/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729263128.jpg)
Kayar Board
ବ୍ୟବହାର ଅଭାବରୁ ମେସିନରେ ଲାଗିଲାଣି କଳଙ୍କି। କାମରେ ଲାଗୁନଥିବାରୁ ଦୁର୍ବଳ ହେଲାଣି ସୁବିଧା କେନ୍ଦ୍ର କୋଠା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକର ୪୦୦ ମହିଳାଙ୍କୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବାକୁ ୨୦୧୮ରେ କେନ୍ଦ୍ରୀୟ କୟର ବୋର୍ଡ ପକ୍ଷରୁ ନିର୍ମାଣ ହୋଇଥିଲା ୫ଟି CFC ବା ସାଧାରଣ ସୁବିଧା କେନ୍ଦ୍ର।
ଉଦ୍ଦେଶ୍ୟ ଥିଲା ଏହି ସୁବିଧା କେନ୍ଦ୍ରରେ ଅତ୍ୟାଧୁନିକ ମେସିନ୍ ବସାଇ କତା ପ୍ରସ୍ତୁତ ସାମଗ୍ରୀ ଉତ୍ପାଦନ କରିବା। ଏହି କେନ୍ଦ୍ର ନିର୍ମାଣ ଲାଗି ସରକାରଙ୍କ ପକ୍ଷରୁ ମଞ୍ଜୁର ହୋଇଥିଲା ୧ କୋଟି ୭୬ ଲକ୍ଷ ଟଙ୍କା। ତେବେ ଏ ସୁବିଧା କେନ୍ଦ୍ର ନିର୍ମାଣ ଓ ମେସିନ୍ ବସାଯିବାକୁ ୟା ଭିତରେ ୫ ବର୍ଷ ବିତିଯାଇଥିଲେ ବି କାର୍ଯ୍ୟକ୍ଷମ ହୋଇପାରିନି କୌଣସି ଗୋଟିଏ ହେଲେ CFC । ଫଳରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ମେସିନ୍ ସବୁ ଅଚଳ ହେବାକୁ ବସିଥିବା ବେଳେ ସୁବିଧା କେନ୍ଦ୍ରଗୁଡ଼କର ଅବସ୍ଥା ମଧ୍ୟ ଜରାଜୀର୍ଣ୍ଣ ହେବାକୁ ଲାଗିଲାଣି।
ଏପଟେ ଖାଲି ମେସିନ କି ଘର ନୁହେଁ, ଏ ଭିତ୍ତିଭୂମି ପ୍ରସ୍ତୁତ ପୂର୍ବରୁ ଅଞ୍ଚଳର ୪୦୦ ମହିଳାଙ୍କୁ କୟର ବୋର୍ଡ ପକ୍ଷରୁ ଦିଆଯାଇଥିଲା କତା ସାମଗ୍ରୀ ପ୍ରସ୍ତୁତର ତାଲିମ୍। ସେମାନେ ତାଲିମ ଗ୍ରହଣ କରିବାକୁ ୟା ଭିତରେ ପୁରିଗଲାଣି ପ୍ରାୟ ୧୦ ବର୍ଷ। କେବଳ ସେତିକି ନୁହେଁ, ମହିଳାଙ୍କୁ ଆତ୍ମନିର୍ଭର ହେବାର ସ୍ୱପ୍ନ ଦେଖାଇ, ସେମାନଙ୍କଠାରୁ ପ୍ରକଳ୍ପ ମୂଲ୍ୟର ୧୦ ପ୍ରତିଶତ ଟଙ୍କା ଅର୍ଥାତ ପ୍ରାୟ ୧୫ ଲକ୍ଷ ନଗଦ ଟଙ୍କା ନେଇଥିଲା କୟର ବୋର୍ଡ।
ହେଲେ ଏବେ ୨୦୧୯ ପରଠୁ ପ୍ରକଳ୍ପ ଆରମ୍ଭ ହୋଇ ସେମିତି ଅଧା ପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବାରୁ ମହିଳାଙ୍କ ଟଙ୍କା ଆଉ ସେମାନେ କର୍ମ ନିଯୁକ୍ତି ପାଇବାର ସ୍ୱପ୍ନ, ଉଭୟ ଅଧାରେ ଅଟକି ରହିଛି। ଏପଟେ କୟର ବୋର୍ଡର ଏ ପ୍ରକଳ୍ପକୁ କାର୍ଯ୍ୟକାରୀ କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥା ବି ନାଚାର। ବୋର୍ଡ ଅର୍ଥ ଅନୁମୋଦନ କରୁନଥିବାରୁ ମେସିନ୍ ଯୋଗାଣକାରୀ ସଂସ୍ଥାକୁ ପ୍ରାପ୍ୟ ମିଳିପାରୁନି କି ସେଣ୍ଟରକୁ ବିଜୁଳି ସଂଯୋଗ କାମ ସମ୍ପୂର୍ଣ୍ଣ ହୋଇପାରିନି। ଫଳରେ ଏହାକୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ମହିଳା। ତେବେ ଏନେଇ କୟର ବୋର୍ଡ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)