ଫିଟିବ କି ମହାନଦୀ ବିବାଦ ସମାଧାନର ବାଟ ? କେନ୍ଦ୍ର ଏବଂ ଉଭୟ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଆସିବା ପରେ ଆଶା ବଢିଥିଲା। ଆଉ ଆଜି ମୁଖ୍ୟମନ୍ତ୍ରୀଙ୍କ ବୟାନ ଏହି ଆଶାକୁ ଆହୁରି ବଢ଼ାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଦୁଇ ଦୁଇ ଥର ଆଲୋଚନା ସରିଲାଣି। କିନ୍ତୁ ବିଜେଡି ଓ କଂଗ୍ରେସ୍ ଏହା ମାନିବାକୁ ନାରାଜ। ଅନ୍ୟ ପଟେ ସମସ୍ୟାର ସମାଧାନ ପାଇଁ ଗଠନ ହୋଇଥିବା ଟ୍ରିବୁନାଲରୁ କୌଣସି ସୁଫଳ ମିଳୁ ନଥିବାରୁ ଆପୋଷ ଆଲୋଚନା ହିଁ ଏକମାତ୍ର ବାଟ ବୋଲି କହିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ।
ପୁଣି ଚର୍ଚ୍ଚାରେ ମହାନଦୀ ବିବାଦ ପ୍ରସଙ୍ଗ। ବିବାଦର ସମାଧାନ ନେଇ ବଢ଼ିଲା ଆଶା। ଆରମ୍ଭ ହେଲାଣି ଆପୋଷ ଆଲୋଚନା। ବଲାଙ୍ଗୀର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ମହାନଦୀ ବିବାଦ ପ୍ରସଙ୍ଗକୁ ସରକାର ଗୁରୁତର ସହ ନେଇଛନ୍ତି। ଏ ସଂପର୍କରେ ଆଲୋଚନା ଜାରି ରହିଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଏ ସଂପର୍କରେ ଦୁଇ ଥର ଆଲୋଚନା କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହ ମହାନଦୀରେ ଓଡ଼ିଶା ସରକାରଙ୍କ ନିକଟରେ ବିଚାରଧୀନ ଥିବା ଆନିକଟ, ଆଡିବନ୍ଧ, ବ୍ୟାରେଜ ପ୍ରକଳ୍ପଗୁଡିକୁ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଛନ୍ତି।
Also Read
ଓଡ଼ିଶା, ଛତିଶଗଡ଼ ଏବଂ କେନ୍ଦ୍ରରେ ଏବେ ବିଜେପି ସରକାର ଥିବାରୁ ମହାନଦୀ ସମସ୍ୟାର ସମାଧାନ ଆଶା ସଞ୍ଚରିଛି। ହେଲେ ବିଜେଡି କହିଛି ଆମ ସରକାରଙ୍କ ସମୟରେ କେନ୍ଦ୍ର ସରକାରଙ୍କ ଅସହଯୋଗ ପାଇଁ ସମସ୍ୟାର ସମାଧାନ ହୋଇ ପାରିଲାନି। ମୁଖ୍ୟମନ୍ତ୍ରୀ କଣ କଥା ହୋଇଛନ୍ତି ସାର୍ବଜନୀନ କରନ୍ତୁ। କଂଗ୍ରେସ କହିଛି ଏହା କେବଳ ସରକାରଙ୍କ ଜୁମଲା।
ବଡ଼ କଥା ହେଲା ସମସ୍ୟାର ସମାଧାନ ପାଇଁ ୨୦୧୮ ମସିହାରେ ଯେଉଁ ଟ୍ରିବ୍ୟୁନାଲ ଗଠନ ହୋଇଥିଲା ତାହା ଏବେ ଏକ ପ୍ରକାର ସ୍ଥାଣୁ ପାଲଟିଛି। ଯଦିଓ ଏହି ଟ୍ରିବୁନାଲର କାର୍ଯ୍ୟକାଳକୁ ଏପ୍ରିଲ ୨୦୨୬ ଯାଏଁ ବୃଦ୍ଧି କରାଯାଇଛି, ହେଲେ ୭ ମାସ ହେଲା ଟ୍ରିବୁନାଲର ଅଧ୍ୟକ୍ଷ ନାହାନ୍ତି। ସେହିପରି ମହାନଦୀ ଉପରେ ୩୨ଟି ସିଟିଂ ହୋଇଥିଲେ ବି ଏପର୍ଯ୍ୟନ୍ତ ଥରେ ମଧ୍ୟ ଶୁଣାଣି ହୋଇପାରିନି। ପୁଣି ଏ ଯାଏଁ ଓଡିଶା, ଛତିଶଗଡ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆବଶ୍ୟକ ତଥ୍ୟ ମଧ୍ୟ ଦାଖଲ ହୋଇନାହିଁ। ଆଉ ଏକ ବଡ଼ କଥା ହେଉଛି ଯଦିଓ ଟ୍ରିବୁନାଲ ଆରମ୍ଭରୁ ଅଣମୌସୁମୀ ସମୟରେ ଛତିଶଗଡ ପାଣି ଛାଡିବା ପାଇଁ ଏକ ଅନ୍ତରୀଣ ରାୟ ଦେବାକୁ ଓଡିଶା ସରକାରଙ୍କ ପକ୍ଷରୁ ଆବେଦନ ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ସେନେଇ କୌଣସି ନିଷ୍ପତ୍ତି ଆସିପାରିଲା ନାହିଁ। ତେଣୁ ଆପୋଷ ଆଲୋଚନା କରି ସମାଧାନ ସହ ପ୍ରଥମେ ଅଣ ମୌସୁମୀ ସମୟରେ ପାଣି ଛାଡିବାକୁ ଛତିଶଗଡ ସରକାରଙ୍କ ସହ ଆଲୋଚନା କରିବାକୁ କହିଛନ୍ତି ମହାନଦୀ ବଞ୍ଚାଅ ଆନ୍ଦୋଳନ ଆବାହକ ସୁଦର୍ଶନ ଦାସ।
ଗତ ଦୁଇ ଦୁଇଟି ନିର୍ବାଚନରେ ମହାନଦୀ ଏକ ରାଜନୈତିକ ମୁଦ୍ଦା ପାଲିଟିଥିଲା। ବିଜେଡି ଏହାକୁ କେନ୍ଦ୍ର ସରକାର ବିରୋଧରେ ମୁଦ୍ଦା କରିଥିବା ବେଳେ ରାଜ୍ୟ ସରକାରଙ୍କ ଅବହେଳା ଓ ବିଫଳତାକୁ ନେଇ କାଉଣ୍ଟର କରିଥିଲା ବିଜେପି। ଏବେ କ୍ଷମତାକୁ ଆସିବା ପରେ ବିଜେପି ମହନଦୀ ବିବାଦର କିଭଳି ସମାଧାନ କରୁଛି ତା ଉପରେ ନଜର।