• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prasan Subudhi

ଆଧୁନିକ ବିକାଶର ଚିତ୍ରରେ ବିକୃତି ହେଉଛି ପ୍ରକୃତି । ଓଲଟ ପାଲଟ ପରିବେଶ । ଜଂଗଲୀ ଜନ୍ତୁ ସହର ମୁହାଁ ହେଉଥିବା ବେଳେ, ସହରୀ ଲୋକ ଖୋଜୁଛି ଜଂଗଲ । କିନ୍ତୁ ବିକାଶ ନାଁରେ ଚାରିଆଡେ କଂକ୍ରୀଟ ଜଂଗଲ । ତେଣୁ ଜଂଗଲ ଜନ୍ତୁଙ୍କ ପାଇଁ ପରିପନ୍ଥି ହୋଇଛି ପରିବେଶ । ଭୋଗୁଛି ମଣିଷ ! ଗାଁ ମଝିରେ ହାତୀଙ୍କ ତାଣ୍ଡବ । ସହର ଉପକଣ୍ଠରେ କ୍ୟାମ୍ପ କରୁଛନ୍ତି ହାତୀପଲ । ସୋଜନ୍ୟତା ଦେଖାଉଛି ଜଂଗଲ ବିଭାଗ । ମୁହାଁମୁହିଁ ହାତୀ ମଣିଷ । କେତେବେଳେ ଜୀବନ ଯାଉଛି ତ କେତେବେଳେ ସଂପତ୍ତି ନଷ୍ଟ ହେଉଛି । ବଲାଙ୍ଗିରରୁ ଆମର ସ୍ପେସାଲ ରିପୋର୍ଟ ।

ହାତୀ ଉତ୍ପାତରେ ହନ୍ତସନ୍ତ ଗାଁ ଲୋକଙ୍କ ପ୍ରତିକ୍ରିୟା ଶୁଣିଲେ ଯେକେହି ଭୟଭୀତ ହେବ। ଦିନେ କି ଦି ଦିନ ନୁହେଁ, ଚାରିମାସ ଧରି ଗାଁ ଆଖପାଖରେ କ୍ୟାମ୍ପ ପକାଇଛନ୍ତି ହାତୀପଲ । ଘର ଦ୍ବାର ବିଲବାଡି, ସବୁକିଛି ଦଳି ଦେଲେଣି । ଏବେତ ଗାଁର ଜଣକୁ ମାଡି ଦଳିଦେଲା ହାତୀ । ପେଟ ପୋଷିବା ପାଇଁ ଅସ୍ଥାୟୀ ଭାବରେ ଜଂଗଲ ବିଭାଗରେ କାମ କରୁଥିଲେ ମୃତ ଓମକାରୀ ବାଗ । ଗାଁ ମୁଣ୍ଡ ଜଂଗଲରେ ହାତୀଙ୍କ କ୍ୟାମ୍ପ ପଡିଛି । ଦିନେ କି ଦୁଇ ଦିନ ନୁହେଁ, ଚାରିମାସ ଧରି ଗଜଙ୍କ ଆତଯାତ ଲାଗିରହିଛି ।

କିଛିଦିନ ପୂର୍ବରୁ ହାତୀ ଘଉଡାଇବା ପାଇଁ ଯାଇଥିବା ଗଜସାଥୀ ଓମକାରୀ ବାଗଙ୍କୁ ଦଳିଦେଲା ହାତୀ । କ୍ଷତିପୂରଣ ଦାବୀରେ ରାସ୍ତାରୋକ କଲେ ଗାଁ ଲୋକେ । ଗାଁ ଲୋକଙ୍କ ଅଭିଯୋଗ, ଚାରିମାସ ଧରି ହାତୀପଲ ମୁରିବାହାଲ ଜଂଗଲ ତିଖାରୀ ଜଂଗଲରେ ଡେରା ପକାଇ, ଆଖପାଖ ଗାଁର ଘରଦ୍ବାର ସବୁ ଭାଙ୍ଗିଦେଉଥିବା ବେଳେ, ଚୁପ୍ ବସିଛି ବନବିଭାଗ । କେବଳ ନିରସ୍ତ୍ର ଗଜସାଥୀଙ୍କୁ ଦନ୍ତା ମୁହଁକୁ ଠେଲିଦେଇ, ଚୁପଚାପ ବସିରହୁଛନ୍ତି ରେଂଜର ଓ ଅନ୍ୟାନ୍ୟ ଅଧିକାରୀ । କିନ୍ତୁ ରେଜଂରଙ୍କ ପ୍ରତିକ୍ରିୟା, ହାତୀ ଘଉଡାଇବା ପାଇଁ ମିଳିତ ଉଦ୍ୟମ ହେଉଛି । 

ଗତ ପାଂଚ ବର୍ଷ ଭିତରେ ହାତୀ ମଣିଷ ଲଢ଼େଇରେ ପାଂଚଟି ଜୀବନ ଯାଇଛି । ତିନୋଟି ଦନ୍ତାଙ୍କ ମୃତ୍ୟୁ ହୋଇଥିବା ବେଳେ, ଦୁଇଜଣ ଗଜସାଥୀଙ୍କୁ ଦଳିଦେଇଛି ହାତୀ । ବନବିଭାଗ କାର୍ଯ୍ୟାଳୟରେ ଥିବା କଂପ୍ୟୁଟର ମନିଟରକୁ ଦେଖିଲେ ସବୁକଥା ବୁଝାପଡ଼ିଯିବ। ବଲାଙ୍ଗିର ବନବିଭାଗର ବିଭିନ୍ନ ଜଂଗଲରେ ହାତୀର ଗତିପଥକୁ ଜି.ପି.ଏସ ଜରିଆରେ ଠାବ କରୁଛନ୍ତି ବନକର୍ମଚାରୀ । ଜନବସତିକୁ ମାଡି ଆସିଲେ, ସ୍ଥାନୀୟ ଅଧିକାରୀ, କର୍ମଚାରୀ ଓ ଗଜସାଥୀଙ୍କୁ ଖବର ଦିଆଯାଉଛି । କିନ୍ତୁ ବନ ଅଧିକାରୀଙ୍କ କହିବା କଥା, କେବଳ ଫଲସ ଫାଏରିଂ ଗନ ଛଡା, ଆଉ କୌଣସି ସାଧନ ନାହିଁ ।

ବାସ୍, ପାଟିତୁଣ୍ଡ କରି ଘଉଡାଇବାକୁ ଚେଷ୍ଟା କରାଯାଉଛି । କିନ୍ତୁ ନିରସ୍ତ୍ର ଗଜସାଥୀଙ୍କୁ ସାମ୍ନାରେ ରଖାଯାଉଥିବାରୁ, ସବୁବେଳେ ଗଜସାଥୀଙ୍କ ଜୀବନ ଯାଉଛି । କିନ୍ତୁ ବିଡ଼ମ୍ବନା ଗଜସାଥୀଙ୍କ ପରିବାର ପାଇଁ ଥଇଥାନର ବ୍ୟବସ୍ଥା ନାହିଁ । କେବଳ ୬ ଲକ୍ଷ ଟଙ୍କା ଅନୁକଂପା ଦେଇ କାମ ତୁଟାଇ ଦେଉଛି ବନ ବିଭାଗ । ଏଭଳି ସ୍ଥିତିରେ ଜଂଗଲି ହାତୀକୁ ନେଇ, ଗାଁ ଗାଁରେ ଅସନ୍ତୋଷର ବାତାବରଣ ଦେଖିବାକୁ ମିଳୁଛି ।

ବଲାଙ୍ଗିର ଏସିଏପ୍ ମାନସରଂଜନ ବେହେରାଙ୍କ କହିବା କଥା, ବିଭାଗ ଏ ଦିଗରେ କାର୍ଯ୍ୟ କରୁଛି। କିନ୍ତୁ ଯେତେ ତାଲିମ ଦେଲେ ବି ଦୁର୍ଘଟଣା ଘଟିବ ନାହିଁ ବୋଲି କହିହବନି। ତେବେ ଗଜସାଥୀଙ୍କ ମୃତ୍ୟୁ ଘଟଣାକୁ ସେ ଅଭାବନୀୟ ବୋଲି କହିବା ସହ ଏ ଦିଗରେ ଅଧିକ ଯତ୍ନବାନ ହେବେ ବୋଲି କହିଛନ୍ତି।

 

  • Reported by:
  • MANARANJAN JOSHI , Antim Panigrahi

OTV is now on Whatsapp

Join and get latest news update delivered to you via whatsapp

Join Now