Brain Tumor: ରୋଗ ଶଯ୍ୟାରେ ଭଉଣୀ, ଚିକିତ୍ସା ପାଇଁ କମାରଶାଳରେ ଖଟୁଛି ସାନଭାଇ

କୁନି ପୁଅଟିଏ, ବଡ଼ ଭଉଣୀର ଦୁଃଖ ସହିପାରୁନି। ରୋଗରେ ପଡ଼ିଥିବା ଭଉଣୀର ଚିକିତ୍ସା ପାଇଁ ସେ ଏବେ କାମ କରିବାକୁ ଆଗେଇ ଆସିଛି। ଯେଉଁ ବୟସରେ ସେ ହାତରେ ବହିବସ୍ତାନୀ ଧରି ସ୍କୁଲ ଯିବା କଥା, ସେହି ସମୟରେ କଅଁଳ ହାତରେ ସେ କମାରଶାଳରେ ଲୁହା ପିଟୁଛି। ପୂରା କନ୍ଧମାଳର ବାଲିଗୁଡ଼ାରୁ ପଢ଼ନ୍ତୁ ଅଜିତ ନାୟକଙ୍କର ଏହି ହୃଦୟସ୍ପର୍ଶୀ ରିପୋର୍ଟ।

Brain tumor

ଅଭାବି ଘରକୁ ଯଦି ରୋଗ ବଇରାଗ ମାଡ଼ିଆସେ ତେବେ ଦୁଃଖ ବଢ଼ିଯାଏ। କଥାଟି 'ବୋଝ ଉପରେ ନଳିତା ବିଡ଼ା' ପରି ହୁଏ। କାରଣ ଅଭାବି ପରିବାରଟି, ଏପଟେ ପେଟ ପାଇଁ ଚିନ୍ତାରେ ରୁହେ, ସେପଟେ ଜୀବନ ପାଇଁ ଲଢ଼େଇ କରେ। ଏଭଳି ଏକ କରୁଣ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ। ସେପଟେ ରୋଗରେ ପଡ଼ିଛି ବଡ଼ ଭଉଣୀ, ଆଉ ଏପଟେ ଭଉଣୀର ଚିକିତ୍ସା ପାଇଁ ଖଟୁଛି ସାନଭାଇ। କାରଣ ଭଉଣୀର କଷ୍ଟକୁ ସହିପାରୁନି କୁନି ଭାଇଟି। ପୂରା ଘଟଣା ଜାଣିଲେ ଆପଣଙ୍କ ଆଖିକୁ ଲୁହ ଆସିଯିବ।

ଝିଅକୁ ବ୍ରେନ ଟ୍ୟୁମର। ଚିକିତ୍ସା ଲାଗି ପାଖରେ ପଇସାଟିଏ ନାହିଁ । ଅଭାବୀ ପରିବାରର ଭିଡ ଭିତରେ ବାପା ମାଆ ପୁରା ଅଣନିଃଶ୍ୱାସୀ ହୋଇପଡିଛନ୍ତି। କେମିତି ଝିଅର ଚିକିତ୍ସା ହେବ, ସେଇ ଚିନ୍ତାରେ ରହିଛନ୍ତି। ଘରେ ଯାହାସବୁ ଥିଲା, ଗାଈଗୋରୁ ଓ ଛେଳି, ତାକୁ ସବୁ ବିକ୍ରିବଟା ମଧ୍ୟ ସରିଲାଣି। ଚିକିତ୍ସା ଲାଗି ପଇସା ନଥିବାରୁ ରୋଗୀଣା ଝିଅକୁ ନେଇ ମେଡିକାଲରୁ ଘରକୁ ଫେରି ଆସିଛନ୍ତି ବାପାମାଆ। ଆଉ ଏହାରି ଭିତରେ ଝିଅର ଜୀବନ ବଂଚାଇବା ଲାଗି ରାସ୍ତା କଡରେ ଥିବା କମାର ଶାଳରେ ସଂଘର୍ଷ କରୁଛନ୍ତି ବାପା ଆଉ ଝିଅର କୁନିଭାଇଟି।

ଯେଉଁ ହାତରେ ବହି ବସ୍ତାନୀ ଧରି ସ୍କୁଲ ଯିବା କଥା। ସେହି କଅଁଳ ହାତରେ ଏବେ ଲୁହା ପିଟୁଛି କୁନିପୁଅ। ହାତକୁ କଷ୍ଟ ଲାଗୁଥିଲେ ମଧ୍ୟ କମାର ଶାଳରେ ବାପାଙ୍କୁ ସାହାଯ୍ୟ କରୁଛି। କାହିଁକି ଅବା ନକରିବ ଯେ, ଘରେ ପରା ବଡ ଭଉଣୀ ରୋଗ ଶଯ୍ୟାରେ ପଡିରହିଛି। ହାତକୁ କିଛି ପଇସା ଆସିଲେ ସେହି ପଇସାରେ ଭଉଣୀ ଲାଗି ଔଷଧ କିଣା ହେବ ଆଉ ଘର ଚଳିବ। ଘରର ଦୟନୀୟ ପରିସ୍ଥିତି ଯୋଗୁଁ ରାସ୍ତା କଡ଼ କମାର ଶାଳରେ ବାପା ଓ କୁନିପୁଅ ନିଜ ଆଖିର ଲୁହକୁ ଚାପି ସଂଘର୍ଷ କରୁଛନ୍ତି।

ଅଧିକ ପଢନ୍ତୁ: ହୃଦୟବିଦାରକ...ପୁରି ଖାଉ ଖାଉ ଚାଲିଗଲା ଛାତ୍ରଙ୍କ ଜୀବନ

ଆଉ ଅନ୍ୟପଟେ ଘର ଭିତରେ ୧୭ ବର୍ଷର ଗେହ୍ଲୀ ଝିଅ ସୁନଫୁଲ ପ୍ରଧାନ ବର୍ତ୍ତମାନ ବ୍ରେନ୍ ଟ୍ୟୁମରରେ ଛଟପଟ ହେଉଛି। ଝିଅର ଏଭଳି ଅବସ୍ଥା ଦେଖି ବାପା ଧନେଶ୍ୱର ପ୍ରଧାନ ଓ ମାଆ ପ୍ରଣତି ପ୍ରଧାନ ଘର ଭିତରେ ଏବେ ଗୁମୁରି ଗୁମୁରି କାନ୍ଦୁଛନ୍ତି। ଝିଅର ଚିକିତ୍ସା ଲାଗି ସେମାନଙ୍କ ପାଖରେ ପଇସାଟିଏ ନାହିଁ। ଏଭଳି ପରିସ୍ଥିତିରେ ଝିଅର ବିକଳ ଦେଖି ମାଆ ପ୍ରଣତି ପ୍ରଧାନ ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି।

ଷଷ୍ଠ ଶ୍ରେଣୀରେ ପାଠ ପଢୁଥିବା ସୁନାଫୁଲ ଦୁଇବର୍ଷ ପୂର୍ବେ ବ୍ରେନ୍ ଟ୍ୟୁମର ରୋଗରେ ଆକ୍ରାନ୍ତ ହୋଇଥିଲେ ନେଇ ବାପାମାଆ ବିଭିନ୍ନ ସମୟରେ ଝିଅର ଚିକିତ୍ସା ଲାଗି ବ୍ରହ୍ମପୁର, ଭୁବନେଶ୍ୱର କଟକ ବଡ ମେଡିକାଲ ନେଇଛନ୍ତି କିନ୍ତୁ କିଛି ସୁଫଳ ମିଳିନି। କାରଣ ଡାକ୍ତର କହିଥିଲେ, ଅଧିକ ଚିକିତ୍ସା ଲାଗି ଅର୍ଥ ଆବଶ୍ୟକ। ହେଲେ ପାଖରେ କାଣି କଉଡ଼ିଟିଏ ନଥିବାରୁ ବାଧ୍ୟ ହୋଇ ଝିଅ ସୁନାଫୁଲକୁ ବାପା ମାଆ ଘରକୁ ଫେରାଇ ଆଣିଛନ୍ତି

ଝିଅକୁ ନଳୀ ସାହାଯ୍ୟରେ ଏବେ ଖାଦ୍ୟ ଦିଆଯାଉଛି ସୁନାଫୁଲକୁ ମିଶାଇ ପୁଅଝିଅଙ୍କୁ କିଭଳି ପୋଷିବେ, ସେ ନେଇ ବାପା ଧନେଶ୍ୱର ପ୍ରଧାନ ଚିନ୍ତାରେ ପଡ଼ିଛନ୍ତି ଝିଅର ଜରୁରୀ ଚିକିତ୍ସା ଏବଂ ପେଟପାଟଣା ଲାଗି, ଜନ୍ମମାଟି କେରୁବାଡିର ବାଦେପଙ୍କା ଗାଁ ଛାଡି, ଏବେ ସେ ଦାରିଙ୍ଗବାଡିରେ ଘରଭଡା ନେଇ ରହୁଛନ୍ତି

ମେଡିକାଲ କାମରେ ବାପା ମାଆ ବ୍ୟସ୍ତ ରହୁଥିବାରୁ ତାଙ୍କର ଅନ୍ୟ କୌଣସି ପୁଅଝିଅ ପାଠ ପଢି ପାରୁନାହାନ୍ତି କମାର ଶାଳରୁ ପଇସା ଆସୁନି କିମ୍ବା ରୋଗିଣା ଝିଅର ଚିକିତ୍ସା ହୋଇପାରୁନି ତେଣୁ ମୋର ମୁଣ୍ଡ କାମ କରୁନି ବୋଲି ଧନେଶ୍ୱର କହିଛନ୍ତି ଅନ୍ୟପଟେ ଏଭଳି ପରିସ୍ଥିତିରେ ପ୍ରଶାସନ ରୋଗିଣା ଝିଅକୁ ସାହାଯ୍ୟ କରିବାକୁ ଅଂଚଳବାସୀ ଦାବି କରିଛନ୍ତି

ଅଧିକ ପଢନ୍ତୁ: ବଣ୍ଡାଘାଟିରେ ଯିବେ ସରକାରୀ ଅଧିକାରୀ, ଉପମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ