Advertisment

ନଳା ପାଣିରେ ଭାସିଲା ସିଂହଦ୍ବାର, ଗନ୍ଧିଆ ପାଣି ମାଡ଼ି ଗଲେ ଶ୍ରୀମନ୍ଦିର

ପଚା ନଳା ପାଣିରେ ଭାସିଲା ଶ୍ରୀମନ୍ଦିର ସିଂହଦ୍ବାର । ନାକ ଟେକିଲେ ସେବାୟତ ଓ ଦିଅଁ ଦର୍ଶନ ପାଇଁ ଯାଉଥିବା ଭକ୍ତ । ରୋଷଘର ପେଜନଳା ସହ ସଂପୃକ୍ତ ଡ୍ରେନ୍ ଚୋକ୍ ହୋଇଯିବାରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
undefined

Srimandir

ଅସନା ନଳା ପାଣିରେ ଭାସିଲା ସିଂହଦ୍ବାର । ସେଇ ଗନ୍ଧିଆ ପାଣିକୁ ପାଦରେ ମାଡ଼ି ଭକ୍ତ ଗଲେ ଶ୍ରୀମନ୍ଦିର । ଖୋଦ୍ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ଆଗରେ ଆଜିର ଏ ସ୍ଥିତି ବ୍ୟଥିତ କରିଛି ଉଭୟ ଭକ୍ତ ଓ ସେବକଙ୍କୁ । ଶ୍ରୀମନ୍ଦିର ରୋଷଘର ପେଜ ନଳା ସହ ସଂଯୋଗ ହୋଇଥିବା ଡ୍ରେନ୍ ଚାମ୍ବରରୁ ସକାଳେ ଭୁଶ୍ ଭୁଶ୍ ହୋଇ ଉଛୁଳିଥିଲା ପଚା ପାଣି । ସ୍ଥିତି ଏଭଳି ହୋଇଥିଲା ଭକ୍ତଙ୍କ ପଦ ପ୍ରକ୍ଷାଳନ ସ୍ଥାନଠୁ ଧରି ଅରୁଣ ସ୍ତମ୍ଭ ଯାଏଁ ମାଡ଼ି ଯାଇଥିଲା ସେହି ଅପରିସ୍କାର ପେଜ ପାଣି ।

Advertisment

ଏପଟେ ସଫେଇ କର୍ମଚାରୀ ଓଳେଇ ଓଳେଇ ହାଲିଆ ହେଲା ସିନା, କିଛି ଲାଭ ହେଲାନି। ସେବାୟତ ବି ସେଇ ପାଣିକୁ ପାଦରେ ମାଡ଼ି ଦିଅଁଙ୍କ ସେବା କରିବାକୁ ଯାଉଥିଲେ ଓ ଭକ୍ତ ନାକଟେକି ମନ୍ଦିର ପ୍ରବେଶ କରୁଥିଲେ । ତେଣେ ଶହ ଶହ ଭକ୍ତ ପେଜ ପାଣି କୁଦି କୁଦି ବାଇଶି ପାହାଚରେ ଚଢୁଥିବାରୁ ପାହାଚ ଗୁଡ଼ିକ କାଦୁଅ ପଚ ପଚ ହୋଇ ଯାଇଥିଲା । ଯାହାର ଯନ୍ତ୍ରଣା ଭୋଗିଥିଲେ ଦର୍ଶନ ସାରି ଫେରୁଥିବା ଜଣେ ବୟସ୍କ ଭକ୍ତ । କାଦୁଅରେ ଗୋଡ଼ ଖସି ଯିବାରୁ ଦୁମ୍ କରି ପାହାଚରେ ପଡ଼ି କଚଡ଼ା ଖାଇଥିଲେ । ତେଣେ ଆଜିର ଏ ସ୍ଥିତି ପାଇଁ ସମସ୍ତେ ପ୍ରଶାସନର ଦାୟିତ୍ବହୀନତାକୁ ଦାୟୀ କରି ବିରକ୍ତି ପ୍ରକାଶ କରିଛନ୍ତି ।

ଶ୍ରୀମନ୍ଦିର ମେଘନାଦ ପାଚେରି ସଲଗ୍ନ କାକୁଡ଼ିଖାଇ ଛକରୁ ଏମଆର ମଠ ସମ୍ମୁଖ ଦେଇ ସକାଳ ୭ଟାରୁ ଅନବରତ ବୋହି ଚାଲିଥିଲା ପେଜ ନଳା ପାଣି । ସିଂହଦ୍ବାର ସମ୍ମୁଖ ଅରୁଣସ୍ତମ୍ବ ଆଗରେ ଲହଡ଼ି ଭାଙ୍ଗିବା ପରେ ବଡ଼ଦାଣ୍ଡକୁ ବି ବୋହି ଚାଲିଥିଲା। ପ୍ରାୟ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଧରି ହୀନସ୍ତା ହୋଇଥିଲେ ହଜାର ହଜାର ଭକ୍ତ । ଯାହାକୁ ନେଇ କ୍ଷୋଭ ପ୍ରକାଶ ପାଇବା ସହ ଶହ ଶହ କୋଟି ଟଙ୍କା ଖର୍ଚ୍ଚରେ ଶ୍ରୀମନ୍ଦିର ଚୌହଦୀ ଉନ୍ନତୀକରଣର ଇଏ କ’ଣ ବାସ୍ତବ ଚିତ୍ର ବୋଲି ଉଠିଛି ପ୍ରଶ୍ନ ।

Advertisment

ତା ସହ କାହା ଭୁଲରୁ ଜଗନ୍ନାଥଙ୍କ ମନ୍ଦିର ମୁଖ୍ୟ ପ୍ରବେଶ ପଥ ଆଗରେ ଭାସିଲା ପଚା ନଳା ପାଣି ? ତ୍ରୁଟିପୂର୍ଣ୍ଣ ଡ୍ରେନେଜ୍ ସିଷ୍ଟମ୍ ପାଇଁ ଦାୟୀ କିଏ ? ପେଜନଳାର ଚାମ୍ବର କାହିଁକି ଉଛୁଳିଲା ? ତାକୁ ନେଇ ମାଳ ମାଳ ପ୍ରଶ୍ନ ଭିତରେ ପ୍ରଶାସନ ବିଳମ୍ବରେ ସ୍ଥିତି ସୁଧାରିବାକୁ ଚେଷ୍ଟା କରିଥିଲା। ତେଣେ ପୁରୀ ଜିଲ୍ଲାପାଳ କହିଛନ୍ତି, ପେଜନଳାରେ କେବଳ ରୋଷଘର ପେଜ ଢଳାଯିବା କଥା, ହେଲେ ସେଥିରେ କିଛି କଠିନ ପଦାର୍ଥ ଛଡ଼ାଯିବାରୁ ନାଳ ଜାମ୍ ହୋଇ ଏଭଳି ସ୍ଥିତି ଉପୁଜିଲା । ସେଥିପାଇଁ ରୋଷଘର ସେବକଙ୍କୁ ତାଗିଦ୍ କରାଯାଇଛି । ଆଗକୁ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପ୍ରତି ଦୃଷ୍ଟି ଦିଆଯିବ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ବି କହିଛନ୍ତି- ଡ୍ରେନେଜ୍ ବିଭାଗ ସହ ଆଲୋଚନା କରାଯାଇ ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ।

Srimandir Jagannath Temple
Advertisment
Advertisment