି ଚକୋଟିଆ ଭୁଞ୍ଜିଆ ସମାଜ । ହଟିଯାଇଛି ଅନ୍ଧବିଶ୍ବାସ, ଶିକ୍ଷା ସାଜିଛି ବିଶ୍ବାସ ।
ଅଧିକ ପଢ଼ନ୍ତୁ: ପତ୍ନୀଙ୍କ ମୃତ୍ୟୁ ପରେ କଲମ ପ୍ରେମରେ ପଡ଼ିଛନ୍ତି ଅର୍ଜୁନ, ସାଉଁଟୁଛନ୍ତି ପୁରୁଣା ସ୍ମୃତି
ଏମାନଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଗତ ୧୭ ବର୍ଷ ଭିତରେ ପ୍ରାୟ ୫୦୦ ଚକୋଟିଆ ଭୁଞ୍ଜିଆ ଜାତିର ଝିଅ ପାଠ ପଢିଛନ୍ତି l ଆଉ ପରିବର୍ତ୍ତନର ବାର୍ତ୍ତା ଦେଇ ନୂଆ ଧାରା ସୃଷ୍ଟି କରିଥିବା ତିନି ଝିଅଙ୍କୁ ସବୁ ଆଡୁ ଛୁଟୁଛି ପ୍ରଶଂସାର ସୁଅ । ଫକୀରମୋହନଙ୍କ ଗଳ୍ପରେ ଉନବିଂଶ ଶତାବ୍ଦୀର ଶେଷ ଭାଗରେ ବି ପାଠ ପଢିବାକୁ ଯାଇ ଢେର ହଇରାଣ ହୋଇଥିଲା ପାଟପୁରର ରେବତୀ । ବୁଢୀ ଜେଜେମାଆଠୁ ନେଇ ସାହି ଭାଇ ସମସ୍ତଙ୍କ ରୋଷର ଶୀକାର ହୋଇଥିଲା । ନୂଆପଡ଼ା ଜିଲ୍ଲାର ଏହି ତିନି ଝିଅଙ୍କ ଜୀବନ ଗଳ୍ପ ପୁଣି ରେବତୀକୁ ମନେ ପକାଇ ଦେଇଛି ।
ଅଧିକ ପଢ଼ନ୍ତୁ : ବାବୁଙ୍କ ଘରେ ଟଙ୍କା ଭଣ୍ଡାର; ଗଣି ଗଣି ମେସିନ ନୟାନ୍ତ, ଅଧିକାରୀ ହାଲିଆ!
- Reported by:
- MAYADHAR SARAF