ଜଣେ ପୂର୍ବତନ ସି.ଆର.ପି.ଏଫ ଯବାନ । ଦିନେ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ବାଜିରେ ଲଗାଇଦେଉଥିଲେ । ହେଲେ ଆଜି କହୁଛନ୍ତି ଇଚ୍ଛା ମୃତ୍ୟୁ ବରଣ କରିବି । କାରଣ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବାରେ ବିତାଇଦେଲେ ୧୪ ବର୍ଷ...କୋର୍ଟରୁ କୋର୍ଟ ଘୁରି ବୁଲିଲେ...ସରିଗଲା ଜୀବନ ଯାକର ସଞ୍ଚୟ...ସରିଗଲା ପତ୍ନୀଙ୍କ ସୁନାଗହଣା ଓ ବାପାଙ୍କ ପେନସନ୍ । ଚାକିରି ନଥିବାରୁ ପରିବାର ଚଳାଇବା ହୋଇପଡ଼ୁଛି ବଡ଼ କଷ୍ଟକର । ଆଉ କଣ କରିଥାନ୍ତେ । ଶେଷରେ କିଛି ଉପାୟ ନପାଇ ପରିବାର ସହ ଇଚ୍ଛା ମୃତ୍ୟୁ ପାଇଁ ମହାମହିମ ରାଷ୍ଟ୍ରପତିଙ୍କୁ କରିଛନ୍ତି ଆବେଦନ ।
ବଲାଙ୍ଗିର ତାଲପାଲିପଡାର ସୁଧୀର କୁମାର ଦାସ । ଗତ ୨୦୦୮ ମସିହାରେ ସି.ଆର.ପି.ଏଫ ଯବାନ ଭାବରେ ଭୁବନେଶ୍ୱରରେ ଚାକିରିରେ ଯୋଗଦେଇଥିଲେ । ପଦୋନ୍ନତି ପାଇ ଏ.ଏସ.ଆଇ ମଧ୍ୟ ହୋଇଥିଲେ । ହେଲେ ଗତ ୨୦୧୦ ମସିହାରେ ବଲାଙ୍ଗିର ସଦର ଥାନାରେ ସୁଧୀର ଦାସଙ୍କ ନାଁରେ ଚାକିରୀ ପାଇଁ ଠକେଇ ଅଭିଯୋଗ ହୋଇଥିଲା । ଠକେଇ ମାମଲାରେ ଗିରଫ ହେବା ପରେ ଚାକିରୀ ହରେଇଥିଲେ ସୁଧୀର । ଦୀର୍ଘ ୧୪ ବର୍ଷ ଧରି ନ୍ୟାୟିକ ଲଢ଼େଇ ଜାରି ରଖିବା ପରେ, ସୁଧୀର ଦାସଙ୍କୁ କୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି ।
Also Read
ଅଧିକ ପଢ଼ନ୍ତୁ: ମନ୍ଦିର ଲୁଟୁଥିଲେ ଶ୍ୱଶୁର-ଜ୍ୱାଇଁ; ସୁନା ବ୍ୟବସାୟୀଙ୍କୁ ବିକ୍ରି କରୁଥିଲେ ଲୁଟ୍ ଅଳଙ୍କାର
ଏପରିକି ମାନ୍ୟବର ହାଇକୋର୍ଟ ସୁଧୀରଙ୍କ ଆବେଦନକୁ ବିଚାର କରି ଚାକିରୀ ବାବଦକୁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଖାଇଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ସୁଧୀର । ୧୪ ବର୍ଷ ହେଲା ଚାକିରୀ ହରାଇ କୋର୍ଟରେ ମାମଲା ଲଢ଼ି ସର୍ବସ୍ୱାନ୍ତ ହୋଇଯାଇଛନ୍ତି ପୁରା ପରିବାର । ତେଣୁ ଏବେ କୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ, ବିଭାଗ ତରଫରୁ ସାହାଯ୍ୟ ସହଯୋଗ ଯୋଗେଇଦେବାକୁ ଦାବି କରିଛନ୍ତି ସୁଧୀର ।
ତେବେ ଜଣେ ପୂର୍ବତନ ସି.ଆର.ପି.ଏଫ ଯବାନଙ୍କ ଅଭିଯୋଗକୁ କେମିତି ଗ୍ରହଣ କରୁଛି ପ୍ରଶାସନ....ତା ଉପରେ ସମସ୍ତଙ୍କ ନଜର ।