• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଡିବିରି ଓ ଲଣ୍ଠନ ଆଲୁଅରେ ଏବେ ବି କଟୁଛି ଦିନ । ସଞ୍ଜ ହେଲେ ପିଲାଏ ସେଇଠି ପାଠ ପଢ଼ୁଛନ୍ତି । ସେଇ ଅନ୍ଧାର ଝାପସା ଆଲୁଅରେ ଚାଲିଛି ସବୁ କାମ । ଆଉ ଖରା ଦିନ କଥା ନ କହିଲେ ଭଲ । ଗରମ ହେଉଥିବାରୁ ବିଞ୍ଚଣା ଧରି ପିଲାଙ୍କୁ ବିଞ୍ଚି ଦେଉଛନ୍ତି ଘର ଲୋକେ । ବିଜୁଳି ସଂଯୋଗ ବିନା ଅଣ ନିଶ୍ୱାସୀ, ଦହଗଞ୍ଜ ହୋଇପଡ଼ିଛି ଜୀବନ । ଏ ବିଜୁଳି ଦୁର୍ଦ୍ଦଶାର କାହାଣୀ ହେଉଛି ଭଦ୍ରକ ନୂଆଗାଁ ପଞ୍ଚାୟତର ବିଶ୍ଵନାଥପୁର ଗାଁର ।

୨୦୧୫ ମସିହାରୁ ଦୀର୍ଘ ବର୍ଷ ହେଲା ବିଜୁଳି ବିଭାଗକୁ ବହୁବାର ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପ୍ରଶାସନ ଶୁଣୁଛନ୍ତି ନାଁ ବିଜୁଳି ବିଭାଗ ଶୁଣୁଛନ୍ତି । ଗୋଟିଏ ପରେ ଗୋଟିଏ ବିଜୁଳି ବିତରଣ କମ୍ପାନୀ ବଦଳି ଯାଉଛି କିନ୍ତୁ ବଦଳିବାର ନାଁ ଧରୁନି ଲୋକଙ୍କ ଦୁର୍ଦ୍ଦଶା । ଏଥିପାଇଁ ବହୁବାର ଦରଖାସ୍ତ ଦିଆଗଲାଣି । କିନ୍ତୁ ଦୂର ହେଉନାହିଁ ଅଞ୍ଚଳବାସୀ ଦୁଃଖ । ଯାହାକୁ ନେଇ ଶେଷରେ ନିରାଶ ହୋଇ ପଡିଛନ୍ତି ଲୋକେ ।

୨୦୧୫ ମସିହାରେ ନୂଆଗାଁ ପଞ୍ଚାୟତର ଜନ୍ତୁଆଲି ଗାଁରେ ବସବାସ କରୁଥିବା କେତେକ ପରିବାର ବିଶ୍ଵନାଥପୁର ଗାଁକୁ ଉଠି ଆସିଥିଲେ। ହେଲେ ଦୀର୍ଘ ବର୍ଷ ଧରି ଅଭିଯୋଗ କରିଥିଲେ ବି ପ୍ରଶାସନର ଦୃଷ୍ଟିଗୋଚର ହୋଇପାରିନାହିଁ । ରାତି ହେଲେ ଅନ୍ଧକାର ପାଇଁ ଗାଁରେ ପଡ଼ିଯାଏ ତାଟି କବାଟ । ପିଲାମାନେ ପାଠ ପଢ଼ିବାକୁ ଆଲୋକ ଚାହିଁଲେ ମଧ୍ୟ ଡିବିରି, ଲଣ୍ଠନ ଆଲୁଅ ପାଲଟେ ସାହା ଭରସା । ଦିନରେ ଖରା ଗରମରେ ଡହଳ ବିକଳ ହେଉଥିବା ବେଳେ ରାତି ହେଲେ ବିଷାକ୍ତ ସାପଙ୍କ ଭୟ ଦେଖାଯାଏ ।

ବହୁ ସମୟରେ ନିର୍ବାଚନ ବେଳେ ନେତା ମନ୍ତ୍ରୀ ଆସି ପ୍ରତିଶ୍ରୁତି ନେଇ ଯିବେ । ହେଲେ ଜିତିବା ପରେ ଦେଇ ଥିବା ପ୍ରତିଶ୍ରୁତି ସବୁ ପାଲଟୁଛି ପାଣିର ଗାର । ସେଥିପାଇଁ ଏବେ ଗାଁ ଲୋକଙ୍କ ଗୋଟିଏ ନାରା ବିଜୁଳି ନାହିଁ ତ ଭୋଟ୍ ନାହିଁ । ସନ୍ଧ୍ୟା ହେଲେ ଗାଁରେ ଘନ ଅନ୍ଧକାର ଛାଇଯାଉଥିବା ଏହି ଗାଁକୁ କେବେ ପ୍ରଶାସନର ଶୁଭ ଦୃଷ୍ଟି ପଡ଼ୁଛି ତା ଉପରେ ନଜର ।