Puri Swargadwara: ସ୍ୱର୍ଗଦ୍ୱାରରେ ଲୋଡ଼ା କି ବୈଦ୍ୟୁତିକ ଚୁଲା ? ଶବଦାହ ପାଇଁ କାଠ ବଦଳରେ ବିକଳ୍ପ ବ୍ୟବସ୍ଥା!

ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଏବଂ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ, ଦାହସଂସ୍କାର ପାଇଁ ଆସୁଛି ।

Puri Swargadwara

ପୁରୀ ସ୍ୱର୍ଗଦ୍ୱାରରେ ଆବଶ୍ୟକ କି ବୈଦ୍ୟୁତିକ ଚୁଲା ? କାରଣ ସ୍ୱର୍ଗଦ୍ୱାରରେ ଏବେ ଗୋଟିଏ ପଟେ ଦୈନିକ ଶବଦାହ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ଝାଉଁ କାଠର ଘୋର ଅଭାବ ଦେଖାଦେଇଛି । ଏପରିସ୍ଥଳେ ପରିବେଶବିତ୍ ଓ ସଚେତନ ନାଗରିକ ବୈଦ୍ୟୁତିକ ଚୁଲା ବ୍ୟବହାର ସପକ୍ଷରେ ମତ ଦେଇଛନ୍ତି । ଯାହାକୁ ପୁରୀ ଜିଲ୍ଲା ପ୍ରଶାସନ ମଧ୍ୟ ଗୁରୁତର ସହ ନେଇଥିବା ବେଳେ ଏ ନେଇ ବିଭିନ୍ନ ବର୍ଗର ମତାମତ ଲୋଡ଼ିଛି । ସ୍ୱର୍ଗଦ୍ୱାରରେ ଶବସଂସ୍କାର ପାଇଁ ଆବଶ୍ୟକ ଝାଉଁ କାଠର ଘୋର ଅଭାବ ଭିତରେ ପରିବେଶବିତ, ପୁରୀ ବାସିନ୍ଦା ଓ ଜିଲ୍ଲା ପ୍ରଶାସନ ପାଇଁ ସୃଷ୍ଟି ହୋଇଛି ଏକ ବଡ଼ ଆହ୍ୱାନ ।

ସ୍ୱର୍ଗଦ୍ୱାରରେ ଶବଦାହ କରିବା ଅନେକଙ୍କ ଧାର୍ମିକ ଭାବନା ଓ ବିଶ୍ୱାସ ସହ ଜଡ଼ିତ ଥିବା ଏବଂ ଏଠାରେ ଶବ ସଂସ୍କାର ପାଇଁ ସରକାରଙ୍କ ପକ୍ଷରୁ ସୁବ୍ୟବସ୍ଥା ଥିବାରୁ ଏବେ ଦୈନିକ ପାଖାପାଖି ୧୦୦ଟି ମୃତଦେହ, ଦାହସଂସ୍କାର ପାଇଁ ଆସୁଛି । ଜଣକା ୨ କୁଇଣ୍ଟାଲ କାଠର ଆବଶ୍ୟକତା ଥିବାରୁ ବର୍ଷକୁ ଏ ବାବଦରେ ପ୍ରାୟ ୭୨ ହଜାର କୁଇଣ୍ଟାଲ କାଠ ଦରକାର ।

ଅଧିକ ପଢ଼ନ୍ତୁ: ଚିନ୍ତା ବଢ଼ାଇଛି ଜଟଣୀ ନିଆଁ, କାହିଁକି ଘଟୁଛି ବାରମ୍ବାର ଅଗ୍ନିକାଣ୍ଡ

ଏପରିସ୍ଥଳେ ବନ ବିଭାଗ ପକ୍ଷରୁ ଅସ୍ତରଙ୍ଗ ଜଙ୍ଗଲରୁ ପୁରୀ ସ୍ୱର୍ଗଦ୍ୱାରକୁ ଯୋଗାଇ ଦିଆଯାଉଥିବା ଝାଉଁ କାଠର ଉତ୍କଟ ଅଭାବ ପରିଲକ୍ଷିତ ହୋଇଛି । ତେଣୁ ପରିବେଶକୁ ଦୃଷ୍ଟିରେ ରଖି କାଠ ସହ ଶବଦାହ ପାଇଁ ବୈଦ୍ୟୁତିକ ଚୁଲାର ଆବଶ୍ୟକତା ମଧ୍ୟ ଜରୁରୀ ବୋଲି ମତ ରଖିଛନ୍ତି ପରିବେଶବିତ ଓ ପୁରୀ ବାସିନ୍ଦା । ହିନ୍ଦୁ ଧର୍ମରେ ଶବଦାହ ବେଳେ ଶବକୁ କେବଳ ଜଳାଯିବା ଏବଂ ଶବଦାହ ପରେ ଶ୍ମଶାନରୁ ଅସ୍ଥି ସଂଗ୍ରହ କରାଯିବାର ପରମ୍ପରା ମଧ୍ୟ ରହିଛି ।

ସେ ଦୃଷ୍ଟିରୁ ଶବକୁ କେବଳ କାଠରେ ପୋଡାଯିବାର ବିଧି ହିଁ ଶାସ୍ତ୍ର ସମ୍ମତ ବୋଲି ସଂସ୍କୃତି ବିଶେଷଜ୍ଞଙ୍କ ମତ । ଏପରିସ୍ଥଳରେ କାଠର ଅଭାବ, ପରିବେଶ ସୁରକ୍ଷା ଏବଂ ପୁରୀ ସ୍ୱର୍ଗଦ୍ୱାରକୁ ଦୈନିକ ଶବ ସଂଖ୍ୟା ବୃଦ୍ଧି ଭଳି ସ୍ଥିତିକୁ ଦେଖି ବୈଦ୍ୟୁତିକ ଚୁଲା ଭଳି ବିକଳ୍ପ ବ୍ୟବସ୍ଥା ସମ୍ପର୍କରେ ବିଭିନ୍ନ ଗୋଷ୍ଠୀର ମତାମତ ଲୋଡ଼ା ଯାଇଥିବା କହିଛନ୍ତି ପୁରୀ ଜିଲ୍ଲାପାଳ ।

ଏହା ପୂର୍ବରୁ ପରିବେଶ ରକ୍ଷା, ଶବଦାହ ପାଇଁ ଖର୍ଚ୍ଚ କମ୍ ଏବଂ ଗୋସଂପଦର ସୁରକ୍ଷା ଦୃଷ୍ଟିରୁ ପୁରୀ ସ୍ୱର୍ଗଦ୍ୱାରରେ ଗୋବର ଘସିରେ ଶବ ଦାହ ଲାଗି ଯୋଜନା କରାଯାଉଥିବା ସୂଚନା ଦେଇଥିଲେ ପ୍ରାଣୀସଂପଦ ମନ୍ତ୍ରୀ ।

ଅଧିକ ପଢ଼ନ୍ତୁ: ନାଚୁଛି କଟକ, ଦୁଲୁକୁଛି ବାଲିଯାତ୍ରା ପଡ଼ିଆ; ମହାନଦୀରେ ଜଳକ୍ରୀଡ଼ାର ମଜା ନିଆରା