୨୦ ଦିନ ନାକେଦମ କରିବା ପରେ କାବୁ ହେଲା ମରାଠା ବାଘୁଣୀ ଜିନତ୍ । ପଶ୍ଚିମବଙ୍ଗ ବାଙ୍କୁରା ଜଙ୍ଗଲରେ ଟ୍ରାଙ୍କୁଲାଇଜ ହେଲା । ସ୍ୱତନ୍ତ୍ର ଯାନରେ ଏବେ ଶିମିଳିପାଳ ଫେରାଇ ଆଣିବାକୁ ଆରମ୍ଭ ହୋଇଛି ପ୍ରକ୍ରିୟା । ତେବେ ଶିମିଳିପାଳ ଫେରିବା ପରେ ଜିନତ୍ର ସ୍ୱଭାବ ଯେ ବଦଳିଯିବ, ତାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ।
ଯନ୍ତାରେ ଜିନତ୍ .. ୨୦ ଦିନର ଛକାପଞ୍ଝା ପରେ କାବୁରେ ଆସିଲା । ଟ୍ରାଙ୍କୁଲାଇଜ ହେଲା ମରାଠା ବାଘୁଣୀ । ପଶ୍ଚିମବଙ୍ଗ ବାଙ୍କୁରା ଜଙ୍ଗଲ ନିକଟସ୍ଥ ଏକ ଡ୍ୟାମ ନିକଟରେ ରବିବାର ଅପରାହ୍ଣରେ ତରୁଣୀ ଜିନତକୁ ଟ୍ରାଙ୍କୁଲାଇଜ୍ କରିବାରେ ସଫଳ ହୋଇଛି ବନବିଭାଗ । ଅଚେତ ଅବସ୍ଥାରେ ପଡ଼ିରହିଛି ଜିନତ୍ ।
Also Read
ଚେତାଶୂନ୍ୟ ହେବା ପରେ ତା’ ମୁହଁକୁ ଘୋଡ଼ା ଯାଉଛି । ତା’ ପରେ ଦୋଳା ଜରିଆରେ ଅଣାଯାଇ ଯନ୍ତାରେ ପୂରାଯାଉଛି । ଏହାପରେ ଓଡ଼ିଶା ବନ ବିଭାଗ ପକ୍ଷରୁ ଥିବା ସ୍ୱତନ୍ତ୍ର ଗାଡ଼ିରେ ରଖାଯାଇଛି । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଏବେ ସମ୍ପୂର୍ଣ୍ଣ ସୁସ୍ଥ ରହିଛି ବାଘୁଣୀ ଜିନତ୍ । ତଥାପି ଆଲିପୁର ଚିଡ଼ିଆଖାନା ନେଇ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ।
ଅଧିକ ପଢ଼ନ୍ତୁ: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଜନସମାଗମ, ବର୍ଷ ଶେଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼
ତେବେ ଆନ୍ତରାଜ୍ୟ ସ୍ଥାନାନ୍ତର ହେବାକୁ ଥିବାରୁ କାଗଜପତ୍ର କାମ ସରିବା ପରେ ତୁରନ୍ତ ଶିମିଳିପାଳ ଫେରାଇ ଅଣାଯିବ । ଏବେ ପ୍ରଶ୍ନ, ଶିମିଳିପାଳ ଫେରିବା ପରେ ସେଇଠି ରହିବ ତ ଜିନତ୍? ନା ଏଥର ଭଳି ପୁଣି ରାଜ୍ୟରୁ ରାଜ୍ୟକୁ ଘୁରି ବୁଲିବ? ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ କହିବା କଥା, ସେ ପୁଣିଥରେ ଯେ ଏହା ନ ଦୋହରାଇବ, ତାହା କହିବା ମୁସ୍କିଲ ।
କାରଣ ମହାରାଷ୍ଟ୍ର ତଡ଼ବା ଅନ୍ଧେରୀ ଅଭୟାରଣ୍ୟର ୩ ବର୍ଷର ନିଜର ପୁରୁଣା ସ୍ମୃତିକୁ ଭୁଲି ନଥିବ ଜିନତ୍ । ହୁଏତ ଏବେ ଶିମିଳିପାଳର ସଫ୍ଟ ଏନ୍କ୍ଲୋଜରରୁ ବାହାରିବା ପରେ ସେ ପୁଣିଥରେ ପୁରୁଣା ବାସସ୍ଥାନ ଖୋଜିପାରେ । ୨୦ ଦିନ ଧରି ୩ ରାଜ୍ୟକୁ ନାକେଦମ୍ କରିଥିବା ତରୁଣୀ ଜିନତ୍କୁ ଶିମିଳିପାଳରେ ଧରି ରଖିବାକୁ ଓଡ଼ିଶା ବନ ବିଭାଗ ଏବେ କି ରଣନୀତି ଆପଣାଉଛି, ତାହା ଉପରେ ସମସ୍ତଙ୍କ ନଜର ।