• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରବାସୀ ଓଡ଼ିଆଙ୍କୁ ଘାରିଛି ରାସନକାର୍ଡ କେୱାଇସି ଅପଡେଟ୍ ଚିନ୍ତା । ରାଜ୍ୟ ବାହାରେ ପେଟପାଟଣା ପାଇଁ ଖଟୁଥିବା ଲୋକେ ଛୁଟି ନେଇ ଖର୍ଚ୍ଚାନ୍ତ ହୋଇ ଗାଁକୁ ଆସିବା ସମ୍ଭବ ହେଉ ନଥିବା ବେଳେ କିଛି ଡିଲର ସେମାନଙ୍କ ପାଖେ ପହଞ୍ଚି ଶୋଷଣ କରିବା ଆରମ୍ଭ କଲେଣି । ତେଣେ ଯୋଗାଣ ମନ୍ତ୍ରୀ କହିଛନ୍ତି- ଏ ସମସ୍ୟାର ସମାଧାନ ପାଇଁ ପ୍ରବାସୀ ଓଡ଼ିଆ ଶ୍ରମିକ ରହୁଥିବା ଦେଶର କିଛି ପ୍ରମୁଖ ସହରକୁ ସରକାର ଟିମ୍ ପଠାଇବାକୁ ବିଚାର କରୁଛନ୍ତି ।

ହେଲେ ଦେଶ ବାହାରେ ରହୁଥିବା ଶ୍ରମିକଙ୍କ ପରିବାର ଲୋକେ କିନ୍ତୁ ବେଶି ଟେନସନରେ । ରାସନକାର୍ଡ କଟି ଯିବା ଡରରେ ଚାଲିଛି ଇ-କେୱାଇସି ମେସିନରେ ନାଁ ଓ କାର୍ଡ ନମ୍ବର ସହ ମିଶା ଯାଉଛି ହିତାଧିକାରୀଙ୍କ ଟିପ ଚିହ୍ନ । ସୁଦୂର ବେଙ୍ଗାଲୁରୁ ସହରରେ କାମ କରି ପେଟ ପୋଷୁଥିବା ଭଦ୍ରକ, ବାସୁଦେବପୁର ଓ ତିହିଡ଼ି ବ୍ଲକର ବହୁ ରାସନକାର୍ଡ ହିତାଧିକାରୀଙ୍କୁ ଘାରିଛି ଟେନସନ୍ ।

କେୱାଇସି ଅପଡେଟ୍ ନହେଲେ ନାଁ କଟିଯିବ ବୋଲି ଦର୍ଶାଇ ଡିଲର ମାନେ ସେମାନଙ୍କ ପାଖରେ ପହଞ୍ଚି ଡାଟା ଅପଡେଟ୍ ତ କରୁଛନ୍ତି । ହେଲେ ତା ବଦଳରେ ଜଣକା ୪ଶହରୁ ୫ଶହ ଟଙ୍କା ଲେଖାଏଁ ନେଉଛନ୍ତି । ଯାହାର ପ୍ରମାଣ ବି ଦେଖାଇଛନ୍ତି କିଛି ହିତାଧିକାରୀ । ଯେହେତୁ ସମୟ ଅଭାବ ଓ ଖର୍ଚ୍ଚାନ୍ତ ହୋଇ ଆସିବାକୁ ପଡ଼ିବ, ତେଣୁ ସେଥିପାଇଁ ସରକାର ତୁରନ୍ତ କିଛି ଅଲଗା ପଦକ୍ଷେପ ନେବାକୁ ଦାବି କଲେଣି ।

ୟା ଭିତରେ କିଛି ପିଡିଏସ୍ ଡିଲର ନିଜ ଖର୍ଚ୍ଚରେ ବି ରାଜ୍ୟ ବାହାରକୁ ଯାଇ ହିତାଧିକାରୀଙ୍କ କେୱାଇସି ଅପଡେଟ୍ କରି ଆଣିବେ ବୋଲି କହିଲେଣି । ଭଣ୍ଡାରୀପୋଖରୀର ଡିଲର ତୁଷାର ମିଶ୍ର । ଦିଲ୍ଲୀରେ ରହୁଥିବା ତାଙ୍କ ୱାର୍ଡର ସମସ୍ତ ହିତାଧିକାରୀଙ୍କ ପାଖକୁ ଯାଇ ଆସନ୍ତା ୨୮ ତାରିଖ ସୁଦ୍ଧା କେୱାଇସି ଅପଟେଡ୍ କରି ଆସିବେ ବୋଲି କହିଛନ୍ତି ।

ଦାଦନ ଗଡ଼ ଭାବେ ପରିଚିତ ଗଂଜାମ ଜିଲ୍ଲାରୁ ବାହାରେ ଦାଦନ ଖଟୁଥିବା ପ୍ରବାସୀ ଓଡ଼ିଆ ଓ ସେମାନଙ୍କ ପରିବାରକୁ ଏବେ ବେଶୀ ଘାରିଛି ରାସନକାର୍ଡ ଇ-କେୱାସି ଅପଡେଟ୍ ଚିନ୍ତା । ସାନଖେମୁଣ୍ଡି ବ୍ଲକ ପାଟପୁରର ଲଡ଼ୁ ସ୍ୱାଇଁଙ୍କ ପରିବାର । ତାଙ୍କ ପୁଅ ଜିତେନ୍ଦ୍ର ସ୍ୱାଇଁ ଏବେ ଓମାନରେ କାମ କରୁଛନ୍ତି ।

ଏକ କମ୍ପାନୀ ସହ ଦୁଇ ବର୍ଷ ପାଇଁ ଚୁକ୍ତି କରି ଯାଇଛନ୍ତି । ତେଣୁ ବର୍ତ୍ତମାନ ସମୟରେ ସେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି E-KYC ପାଇଁ ଗାଁକୁ ଆସିବା ଆଦୌ ସମ୍ଭବ ନୁହେଁ ବୋଲି କହିଛନ୍ତି ତାଙ୍କ ବାପା-ମାଆ । ସେଇ ପାଟପୁର ଗାଁର ସୁରେନ୍ଦ୍ର ଦଳେଇଙ୍କ ପୁଅ ପ୍ରଭାକର ଦଳେଇ ବି ଦୁବାଇକୁ କିଛି ମାସ ତଳେ କାମ କରିବାକୁ ଯାଇଛନ୍ତି, ସେ କେମିତି ଆସି E-KYC ଭରିବେ ବୋଲି ପରିବାର ଲୋକେ ପାଲଟା ପ୍ରଶ୍ନ କରିଛନ୍ତି ।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ହିତାଧିକାରୀଙ୍କ କେୱାଇସି ଅପଟେଡ୍ ପାଇଁ ସବୁ ବ୍ଲକ୍ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବାବେଳେ ଭଦ୍ରକ ଜିଲ୍ଲାରେ ଆଉ ୩ଦିନ ପରେ ଏ ପ୍ରକ୍ରିୟା ବି ସରିଯିବ ବୋଲି ଡେଡ୍ ଲାଇନ୍ ରହିଛି । ହେଲେ ବହୁ ପ୍ରବାସୀ ଏଯାଏଁ କେୱାଇସି ଅପଡେଟ୍ କରି ନପାରିବାକୁ ନେଇ ଟେନସନ ଭିତରେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ଆଗକୁ ରାଜ୍ୟ ସରକାର ପ୍ରବାସୀ ଓଡ଼ିଆଙ୍କ ସୁବିଧା ପାଇଁ ବାହାର ରାଜ୍ୟକୁ ଟିମ୍ ପଠାଇବେ । ଏବେ ଦେଖିବାର କଥା, ଆଗକୁ କେତେ ସହଜ ହେଉଛି ପ୍ରବାସୀ ଓଡ଼ିଆ ରାସନକାର୍ଡ ହିତାଧିକାରୀଙ୍କ ପାଇଁ କେୱାଇସି ଅପଡେଟ୍ ଅଡୁଆ ।

  • Reported by:
  • Partha Sarathi nayak

OTV is now on Whatsapp

Join and get latest news update delivered to you via whatsapp

Join Now