/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725463824.jpg)
Onion Price Hike
ଆଳୁ ଦର ଖସୁ ଖସୁ ବଢିଗଲା ପିଆଜ । ଅମୂଲ ମୂଲ ରସୁଣ । ଆମିଷ ହେଉ କି ସାଦା, ପିଆଜ-ରସୁଣ ନଥିଲେ ସୁଆଦ ପାଣିଚିଆ। ହେଲେ ବଜାରରେ ଦର ଯାହା ହାତ ମାରି ହେଉନି ରସୁଣ ଦେହରେ। କ୍ୱାଲିଟି ନଥିଲେ ବି ମହଙ୍ଗା ଦର। ସପ୍ତାହେ ତଳେ ଯେଉଁ ରସୁଣ ୧୬୦ରେ ବିକ୍ରି ହେଉଥିଲା ଏବେ ୩୬୦। ୭ ଦିନରେ ୨ଶହ ଟଙ୍କା ବଢିଲାଣି। ବଡ ସାଇଜ୍ର ରସୁଣ ତ ଚାରିଶହ ପାର୍। ଖାଉଟି ଅଢେଇଶହରୁ ଶହେ ଗ୍ରାମକୁ ଖସିଥିଲେ ବି ଶହେ ଟଙ୍କା ଦେବା ବେଳେ ମୁହଁ ଆମ୍ବିଳ, ନାକ ଟେକୁଛନ୍ତି।
ସେପଟେ ଆଳୁ ଦର ସୁଧୁରିଲା ବେଳେ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି ପିଆଜ। କେଉଁଠି ୫୦ ତ କେଉଁଠି ୫୫। ସପ୍ତାହ ଭିତରେ ୧୫ ଟଙ୍କା ବଢିଲାଣି। ବ୍ୟବସାୟୀ ତ କହିଲେଣି ଆଗକୁ ଆହୁରି ମହଙ୍ଗା ହେବ। ବାଧୁଥିଲେ ବି ଗ୍ରାହକ ପାଖରେ ଉପାୟ ନାହିଁ। ଅଦା-ରସୁଣ ପେଷ୍ଟରେ କାମ ଚଳିଯିବ ହେଲେ ବିନା ପିଆଜରେ କଣ ରୋଷେଇ ସମ୍ଭବ।
ସାଧାରଣତଃ, ଗୁଜରାଟ ଓ ୟୁପିରୁ ଓଡ଼ିଶାକୁ ରସୁଣ ଆସିଥାଏ। ହେଲେ ପ୍ରବଳ ବର୍ଷା ଯୋଗୁଁ ଆମଦାନୀ ବହୁତ କମିଛି। ଜାନୁଆରୀରେ ନୂଆ ଫସଲ ବାହାରିବା ଯାଏଁ ଦର କମିବା ସମ୍ଭାବନା କମ୍। ପିଆଜ ଅବସ୍ଥା ବି ସମାନ। ବର୍ଷା ଯୋଗୁଁ ମହାରାଷ୍ଟ୍ର ନାସିକରେ ନଷ୍ଟ ହୋଇଯାଇଛି ଫସଲ। ଆନ୍ଧ୍ରରୁ ଆସୁଥିବା ପିଆଜରେ ଅବଶ୍ୟକତା ମେଣ୍ଟୁଥିବା ବେଳେ ସେଠାରେ ବି ଏବେ ବନ୍ୟା ସ୍ଥିତି। ତେଣୁ ଆଗକୁ ପିଆଜ ବେଶ୍ କନ୍ଦାଇବା ନିଶ୍ଚିତ। ତେବେ ଖାଉଟିଙ୍କୁ ରସୁଣ ଓ ପିଆଜ ଦରରୁ କେବେ ମୁକ୍ତି ମିଳୁଛି, ତାକୁ ଅପେକ୍ଷା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)