• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ବିରାଜିଲେ ବିଘ୍ନବିନାଶକ । ଅଗ୍ରପୂଜ୍ୟଙ୍କ ଆବାହନ ପାଇଁ ସବୁଠି ଉତ୍ସାହ, ସବୁଠି ଉଦ୍ଦୀପନା । ଗାଁଗଣ୍ଡାଠୁ ସହର ବଜାର, ସାହି ଗଳି । ପୁଣି ଶିକ୍ଷାନୁଷ୍ଠାନ, ବ୍ୟାବସାୟିକ ପ୍ରତିଷ୍ଠାନରେ ପୂଜା ପାଉଛନ୍ତି ଶ୍ରୀଗଣେଶ । ଗଜାନନଙ୍କ ପୂଜା ପାଇଁ ଝଲସୁଛି ଖୋର୍ଦ୍ଧାର ଜଟଣୀ ସହର । ଆକର୍ଷଣୀୟ ମୂର୍ତ୍ତି, ଆଖି ଝଲସିଲା ଭଳି ସାଜସଜ୍ଜା । ଏବର୍ଷ ୨୦୦ ପେଣ୍ଡାଲରେ ୧୨ ଦିନ ଧରି ପୂଜା ପାଇବେ ଗଜାନନ । କୋଇଲା ନଗରୀ ତାଳଚେର ବି ଉତ୍ସବମୁଖର। ବେଶ ଯାକଜମକରେ ପ୍ରାୟ ୮୦ଟି ପେଣ୍ଡାଲରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ । କେଉଁଠି ମୂର୍ତ୍ତି ତ ଆଉ କେଉଁଠି ଲାଇଟ୍ ଗେଟ୍। ପୁଣି ଆକାଶକୁ ଛୁଇଁଲା ଭଳି ତୋରଣ ମନ ମୋହୁଛି ।

ସେପଟେ ଭଦ୍ରକର ବିଭିନ୍ନ ମଣ୍ଡପରେ ଭିନ୍ନ ଭିନ୍ନ ନାଁରେ ପୂଜା ପାଉଛନ୍ତି ଅଗ୍ରପୂଜ୍ୟ । କେଉଁଠି ବୁଢ଼ା ଗଣେଶ, ଆଉ କେଉଁଠି ଟୋକା, ପିଲା ଓ କାଞ୍ଚନ ଗଣେଶ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି । ଭୁବନେଶ୍ବର ବଡ଼ଗଡ଼ରେ ଆକର୍ଷଣର କେନ୍ଦ୍ର ପାଲଟିଛି ୫୭ ଫୁଟ ଉଚ୍ଚର ଗଣେଶ ମୂର୍ତ୍ତି ଓ ୧୦ ଫୁଟର ମୂଷିକ ବାହାନ । ସେହିପରି ୧୦ କିଲୋ ଓଜନର ରୂପା ପାଦ ଓ ୫୭ କିଲୋର ଲଡୁ ତିଆରି କରାଯାଇଛି ।

ସେପଟେ ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ତା ପୂର୍ବରୁ ଆଜି ବଲାଙ୍ଗିରରେ ବାହାରିଥିଲା ପାହୁର ଯାତ୍ରା । ନବାନ୍ନ ଲାଗି ପାଇଁ ଆବଶ୍ୟକ ନୂଆ ଧାନ, ବସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ଦେବଦେବୀଙ୍କ ମନ୍ଦିରକୁ ଯାଇଛି । ସେହିପରି ଘରେ ଘରେ ପ୍ରସ୍ତୁତି ଶେଷ ହେଲାଣି। ବାହାରେ ରହୁଥିବା ପରିବାର ଲୋକ ଓ ବନ୍ଧୁବାନ୍ଧବ ପହଞ୍ଚି ସାରିଛନ୍ତି । ସରିଛି କିଣାକିଣି । ଆଜି ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସିଥିଲା ନୂଆଁଖାଇ ହାଟ । ଆବଶ୍ୟକ ନୂଆ ଧାନ, ମାଟି ପାତ୍ର, କୁରେଇ ପତ୍ର, ଚୂଡ଼ା, ପନିପରିବା ଓ ଲୁଗାପଟା କିଣିଛନ୍ତି ଲୋକ । ଏବେ କାଲିର ନୂଆ ସକାଳକୁ ଅପେକ୍ଷା । ଇଷ୍ଟଦେବୀଙ୍କୁ ନବାନ୍ନ ଲାଗି ପରେ ସମସ୍ତେ ନୂଆଁ ଖାଇବେ । ଗଣେଶ ପୂଜା ଓ ନୂଆଁଖାଇ ପାଇଁ ସାରା ରାଜ୍ୟ ଏବେ ଉତ୍ସବମୁଖର ।

OTV is now on Whatsapp

Join and get latest news update delivered to you via whatsapp

Join Now