Advertisment

ଲୁଟ୍ ହେଉଛି ନୟାଗଡ଼ କାସିଆ ପାହାଡ଼; ସବୁ ଜାଣିଶୁଣି କାହିଁକି ଆକ୍ସନ ନେଇନି ଜିଲ୍ଲା ପ୍ରଶାସନ ?

ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର ।

author-image
Sujit kumar Swain
undefined

Quarry Continues to Flourish

୨୪ ବର୍ଷର ଅଖଣ୍ଡ କ୍ଷମତା ଭିତରେ ଶାସନ କଳକୁ ଧରି ଖଣି ଗିଳିଛନ୍ତି ମାଳ ମାଳ ବିଜେଡି ନେତା । ଆଉ ଏବେ କ୍ଷମତାଚ୍ୟୁତ ହେବା ପରେ ଫୁଟି ବାହାରୁଛି ଖଣି ଦୁର୍ନୀତିର ନୂଆ ନୂଆ ଚିତ୍ର । ନୟାଗଡ଼ ଜିଲ୍ଲା ନିମାଣି ପଥର କ୍ବାରୀ। ଜିଲ୍ଲାର ଜଣେ ଅନ୍ୟତମ ପ୍ରଭାବଶାଳୀ ବିଜେଡ଼ି ନେତା ଲିଜରେ ନେଇ କେମିତି ବେଆଇନ ଭାବେ ଚଳାଉଥିଲେ, ସାମ୍ନାକୁ ଆସିଛି ସଂଗୀନ ଅଭିଯୋଗ। ବିଜେଡି ନେତା ବୋଲି ସାତ ଖୁଣ ମାଫ୍ ନ୍ୟାୟରେ ପ୍ରଶାସନିକ କଳର ନିଷ୍କ୍ରିୟତା ବି ଧରାପଡ଼ିଛି।  

Advertisment

ଖଣି ମାଫିଆଙ୍କ ଚାଲିଛି ଅରାଜକତା । ମୁହଁ ଖୋଲିଲେ ବାହାର କରୁଛନ୍ତି ଖଣ୍ଡା-ଭୂଜାଲି ।ପ୍ରତିବାଦ କଲେ ଦେଉଛନ୍ତି ମୃତ୍ୟୁଦଣ୍ଡର ଧମକ । ଅଖଣ୍ଡ କ୍ଷମତାର ଛତ୍ରଛାୟାରେ ରହି ରାଜୁତି ଚଳାଇଛନ୍ତି ପଥର ଖଣି ମାଫିଆ । ଏ କାହାଣୀ ନୟାଗଡ଼ ଜିଲ୍ଲା ଭାପୁର ତହସିଲ୍ ଅନ୍ତର୍ଗତ ନିମାଣୀ ପଞ୍ଚାୟତ। ଗାଁକୁ ଲାଗିଛି କାସିଆ ପାହାଡ଼ । ଯେଉଁଠି କାୟା ମେଲାଇଛି ନୟାଗଡ଼ ଜିଲ୍ଲା ବୃହତ ଖଣି । ଏହି ପଥର କ୍ବାରୀରେ ଅନବରତ ଚାଲିଛି ଖନନ କାର୍ଯ୍ୟ । ନା ଦିନ ନା ରାତି । ଅହରହ ବୁହାଚାଲିଛି ପଥର । ଜନବସତି ଅଞ୍ଚଳରେ ଦୌଡୁଥିବା ହାଇୱା ମାଡ଼ରେ କେତେ ଯେ ଦୁର୍ଘଟଣା ଘଟିଲାଣି, ହାଇୱା ଚକରେ କେତେ ଯେ ଜୀବନ ଗଲାଣି, ଭୁକ୍ତଭୋଗୀ ହିଁ ଜାଣିଛି । ବର୍ଷକର ଦାନାପାଣିର ଠିକଣା ସାଜିଥିବା ଚାଷଜମି, ଘରଦ୍ବାର ଅବସ୍ଥା ତ ନକହିବା ଭଲ । ଏହି ପଥର କ୍ବାରୀ ଯୋଗୁ ନିମାଣି ପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରେ ସତେ ଯେମିତି ରୁନ୍ଧି ହୋଇଯାଇଛି ଜନଜୀବନ। ଶେଷରେ ଲୋକଙ୍କ ନିଷ୍ପତ୍ତି, ଏହି କ୍ବାରୀ ବନ୍ଦ ନହେଲେ ନିର୍ଣ୍ଣାୟକ ଲଢ଼େଇ ପାଇଁ ରାଜରାସ୍ତାକୁ ଓହ୍ଲାଇବେ।  

ତଥ୍ୟ କହୁଛି, କାସିଆ ପାହାଡ଼ରେ ଥିବା ପଥର କ୍ବାରୀର ଲିଜଧାରୀ ହେଉଛନ୍ତି ବିଜେଡ଼ି ନେତା ବେଣୁଧର ପ୍ରଧାନ। ଯିଏ ଭାପୁର ବ୍ଲକର ଉପାଧ୍ୟକ୍ଷ। ଯାହାଙ୍କ ପତ୍ନୀ ସାବିତ୍ରୀ ପ୍ରଧାନ ଅଛନ୍ତି ବ୍ଲକ ଅଧ୍ୟକ୍ଷ। ତେଣୁ ଲୋକଙ୍କ ଅଭିଯୋଗ, ବିଜେଡିର ଛତ୍ରଛାୟାରେ ରହି ବର୍ଷ ବର୍ଷ ଧରି ଲୁଟି ଆସୁଛନ୍ତି ପଥର କ୍ବାରୀ। ଜଙ୍ଗଲ ଜମିରେ ବେଆଇନ ରାସ୍ତା କରିବା ସହ ଅନୁମତି ସ୍ଥାନରୁ ମାତ୍ରାଧିକ ଉତ୍ତୋଳନ କରାଯାଉଛି । ବୃହତ୍ତ ବୃତଙ୍ଗ ପ୍ରକଳ୍ପର ସଂରକ୍ଷିତ ଜଙ୍ଗଲ ଜମି ୨୦୧୭ରେ ଜଙ୍ଗଲ ଆଛାଦିତ ଥିଲା । ୨୦୨୪ରେ ପୁରା ଜଙ୍ଗଲ ଜମିରେ ରାସ୍ତା ତିଆରି କରି ଉତ୍ତୋଳନ କରାଯାଉଛି କ୍ବାରୀ। ଯାହାର ଖୋଲା ଉଲଂଘନ ଦର୍ଶାଇ ନୟାଗଡ଼ ଜିଲ୍ଲାପାଳ, ଖଣି ଅଧିକାରୀ ଏବଂ ପିସିସିଏଫଙ୍କୁ ଚିଠି ଲେଖିଥିଲେ ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ। 

Advertisment

ଗତ ଫେବୃୟାରୀ ୩ର ଏହି ଚିଠିରେ ସ୍ପଷ୍ଟ ଭାବେ ଲେଖାଯାଇଛି, ନୟାଗଡ଼ ବନ ବିଭାଗ ଓ ଭାପୁର ତହସିଲ ପକ୍ଷରୁ ମିଳିତ ତଦନ୍ତ ସହ ଜଙ୍ଗଲ ଜମି ଆଇନ ଅନୁଯାୟୀ ମାମଲା ବି ରୁଜୁ କରାଯାଇଛି। କିନ୍ତୁ, ଆଶ୍ଚର୍ଯ୍ୟକର କଥା ହେଉଛି, ୫ ମାସ ହୋଇଗଲା କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ଏବେ ପଚାରିବାରୁ ଜିଲ୍ଲାପାଳ କହୁଛନ୍ତି, ଖଣି ଅଧିକାରୀଙ୍କୁ ଅବଗତ କରାଯାଇଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। 

ତେବେ ଏଠି ପ୍ରଶ୍ନ ଉଠୁଛି, ସବୁ ଜାଣିଶୁଣି କାହିଁକି ଏଯାଏଁ ଆକ୍ସନ ନେଇନି ଜିଲ୍ଲା ପ୍ରଶାସନ ? କ୍ଷମତାରେ ଥିବା ବିଜେଡି ନେତା ବୋଲି ସାତ ଖୁଣ ମାଫ୍ ନା କୌଣସି ଅଦୃଶ୍ୟ ଶକ୍ତି ଚାପ ପଡୁଛି ପ୍ରଶାସନ ଉପରେ ? ବଦଳିଛି ସରକାର, ବଦଳୁଛି ବ୍ୟବସ୍ଥା। ଅପେକ୍ଷା, ଖଣି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳ ନୀତି ଆପଣାଇଥିବା ବିଜେପି ସରକାର ପଥର କ୍ବାରୀ ବିରୋଧରେ କି ଆକ୍ସନ ନେଉଛନ୍ତି । 

Forest Department BJD Leaders
Advertisment
Advertisment