• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଷ୍ଟାଡ଼ିୟମ୍ କାହାର । ଏନେଇ ବିବାଦ ତେଜିବାରେ ଲାଗିଛି । ଜିଲ୍ଲାସ୍କୁଲ ବଦଳ ସୂତ୍ରରେ ପଡ଼ିଆ ପାଇଥିବା ଦାବି କରୁଥିବା ବେଳେ, ମ୍ୟୁନିସିପାଲିଟି ଜମିର ମାଲିକାନା ନେଇ ଦାବି ଉଠାଇଛି । ହେଲେ କାହା ଖାତାକୁ ଯିବ ଏହି ପଡ଼ିଆ, କିଏ ପାଇବ ଏହାର ମାଲିକାନା ସତ୍ତ୍ୱ, ସେନେଇ ଆଶଙ୍କା ପ୍ରକାଶ ପାଇଛି । ଆଉ ପ୍ରଶାସନ କହିଛି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେପଟେ କିନ୍ତୁ ବାଲେଶ୍ୱର ବନ୍ଦ ଡାକରା ପାଇଁ ତେଜିଲାଣି ସିଭିଲ ସୋସାଇଟି ।

ବାଲେଶ୍ୱର ଜିଲ୍ଲା ସ୍କୁଲ ନିକଟରେ ଥିବା ଷ୍ଟାଡ଼ିୟମ । ଏଠାରେ ସ୍କୁଲ ଛାତ୍ରଛାତ୍ରୀ ନିୟମିତ ଖେଳିଥାନ୍ତି । ସ୍ଥାନୀୟ ଲୋକେ ମଧ୍ୟ ସେହି ଷ୍ଟାଡ଼ିୟମରେ ମର୍ଣ୍ଣିଂ ୱାକ୍ କରିବା ସହ ଖେଳକୁଦ କରିଥାନ୍ତି । ବର୍ଷାଦିନ ଥିବାରୁ ପଡ଼ିଆରେ ଏବେ ଘାସ ଉଠି ଯାଇଛି । ପଡ଼ିଆର ଗୋଟିଏ ପଟରେ ମ୍ୟୁନିସିପାଲିଟି ଇଣ୍ଡୋର ଷ୍ଟାଡ଼ିୟମ୍ ନିର୍ମାଣ କରିଥିବା ବେଳେ ଅନ୍ୟ ପଟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ କାମ ଆରମ୍ଭ କରିଦେଇଛି ।

ଫଳରେ ପଡ଼ିଆ ସଂକୁଚିତ ହେବା ସହ ଛାତ୍ରଛାତ୍ରୀଙ୍କ ଖେଳକୁଦରେ ବାଧା ଉପୁଜିବା ନେଇ ଆଶଙ୍କା ପ୍ରକାଶ ପାଇଛି । ଫଳରେ ଜିଲ୍ଲା ସ୍କୁଲ ପୁରାତନ ଛାତ୍ର ସଂସଦ ଏହାକୁ ବିରୋଧ କରିବା ସହ ଘୋର ପ୍ରତିବାଦ ମଧ୍ୟ କରୁଛି । ସେପଟେ ପୌରପାଳିକା ସେହି ଜାଗାକୁ ନିଜର କହିବା ସହ ଏହା ଉପରେ କେବଳ ପୌରପାଳିକାର ମାଲିକାନା ରହିବ ବୋଲି କହିଛନ୍ତି ସ୍ଥାନୀୟ କାଉନସିଲର ।

୧୮୫୩ ମସିହାରୁ ବାଲେଶ୍ୱର ଜିଲ୍ଲା ସ୍କୁଲ ହାତରେ ଥିବା ପରମିଟ୍ ପଡ଼ିଆକୁ ତତ୍କାଳୀନ ଜିଲ୍ଳାପାଳ କ୍ରୀଡ଼ା ବିଭାଗକୁ ହସ୍ତାନ୍ତର କରିଥିଲେ । ଏହା ବଦଳରେ ଜିଲ୍ଲାସ୍କୁଲକୁ ଏହି ଷ୍ଟାଡ଼ିୟମ୍ ପ୍ରଦାନ କରାଯାଇଥିଲା । ହେଲେ ଏହାର ବଦଳ କାଗଜପତ୍ର କରାଯାଇ ନଥିଲା । ୪ ଏକର ୭୨ ଡ଼େସିମିଲ୍ ଜମିରେ ଥିବା ଏହି ଷ୍ଟାଡ଼ିୟମର ମାଲିକାନା ମ୍ୟୁନିସିପାଲିଟି ହାତରେ ଅଛି ବୋଲି ଦାବି କରିଛନ୍ତି କର୍ତ୍ତୃପକ୍ଷ ।

ଏହି ମାଲିକାନା ଆଧାରରେ ଷ୍ଟାଡ଼ିୟମରେ ଇଣ୍ଡୋର ଷ୍ଟାଡ଼ିୟମ, ଓପନ୍ ଜିମ୍, କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଉଛି । ବିବାଦ ପରେ ସଦର ତହସିଲଦାର୍ ଘଟଣାସ୍ଥଳ ପରିଦର୍ଶନ କରି କାଗଜପତ୍ର ଯାଞ୍ଚ କରିଛନ୍ତି । ଅଧିକ ତଦନ୍ତ ପରେ ନିଷ୍ପତ୍ତି ହେବ ବୋଲି କହିଛନ୍ତି ତହସିଲଦାର । ସେପଟେ କିନ୍ତୁ ପୁରାତନ ଛାତ୍ର ସଂସଦ ଓ ସିଭିଲ ସୋସାଇଟି ଏନେଇ ଆପତ୍ତି ଉଠାଇ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଆଗରେ ଧାରଣା ବସିଛନ୍ତି । ଶୀଘ୍ର ତଦନ୍ତ ଓ ଜିଲ୍ଲା ସ୍କୁଲକୁ ପଡିଆ ହସ୍ତାନ୍ତର ନହେଲେ ବାଲେଶ୍ୱର ବନ୍ଦର ଡାକରା ଦେବାକୁ ଚେତାବନୀ ଶୁଣାଇଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now