• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାଟ ନପାଇଲେ ଏବେ ଆମେ ଗୁଗଲ ମ୍ୟାପ୍ ସାହାଯ୍ୟ ନେଉଛେ, ହେଲେ ସେଇ ଗୁଗୁଲ୍ ମ୍ୟାପ୍ କେମିତି ସପ୍ତଶଯ୍ୟା ଘଞ୍ଚ ଜଙ୍ଗଲ ଭିତରେ ୫ ସାଙ୍ଗଙ୍କୁ ବାଟବଣା କରିଦେଲା ଓ ୧୧ ଘଣ୍ଟା କାଳ ଫସି ରହିବା ପରେ ରାତି ଅଧରେ ଉଦ୍ଧାର ପାଇଲେ, ସେ ଘଟଣା ହୋଇଛି ବେଶ୍ ଲୋମଟାଙ୍କୁରା ।

ବାଟବଣା କରିଦେଇଛି ଗୁଗଲ୍ ମ୍ୟାପ୍ । ଘଞ୍ଚ ଜଙ୍ଗଲରେ ୧୧ ଘଣ୍ଟା ଘୂରି ବୁଲିଲେ । ନିସ୍ତବ୍ଧ ବର୍ଷା ରାତିରେ ଶେଷରେ ପୋଲିସ ଓ ବନ ବିଭାଗ ଦ୍ୱାରା ଠାବ ହୋଇ ନୂଆ ଜୀବନ ପାଇଲେ । ୫ ସାଙ୍ଗ, ଗତକାଲି ଶପ୍ତଶଯ୍ୟା ଜଙ୍ଗଲରୁ ଉଦ୍ଧାର ପାଇଛନ୍ତି । କିନ୍ତୁ ସେମାନଙ୍କ ସହ ବିତିଥିବା ସମୟ ବଖାଣିଲା ବେଳକୁ ଯେମିତି ଲୋମ ଟାଙ୍କୁରି ଉଠୁଛି ।

କଟକର ଏକ ଘରୋଇ ଆଇଟିଆଇ କଲେଜରେ ପଢୁଥିବା ୫ ସାଙ୍ଗ, ସୁଜିତ୍ୟ ସାହୁ, ସୂର୍ଯ୍ୟ ପ୍ରକାଶ ମହାନ୍ତି, ଶୁଭନ ମହାପାତ୍ର, ହିମାଂଶୁ ଦାଶ ଓ ଅରକ୍ଷିତ ମହାପାତ୍ର ଗତକାଲି ଢେଙ୍କାନାଳ ଜିଲ୍ଲାର ଶପ୍ତଶଯ୍ୟା ପୀଠକୁ ବୁଲିବାକୁ ଯାଇଥିଲେ । ଦିନ ପ୍ରାୟ ୧୧ଟା ବେଳେ ବାଇକ୍ ରଖି ସମସ୍ତେ ସିଡ଼ି ଚଢ଼ି ପ୍ରଥମେ ରାମ ମନ୍ଦିର ଦର୍ଶନ କରିଥିଲେ ।

ତାପରେ ସେଠୁ ପାହାଡ଼ ଶୀର୍ଷରେ ଥିବା ବିଷ୍ଣୁ ବାବାଙ୍କ ମଠରେ ଶିବ ଲିଙ୍ଗ ଦର୍ଶନ ପାଇଁ ମନ ବଳାଇଥିଲେ । ସେଠିକୁ ଯାଇ ଦର୍ଶନ ସାରି ଫେରିବା ବେଳେ ହଠାତ୍ ବାଟବଣା ହୋଇଗଲେ । ଆଗକୁ ଯାଉଥିଲେ ତ ଖାଲି ଜଙ୍ଗଲ, ରାସ୍ତାର ନାଁ ଗନ୍ଧ ବି ନଥିଲା । ସମୟ ୨ଟା ବାଜିଗଲା ।

କେମିତି ପାଇବେ ମୁଖ୍ୟ ମନ୍ଦିରକୁ ବାଟ ? ଉପାୟ ନପାଇ ଗୁଗଲ୍ ମ୍ୟାପର ସହାୟତା ନେଇଥିଲେ- ହେଲେ ମ୍ୟାପ୍ ଯେଉଁ ରାସ୍ତା ଦେଖାଇଲା ସେଥିରେ ସେମାନେ ଆହୁରି ଘଞ୍ଚ ଜଙ୍ଗଲକୁ ଚାଲିଗଲେ । ଅଖିଆ ଅପିଆ ପାଖାପାଖି ୧୦ କିଲୋମିଟର ବୁଲି ବୁଲି ହାଲିଆ ହେବା ପରେ ସନ୍ଧ୍ୟା ପ୍ରାୟ ସାଢ଼େ ୫ଟା ବେଳକୁ ଏକ ବଡ଼ ଖାଲୁଆ ସ୍ଥାନ ଯାହାର ନାଁ ଭୁଆଶୁଣି ଖୋଲ, ସେଇଠି ଫସି ରହିଲେ ।

ବଡ଼ କଷ୍ଟରେ ସେଠୁ ମୋବାଇଲ୍ ନେଟୱର୍କ ଲାଗିବାରୁ ପ୍ରଥମେ ଜଣେ ଚିହ୍ନା ବ୍ୟକ୍ତିଙ୍କୁ ରାସ୍ତା ପଚାରିଥିଲେ । ସେ ପୂର୍ବ ଦିଗକୁ ଆସିବାକୁ କହିବା ପରେ ମୋବାଇଲ୍ କଂପାସ୍ ରେ ଦିଗ ନିର୍ଣ୍ଣୟ ପାଇଁ ଚେଷ୍ଟା କରି ସେଥିରେ ବି ଫେଲ୍ ମାରିଥିଲେ । ତେଣୁ ଶେଷରେ ପୋଲିସକୁ ଫୋନ୍ କରି ସେମାନଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ ।

ଜଙ୍ଗଲ ଭିତରେ ୫ ପିଲା ଫସି ଯାଇଥିବା ଖବର ପାଇ ତତ୍ପର ହୋଇଥିଲା ଢେଙ୍କାନାଳ ପୋଲିସ୍ । ବନ ବିଭାଗ ସହାୟତାରେ ୨ଟି ଟିମ୍ ଗଢ଼ି ପିଲାଙ୍କ ପାଖେ ପହଞ୍ଚିବାକୁ ଚଳାଇଲା ଅପରେସନ୍ । ଗୋଟିଏ ଟିମ୍ ମାଝୀ ସାହି ପଟୁ ତ ଅନ୍ୟଟି ଶପ୍ତଶଯ୍ୟା ମନ୍ଦିର ପାଖରୁ ବାହାରି ପିଲାଙ୍କୁ ଖୋଜିଥିଲେ, ସ୍ଥାନୀୟ ଲୋକଙ୍କ ସହାୟତାରେ ରାତି ପ୍ରାୟ ୧୨ଟା ବେଳକୁ ଫସିଥିବା ପିଲାଙ୍କ ପାଖେ ପହଞ୍ଚିଥିଲା ।

ପ୍ରାୟ ଦେଢ଼ ଘଣ୍ଟାର ଅପରେସନ ପରେ ରାତି ସାଢ଼େ ଗୋଟାଏ ବେଳକୁ ସମସ୍ତଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ତଳକୁ ଅଣାଯାଇଥିଲା । ତେବେ ଦୀର୍ଘ ସମୟ ଧରି ଘଞ୍ଚ ଜଙ୍ଗଲରେ ବର୍ଷା ରାତି ସାଙ୍ଗକୁ ବଣୁଆ ଜନ୍ତୁଙ୍କ ଭୟ, ରେସ୍କ୍ୟୁ ଟିମ୍ ପାଇଁ ବଡ଼ ଚ୍ୟାଲେଞ୍ଜପୂର୍ଣ୍ଣ ଥିଲା ବୋଲି କହିଛନ୍ତି- ଉଭୟ ଡିଏଫଓ ଏବଂ ଏସଡିପଓ ।

ଶପ୍ତଶଯ୍ୟା ଜଙ୍ଗଲରୁ ସୁରକ୍ଷିତ ଭାବେ ୫ ସାଙ୍ଗଙ୍କ ପ୍ରାଣ ବଞ୍ଚିଗଲା ସତ, ହେଲେ ଗୁଗୁଲ୍ ମ୍ୟାପର ସହାୟତା ନେଇ ଯେଭଳି ବାଟବଣା ହୋଇ ୧୧ ଘଣ୍ଟା ଫସି ରହିଲେ, ତାହା ଗୁଗୁଲ ମ୍ୟାପର ସତ୍ୟତା ଉପରେ ଅନେକ ପ୍ରଶ୍ନଚିହ୍ନ ଲଗାଇଛି ।

  • Reported by:
  • RAJASHREE SATAPATHY

OTV is now on Whatsapp

Join and get latest news update delivered to you via whatsapp

Join Now