ବାଃ ବାଃରେ ଆମ ବ୍ୟବସ୍ଥା ! ସଧବା ପାଉଛି ବିଧବା ଭତ୍ତା

ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ୧୪ ଜଣ ଭତ୍ତା ନେଇଥିବା ବେଳେ ଜଣେ ସଧବା ମଧ୍ୟ ବିଧବା ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

Old Age Pension

ସଧବା ପାଉଛି ବିଧବା ଭତ୍ତା । ଆଉ ବୟସ ନ ହୋଇ କି ବି ଲୋକେ ପାଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା । ହଁ ଆଜ୍ଞା ଚଞ୍ଚକତାର ସବୁ ସୀମା ଲଙ୍ଘନ କରି ଅଯୋଗ୍ୟ ହିତାଧିକାରୀ ହାତାଉଛନ୍ତି ସରକାରୀ ଭତ୍ତା । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ ଇଚ୍ଛାପୁର ପଞ୍ଚାୟତରେ । ଏଠାରେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇ ୧୪ ଜଣ ଭତ୍ତା ନେଇଥିବା ବେଳେ ଜଣେ ସଧବା ମଧ୍ୟ ବିଧବା ଭତ୍ତା ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଭତ୍ତାରୁ ବଞ୍ଚିତ ଗ୍ରାମବାସୀ ।

ବାଲିକୁଦା ବ୍ଲକ୍‌ର ୩୦ ପଂଚାୟତରେ ଗତ ଫେବ୍ରୁୟାରୀରେ ପ୍ରାୟ ୨ ହଜାର ଜଣଙ୍କୁ ଭିନ୍ନକ୍ଷମ ଭତ୍ତା ସହ ଅନ୍ୟାନ୍ୟ ଭତ୍ତା ମଞ୍ଜୁର କରାଯାଇଥିଲା । ଭତ୍ତା ଜାଲିଆତି ନେଇ ଅଭିଯୋଗ ପରେ ବ୍ଳକ୍‌ ସ୍ତରରେ ଏକ ୫ ଜଣିଆ କମିଟି ଏହି ଘଟଣାର ତଦନ୍ତ କରିଥିଲେ । ତଦନ୍ତ ବେଳେ ମୋଟ ୧୪ ଜଣ ହିତାଧିକାରୀ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ଦେଇଥିବା ଜଣାପଡିଥିଲା । ସେତେବେଳକୁ ସେମାନେ ୩ ମାସର ଭତ୍ତା ପାଇ ସାରିଥିଲେ । ଘଟଣାର ତନାଘନା ଚାଲିବା ପରେ ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କୁ ନୋଟିସ କରାଯାଇଥିଲା ଏବଂ ସେମାନେ ମଧ୍ୟ ଟଙ୍କା ଫେରସ୍ତ କରି ସାରିଛନ୍ତି ।

ଦେଖନ୍ତୁ ଭିଡିଓ | ବାଃ ବାଃ ସରକାର ! ପୁଳାପୁଳା ଯୋଜନା, କଣଠେସା ଗରଡ଼ାପାଣି ଗାଁ

ସେହିପରି ବାଲିକୁଦା କଲେଜରେ ଚାକିରୀ କରୁଥିବା ଜଣେ ବ୍ୟକ୍ତି ଜୀବିତ ଥିବାବେଳେ ତାଙ୍କ ପତ୍ନୀଙ୍କ ନାମ ବିଧବା ଭତ୍ତା ତାଲିକାରେ ରହିଥିବା ଜଣାପଡ଼ିଥିଲା । ତେବେ ସେ ଭତ୍ତା ନେଇନଥିବା ବେଳେ ସମସ୍ତ ଅଯୋଗ୍ୟ ହିତାଧିକାରୀଙ୍କ ନାମ ଭତ୍ତା ତାଲିକାରୁ କାଟିବାକୁ ପଦକ୍ଷେପ ନିଆଯାଇଥିବା ବ୍ଲକ୍ ପ୍ରଶାସନ ତରଫରୁ ସୂଚନା ମିଳିଛି । ଏପରିକି ପଞ୍ଚାୟତର ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ସ୍ୱାଇଁ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି । ଅନ୍ୟପଟେ ଜାଲ୍ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରସ୍ତୁତି ପଛରେ କାହାର ହାତ ଅଛି ତା’ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଳାପାଳ । ପ୍ରଶାସନର ଖାମଖିଆଲି ନୀତି ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ମିଳିପାରୁନି ଭତ୍ତା ।

ଅଧିକ ପଢନ୍ତୁ : ବାଃ ବାଃରେ ସରକାର; ଶୁଣିଲାନି ପ୍ରଶାସନ, ଚାନ୍ଦାମାଗି କଲେ ରାସ୍ତା