Elephant Calf Dies: ବିସ୍ଫୋରଣରେ ଛିଡ଼ି ଯାଇଥିଲା ପାଟି, ଭୋଗୁଥିଲା ଯନ୍ତ୍ରଣା! ହେଲେ ହାରିଗଲା ..

୧୨ ଦିନ ତଳେ ନବରଙ୍ଗପୁର ସୀମାନ୍ତ ପଡ଼ୋଶୀ ଛତିଶଗଡ଼ ଜଙ୍ଗଲରୁ ପଘାରପାଣି ଜଙ୍ଗଲକୁ ପଶି ଆସିଥିଲା ୬ ବର୍ଷର ହାତୀଛୁଆଟି ।

Elephant Calf Dies

ଶିକାରୀ ଖଞ୍ଜିଥିବା ବିସ୍ଫୋରକ ଫାଟି ହାତୀ ପାଟିରେ ଲାଗିଥିଲା ଗଭୀର ଆଘାତ । ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଆଖି ବୁଜିଲା ହାତୀ ଶାବକ । ଛତିଶଗଡ଼ ଗରିଆବନ୍ଧ ରାଜାପୋଡାଓ ଜଙ୍ଗଲରେ ଘଟିଛି ଏ ଅଭାବନୀୟ ଘଟଣା । ଚିକିତ୍ସାଧିନ ଅବସ୍ଥାରେ ଛୁଆହାତୀଟିର ମୃତ୍ୟୁ ଘଟିଛି । ଛତିଶଗଡ଼ ବନବିଭାଗ ହାତୀର ମରଶରୀରକୁ ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି l

ସୂଚନା ଅନୁଯାଯୀ, ୧୨ ଦିନ ତଳେ ନବରଙ୍ଗପୁର ଜିଲ୍ଲା ସୀମାନ୍ତବର୍ତ୍ତୀ ପଡ଼ୋଶୀ ଛତିଶଗଡ଼ର ପଘାରପାଣି ଜଙ୍ଗଲକୁ ପଶି ଆସିଥିଲା ୬ ବର୍ଷର ହାତୀଛୁଆଟି । ତେବେ ଶିକାରୀଙ୍କ ଦ୍ୱାରା ଜଙ୍ଗଲରେ ଲଗା ଯାଇଥିବା ବିସ୍ଫୋରକ ଫାଟି ହାତୀ ଶାବକର ପାଟିରେ ଆଘାତ ଲାଗିଥିଲା l ଫଳରେ ସେ କିଛି ଖାଇ ପାରୁନଥିଲା । ପାଣି ସନ୍ଧାନରେ ଏଣେ ତେଣେ ଜଂଗଲରେ ବୁଲିବା ବେଳେ ହାତୀ ଛୁଆଟି ହାତୀ ପଲଠାରୁ ଦୂରେଇ ଯାଇଥିଲା ।

ଅଧିକ ପଢ଼ନ୍ତୁ: ଚାଷୀଙ୍କ ଖାତାକୁ ଗଲା ଇନପୁଟ୍ ସହାୟତା, ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଖାଦ୍ୟ ଖାଇ ନପାରି ଛୁଆହାତୀଟି ଦୁର୍ବଳ ହୋଇ ପଡ଼ିଥିଲା । ଛତିଶଗଡ଼ ବନ କର୍ମଚାରୀ ଡ୍ରୋନ୍ ଦ୍ୱାରା ହାତୀ ଶାବକର ସନ୍ଧାନ ପାଇବା ପରେ ପଘାରପାଣି ଜଙ୍ଗଲରେ ପହଞ୍ଚି ହାତୀଛୁଆକୁ ଟ୍ରାଙ୍କୁଲାଇଜ କରିବା ସହ ଚିକିତ୍ସା ଆରମ୍ଭ କରିଥିଲେ । ଛତିଶଗଡ଼ ଏବଂ ଓଡ଼ିଶା ବନ ବିଭାଗ ପକ୍ଷରୁ ହାତୀ ଛୁଆର ଚିକିତ୍ସା କରାଯାଉଥିଲା ।

ସେପଟେ ରାଜ୍ୟରେ ବଢୁଛି ହାତୀ-ମଣିଷ ଲଢେଇ । ଗତ ତିନି ବର୍ଷରେ ହାତୀ ଆକ୍ରମଣରେ ଯାଇଛି ୬୬୮ ଜୀବନ, ୫୦୯ ଜଣ ଲୋକ ଆହତ ହୋଇଛନ୍ତି । ବିଧାନସଭାରେ ଏନେଇ ତଥ୍ୟ ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଗଣେଶ ରାମ । ସେହିପରି ରାଜ୍ୟରେ ହାତୀ ଉପଦ୍ରବ ବି ବଢିଥିବା କହିଛନ୍ତି ମନ୍ତ୍ରୀ ।

୩ ବର୍ଷରେ ହାତୀପଲ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ, ୧୦ ହଜାର ୨୫୯ଟି ଘର ଭାଙ୍ଗିଥିବା ମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଗତ ୫ ମାସରେ ରାଜ୍ୟରେ ୪୦ ହାତୀଙ୍କର ମୃତ୍ୟୁ ଘଟିଛି । ସେହିପରି ୫ଟି କଲରାପତରିଆ ବାଘ ଓ ୨୦୦ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ମୃତ୍ୟୁ ହୋଇଥିବା ମନ୍ତ୍ରୀ କହିଛନ୍ତି । ସେପଟେ କେବଳ କେନ୍ଦ୍ରାପଡ଼ାରେ ଗତ ୫ ବର୍ଷରେ ୨୨ଜଣଙ୍କୁ ଖାଇ ସାରିଲାଣି କୁମ୍ଭୀର । ବିଶେଷକରି ବ୍ରାହ୍ମଣୀ, ବୈତରଣୀ ଓ ଖରସ୍ରୋତାରେ କୁମ୍ଭୀର ଆକ୍ରମଣର ସଂଖ୍ୟା ଅଧିକ । ବର୍ଷାଋତୁରେ ଜଳସ୍ତର ବୃଦ୍ଧି ହେଲେ ନଦୀରେ କୁମ୍ଭୀରଙ୍କ ପ୍ରାଦୁର୍ଭାବ ବଢିଥାଏ ବୋଲି ମନ୍ତ୍ରୀ ପ୍ରଶ୍ନୋତ୍ତରରେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଚଢାଉକୁ ଜୋରଦାର୍ କରି ସିବିଆଇର ଖୋଳତାଡ, ବାହାରିବ ଟେଣ୍ଡର ଫିକ୍ସିଂର ସତ !