• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଆଉ ଲବି ନୁହେଁ, କାର୍ଯ୍ୟଦକ୍ଷତା ଆଧାରରେ କମିଶନରେଟ୍ ପୋଲିସରେ ରହିବେ ଅଫିସର । ଲୋକଙ୍କୁ ଉତ୍ତମ ବ୍ୟବହାର ଓ ନ୍ୟାୟ ଦେବା ହେବ ଅଫିସରଙ୍କ ଦକ୍ଷତାର ମାପକାଠି । କମିଶନରେଟ୍ ପୋଲିସର ନୂଆ ମୁଖିଆ ଭାବେ ଦାୟିତ୍ୱ ନେବାର ଦିନକ ପରେ ଆଜି କଟକ ଡିସିପିଙ୍କ କାର୍ଯ୍ୟାଳୟରେ ଏମିତି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ ।

କମିଶନରଙ୍କ ଏ ମନ୍ତବ୍ୟ ପରେ ଗାଦିମଡ଼ା ପୁଲିସ ବାବୁଙ୍କ ଭିତରେ ଛନକା । ହେବ କି ଆକ୍ସନ୍ ? ବର୍ଷ ବର୍ଷ ଧରି ଟୁଇନସିଟିରେ ଘୁରି ବୁଲୁଥିବା ଅଫିସଙ୍କ ଜିଲ୍ଲା ବାହାରକୁ ହେବ କି ବଦଳି? ନିକଟରେ ଜିଲ୍ଲାପାଳ ଓ ଏସପି ସମ୍ମିଳନୀରେ ଗାଦିମଡ଼ା ବାବୁଙ୍କ ସଂପର୍କରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଶକ୍ତ ଆଭିମୁଖ୍ୟ ପରେ, ସେଇ ଧାରାରେ ଯାଇ ପୋଲିସ କମିଶନର ବି କହିଛନ୍ତି, ଦୀର୍ଘଦିନରୁ ଥିବା ଅଧିକାରୀଙ୍କ ତଥ୍ୟ ନିଆଯିବ ।

ତଥ୍ୟ କହୁଛି ପାଖାପାଖି ୨୨ ରୁ ଅଧିକ ଅଫିସର ବର୍ଷ ବର୍ଷ ଧରି ଟ୍ୱିନସିଟିରେ ଗାଦିମାଡି ବସିଛନ୍ତି । ଏମିତି କିଛି ଅଫିସର ଅଛନ୍ତି ଯେଉଁମାନେ ଟ୍ୱିନସିଟିରେ SI ହୋଇ ଯୋଗ ଦେଇଥିଲେ, ସେ ଭିତରୁ କିଏ ଏସିପି ତ ଆଉ କିଏ ଅତିରିକ୍ତ ଡିସିପି ହୋଇ ସାରିଲେଣି । ଏହି ତାଲିକା ମଧ୍ୟରେ ଅଛନ୍ତି ଦୀର୍ଘ ୮ରୁ ୧୨ ବର୍ଷ ଧରି କମିଶନରେଟ୍ ପୋଲିସରେ ଥିବା ବର୍ତ୍ତମାନର ଅତିରିକ୍ତ ଡିସିପି- ସଞ୍ଜୀବ ଶତପଥୀ, ଏସ.କେ ସରିଫୁଦ୍ଦିନ, ପ୍ରକାଶ ଚନ୍ଦ୍ର ପାଲ, ଡିସିପି ପିସିଆର ବାନାମ୍ବର ସେଠୀ ପ୍ରମୁଖ ।

ସେହିଭଳି କଟକ ଭୁବନେଶ୍ୱର ନ ଛାଡି ଏ ଥାନାରୁ ସେ ଥାନା ଆଉ କମିସନରେଟ ମୁଖ୍ୟାଳୟ ବୁଲୁଥିବା ଅଫିସର ହେଲେ ଏସିପି ଗିରିଜା ଶଂକର ଚକ୍ରବର୍ତ୍ତୀ, ମାନସ ଗଡନାୟକ, ଶରତ ଚନ୍ଦ୍ର ସାହୁ, ହିମାଂଶୁ ସ୍ୱାଇଁ , ଜୟନ୍ତ ଦୋରା, ପ୍ରଦୀପ ରାଉତ, ଅମିତାଭ ମହାପାତ୍ର, ତାପସ ପ୍ରଧାନ, ଅରୁଣ ସ୍ୱାଇଁ, ଉମାକାନ୍ତ ପ୍ରଧାନ ।

ଏହାରି ଭିତରେ ଆଉ କିଛି ଅଫିସରଙ୍କର ରାଜଧାନୀ ମୋହ ଛାଡୁନି । ଏଇ ଯେମିତି DSP ରଜତ ରାୟ । କମିଶନରେଟ ପୋଲିସ ଗଠନ ହେଲା ଦିନଠାରୁ ଅର୍ଥାତ ୨୦୦୮ରୁ ଭୁବନେଶ୍ୱରର ବିଭିନ୍ନ ଥାନା ବୁଲି ବୁଲି ଏବେ ସେ ପୋଲିସ ମୁଖ୍ୟାଳୟ ସହ ଆଟାଚ୍ ହୋଇଯାଇଛନ୍ତି ।

ସେହିଭଳି ଡିଏସପି ଭରତ ସାହୁ ଓ ଦୀପକ ମିଶ୍ରଙ୍କୁ କେତେବେଳେ କମିଶନରେଟ ପୋଲିସ ଆଉ କେତେବଳେ ଗୁଇନ୍ଦା ବିଭାଗରେ ରାଜଧାନୀରେ ହିଁ ପୋଷ୍ଟିଂ ମିଳିଯାଉଛି । ସେହିଭଳି ଥାନାରୁ ଥାନା ଆଇଆଇସି ହୋଇ ଘୁରି ବୁଲୁଥିବା ଅଫିସର ତାଲିକା ବି ବେଶ ଲମ୍ବା ।

ଯେଉଁଥିରେ ଆଇଆଇସି ଦୟାନିଧି ନାୟକ, ପଦ୍ମନାଭ ପ୍ରଧାନ, ରବୀନ୍ଦ୍ର ମେହେର ଭଳି ଅଫିସର ରହିଛନ୍ତି । ଖାଲି ଏସିପି କି ଆଇଆଇସି ନୁହଁନ୍ତି, ବର୍ଷ ବର୍ଷ ଧରି ଥାନା ଫାଣ୍ଡି ଛାଡୁନାହାନ୍ତି ଗଣ୍ଡା ଗଣ୍ଡା ପୋଲିସ SI, ASI । ଯେଉଁମାନେ ଟ୍ୱିନସିଟିରେ ପଟ୍ଟା କଲା ଭଳି ମାଡ଼ି ବସିଛନ୍ତି ଚୌକି, ଏବେ ଅପେକ୍ଷା ମୋହନ ସରକାର ଅମଳରେ ନୂଆ କମିଶନର ଏଥିରେ କେବେ ପରିବର୍ତ୍ତନ ଆଣୁଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now