ଭାରି ସୁଆଦିଆ ଢେଙ୍କାନାଳ ମାଟିର ଫଳ । ଆମ୍ବ ପରେ ବିଦେଶ ଗଲା ଢେଙ୍କାନାଳ ଭଣ୍ଡା । ପ୍ରଥମଥର ପାଇଁ ଢେଙ୍କାନାଳରୁ ଲଣ୍ଡନ ଓ ଆୟର୍ଲାଣ୍ଡକୁ ରପ୍ତାନୀ ହୋଇଛି ଏକ ଟନରୁ ଅଧିକ ଅମୃତଭଣ୍ଡା । ଫଳରେ ଚାଷୀ ଭଲ ଦୁଇ ପଇସା ପାଇଥିବା ବେଳେ ଅମୃତଭଣ୍ଡା ଚାଷରେ ନୂଆ ସୁଯୋଗ ସୃଷ୍ଟି ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଖୁସି ପ୍ରକାଶ କରିଛନ୍ତି ।
ଅମୃତଭଣ୍ଡା ଭର୍ତ୍ତି ଟ୍ରେ, ଆଉ ଟ୍ରେ ଭର୍ତ୍ତି ଗାଡ଼ି । ଏସବୁ ଯାଉଛି ବିକ୍ରି ପାଇଁ । ଏମିତି ସେମିତି ବଜାରକୁ ନୁହେଁ । ସିଧା ଲଣ୍ଡନ ଆଉ ଆୟର୍ଲାଣ୍ଡକୁ, ତା ପୁଣି ଫ୍ଲାଇଟ ଯୋଗେ । ସୁଆଦିଆ ଆମ୍ବ ପରେ ବିଦେଶକୁ ଅମୃତଭଣ୍ଡା ରପ୍ତାନି କରିଛି ଢେଙ୍କାନାଳ। ଆପେଡା ବା ଏଗ୍ରିକଲଚରାଲ ଆଣ୍ଡ ପ୍ରୋସେସଡ୍ ଫୁଡ୍ ପ୍ରଡକ୍ଟ ଏକ୍ସପୋର୍ଟ ଡେଭଲପମେଣ୍ଟ ଅଥରିଟି ମାଧ୍ୟମରେ ଏକ ଟନ୍ ୭ କ୍ବିଣ୍ଟାଲ୍ ଅମୃତଭଣ୍ଡା ବିଦେଶ ପଠାଯାଇଛି । ଏସବୁ ସଂଗ୍ରହ ହୋଇଛି ଶପ୍ତଶଯ୍ୟା, କଙ୍କଡ଼ାହାଡ଼, ଖୁଣ୍ଟୁଝରି ଓ ଓଡାପଡା ଅଞ୍ଚଳର ଚାଷୀଙ୍କଠାରୁ । ବିଶ୍ବ ବଜାରରେ ଓଡ଼ିଶାର ସଫଳତାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ୍ ମିଡିଆ ଏକ୍ସରେ ଖୁସି ପ୍ରକାଶ କରିବା ସହ କୃଷି ବିଭାଗର ପ୍ରଶଂସା କରିଛନ୍ତି ।
Also Read
ଅଧିକ ପଢ଼ନ୍ତୁ : ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା
ଢେଙ୍କାନାଳ ମାଟିର ଅମୃତଭଣ୍ଡା ଭାରି ସୁଆଦିଆ । ଶପ୍ତଶଯ୍ୟା ସମେତ ବିଭିନ୍ନ ଅଞ୍ଚଳରେ ଅନେକ ଚାଷୀ ଅମୃତଭଣ୍ଡା ଚାଷ କରିଥାନ୍ତି । ସ୍ଥାନୀୟ ଆଦିବାସୀ ପରିବାର ବି ଭଣ୍ଡା ଗଛ ଲଗାଇଥାନ୍ତି । ଉତ୍ପାଦିତ ଅମୃତଭଣ୍ଡାକୁ ବିଦେଶ ପଠାଇବାକୁ କୃଷି ବିଭାଗ ଓ ଆପେଡା ତରଫରୁ ପ୍ରୟାସ କରାଯାଇଥିଲା । ବଡ଼ ଓ ହୃଷ୍ଟପୃଷ୍ଠ ଭଣ୍ଡା ସଂଗ୍ରହ କରି ସେଗୁଡ଼ିକୁ ବିଶେଷ ପ୍ରଣାଳୀ ଦ୍ବାରା ପ୍ୟାକିଂ କରି ବିଦେଶକୁ ପଠାଯାଇଛି । ଫଳରେ ଚାଷୀଙ୍କୁ ଭଲ ଦୁଇ ପଇସା ମିଳିଛି । ଖୁବଶୀଘ୍ର ଆହୁରି ଭଣ୍ଡା ପଠାଇବାକୁ ଅର୍ଡର ବି ଆସିଥିବା ସୂଚନା ମିଳିଛି । ଯାହାକି ସ୍ଥାନୀୟ ଅଞ୍ଚଳର ଚାଷୀ ଓ ଆଦିବାସୀ ପରିବାର ପାଇଁ ଆର୍ଥିକ ସ୍ବଚ୍ଛଳତା ଆଣିଦେବ ।ବିଦେଶକୁ ରପ୍ତାନି ତାଲିକାରେ ଢେଙ୍କାନାଳ ଭଣ୍ଡା ଯୋଡ଼ିହେବା ଓଡ଼ିଶାର କୃଷି ଇତିହାସରେ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛି ।