ମେଘନାଦ ପାଚେରୀରେ ଫାଟ ନେଇ ବର୍ଷିଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି । ଜାଣିଶୁଣି ମନ୍ଦିରକୁ ଭାଙ୍ଗିଦେଲେ ବୋଲି ସେ କହିଛନ୍ତି । ପରିକ୍ରମା ପ୍ରକଳ୍ପ କାମ ବେଳେ ଜେସିବି ଲଗାଇ ଭାଙ୍ଗିଦେଲେ । ଚାରିକଡ଼ ମଠ, ମନ୍ଦିର, ଘର ସବୁ ଜେସିବିରେ ଭାଙ୍ଗିଦେଲେ । ଏହାଦ୍ବାରା ମନ୍ଦିର ଚାରିକଡ଼ୁ ସପୋର୍ଟ ସବୁ କମିଗଲା । ସପୋର୍ଟ କମିବା ଯୋଗୁଁ ପାଚେରୀ ଚାରିଆଡ଼େ ଫାଟିଗଲା । ଏହାକୁ ସଂପୂର୍ଣ୍ଣ ମରାମତି ନ କଲେ ଏହା ପୂରା ଭାଙ୍ଗିଯିବ ବୋଲି କହିଛନ୍ତି ଜଗନ୍ନାଥ ସ୍ୱାଇଁ ମହାପାତ୍ର ।
Also Read
ସେହିପରି ଶ୍ରୀମନ୍ଦିର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ହସ୍ତକ୍ଷେପ କରନ୍ତୁ ବୋଲି କହିଛନ୍ତି ଜଗୁନି । ବିଗତ ୫୦ ବର୍ଷ ହେଲାଣି ଶ୍ରୀମନ୍ଦିରକୁ ନେଇ ଡ୍ରାମା ଚାଲିଛି । ମନଇଚ୍ଛା ଖୋଳୁଛନ୍ତି, ଭାଙ୍ଗୁଛନ୍ତି । ନିୟମିତ ଭଙ୍ଗାଭଙ୍ଗି ଚାଲିଛି । ବର୍ତ୍ତମାନ ସ୍ଥିତି ଯାହା ଏଏସ୍ଆଇ ଏହାକୁ ସ୍ବତନ୍ତ୍ର ଭାବେ କାମ କରୁ । ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କଲେ ପୂରା କାମ ହେବ । ଶ୍ରୀମନ୍ଦିରର କ୍ଷତି ହେଲେ, ଓଡ଼ିଶା ନିନ୍ଦିତ ହେବ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ।
ଅଧିକ ପଢ଼ନ୍ତୁ: ISKON Ratha Jatra: ଅଦିନିଆ ରଥଯାତ୍ରା ନେଇ ଆପତ୍ତି ଉଠାଇଲେ ଗଜପତି; କହିଲେ ଆଉ ଛଡ଼ା ଯିବନି...
ସେପଟେ ଶ୍ରୀମନ୍ଦିର ମେଘନାଦ ପାଚେରୀର ସୁରକ୍ଷାକୁ ନେଇ ତେଜିଲା ରାଜନୀତି । ଘଟଣାକୁ ନେଇ ପୂର୍ବ ବିଜେଡି ସରକାର ଉପରେ ବର୍ଷିଲା ବିଜେପି ସରକାର । ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ପାଚେରୀରେ ଥିବା ଫାଟ ଅନେକ ଦିନର । ବିଭିନ୍ନ ସମୟରେ ବିଭିନ୍ନ ପ୍ରକାରର ଏଭିକ୍ସନ ସମୟରେ ଏହି ଫାଟ ହୋଇଛି । ଏନେଇ ଏଏସଆଇକୁ ଚିଠି ଲେଖା ହୋଇଥିଲା । ତେବେ ସେ ଫାଟର ଗୋଟିଏ ସ୍ଥାୟୀ ମରାମତି ପାଇଁ ASI ପ୍ରକ୍ରିୟା ଆରମ୍ଭ କରିଛି । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଫାଟଗୁଡ଼ିକର ପରମାନେଣ୍ଟ ରିପାରିଂ କରିବା ସହ ମନ୍ଦିରର ବିଭିନ୍ନ ସ୍ଥାନରୁ ଯେଉଁ ପାଣି ଗଳୁଚି ତାକୁ ନେଇ ମଧ୍ୟ ଗୋଟିଏ ବିସ୍ତୁତ ପ୍ଲାନ ପ୍ରସ୍ତୁତ ହୋଇଛି । ସେ ସବୁର କାମ ଖୁବ୍ଶୀଘ୍ର ଶେଷ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ସେପଟେ ମେଘନାଦ ପାଚେରିରେ ଦେଖା ଦେଇଥିବା ଫାଟ ଉପରେ ପ୍ରତିକ୍ରିୟା ରଖି ପୂର୍ବ ବିଜେଡି ସରକାରକୁ କଡ଼ା ସମାଲୋଚନା କରିଛି ବିଜେପି । ଦଳୀୟ ମୁଖ୍ୟପାତ୍ର ଅନୀଲ ବିଶ୍ବାଳ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି- କିଛି ଭୁଲ ଅଛି ଯାହାର କ୍ଷମା ନାହିଁ l ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏବଂ ତାଙ୍କ ସହଯୋଗୀ ଭିକେ ପାଣ୍ଡିଆନ ଏମିତି କିଛି ଭୁଲ କରିକି ଯାଇଛନ୍ତି ଯାହାର ମୂଲ୍ୟ ଏବେ ଓଡ଼ିଶାବାସୀଙ୍କୁ ଦେବାକୁ ପଡୁଛି l
ନିଜର ରାଜନୈତିକ ଫାଇଦା ପାଇଁ ସେମାନେ କିଭଳି ଏକ ପୁରାତନ ଐତିହ୍ୟକୁ ବିପଦକୁ ଠେଲିଦେଇଥିଲେ ତାହା ଅତ୍ୟନ୍ତ ଦୁଃଖଦାୟକ l ଶ୍ରୀଜଗନ୍ନାଥଙ୍କ ମନ୍ଦିରର ମେଘନାଦ ପାଚେରିରେ ଯେଉଁ ଫାଟ ବାହାରିଛି ଏବଂ ଫାଟଗୁଡିକ ମଧ୍ୟ ମେଲିବା ଆରମ୍ଭ କରୁଛି ତାହା କୋଟି କୋଟି ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ପାଇଁ ଚିନ୍ତାଜନକ କଥା l ଏହା ସାମ୍ନାକୁ ଆସିବା ପରେ ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ରାଜ୍ୟ ସରକାର ଏହାର ମରାମତି କାମ ଆରମ୍ଭ କରିଛନ୍ତି l
କିନ୍ତୁ ପ୍ରଶ୍ନ ଉଠୁଛି ଏହା ଘଟିଲା କାହିଁକି ? ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ଯେଭଳି ବଡ଼ ବଡ଼ ମେସିନ ଲଗାଇ ଶ୍ରୀମନ୍ଦିର ଚାରିପଟେ ଓ ଅତି ନିକଟରେ ବଡ଼ ବଡ଼ ଗାତ କରାଗଲା ଏହା ମେଘନାଦ ପାଚେରି ଉପରେ ପ୍ରଭାବ ପକାଇଲା l ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ନ୍ୟାସନାଲ ମନୁମେଣ୍ଟ ଅଥରିଟିର ବିନା ଅନୁମତିରେ ପ୍ରଥମେ ମେସିନ୍ ଲଗାଇ ଖୋଳାଗଲା l ଆମସାର୍ ଆକ୍ଟ ୧୯୫୮କୁ ନମାନି ଏଭଳି ବେଆଇନ କାମ କରାଯାଇଥିଲା, ଯେଉଁଥିପାଇଁ ମାମଲା ଅଦାଲତକୁ ଗଲା l ବିନା କୌଣସି ହେରିଟେଜ୍ ଇଂପାକ୍ଟ ଷ୍ଟଡି ନ କରାଯାଇ ଏହି ଖୋଳାଖୋଳି କାମ କେଉଁ ପରିସ୍ଥିତିରେ କରାଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ନ୍ୟାସନାଲ ମନୁମେଣ୍ଟ ଅଥରିଟିର ନିୟମ ୧୦୦ ମିଟର ପରିସରରେ କୌଣସି ନିର୍ମାଣ କାମ, ଖୋଳାଖୋଳି କରିହେବ ନାହିଁ । ତେବେ ଏହି ନିୟମକୁ ନମାନିବା ଏବେ ମହଙ୍ଗା ପଡ଼ିଲାଣି l
୯୦୦ ବର୍ଷର ଏକ ପ୍ରାଚୀନ ମନ୍ଦିର ଚାରିପଟେ ଯେଉଁଭଳି ଭାବରେ ବିଶାଳ ମେସିନ ଲଗେଇ ବୃହତ ଗର୍ତ୍ତ କରାଯାଇ ଏହାର ସ୍ଥାୟୀତ୍ୱକୁ ବିଗାଡି ଦିଆଗଲା ଏହାର ପ୍ରଭାବ ବର୍ତ୍ତମାନ ମେଘନାଦ ପାଚେରୀ ଉପରେ ପଡିଲାଣି l ଆଗାମୀ ଦିନରେ ମନ୍ଦିର ଉପରେ ଏହା ଯେ ନ ପଡ଼ିବ ତାହା କିଏ କହିବ ! ଅନୀଲ ପ୍ରଶ୍ନ କରିଛନ୍ତି, ଯଦି ରାସ୍ତା ଆଉ ପାଇଖାନା ହିଁ ନିର୍ମାଣ କରିବାର ଥିଲା ତାହେଲେ ଏତେ ବିଶାଳ ବିଶାଳ ଗର୍ତ୍ତ କାହିଁକି ମନ୍ଦିର ଚାରିପଟେ କରାଯାଇଥିଲା ? ଏହା ଏକ ଷଡ଼ଯନ୍ତ୍ର ନୁହେଁ ତ ? ନବୀନ ବାବୁ ଏବଂ ପାଣ୍ଡିଆନ ବାବୁ ଏନେଇ ମୁହଁ ଖୋଲିବା ଉଚିତ l ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ବିଜେପି ନେତା କ’ଣ ବୈଷୟିକ ବିଶେଷଜ୍ଞ ବୋଲି ସେ ପ୍ରଶ୍ନ କରିଛନ୍ତି ।