Puri Srimandir: ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଜନସମାଗମ, ବର୍ଷ ଶେଷରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ପ୍ରବଳ ଭିଡ଼

ପାଖେଇ ଆସୁଛି ନୂଆବର୍ଷ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି ।

Sri Mandir

ପାଖେଇ ଆସୁଛି ନୂଆବର୍ଷ । ଆଉ ଏହାକୁ ନେଇ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବର୍ଷର ଶେଷରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ସାରା ଦେଶରୁ ଲୋକେ ଆସି ପହଞ୍ଚୁଛନ୍ତି । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି । ତେବେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନା ମୁତାବକ, ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ ।

ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା, କେବଳ ପ୍ରସ୍ଥାନ ପାଇଁ ଅନୁମତି ରହିବ । ତେଣେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୋଲିସ ମୁତୟନ ହୋଇଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ । ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ନାକାବନ୍ଦୀ କରାଯାଇଛି ।

ଏହାସହ ସମୁଦ୍ର କୂଳରେ ସ୍ୱତନ୍ତ୍ର ଆଉଟ ପୋଷ୍ଟ ବ୍ୟବସ୍ଥା ହୋଇଛି । ସେପଟେ ଆଜି ସକାଳୁ ପୁରୀରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । କୁହୁଡ଼ି ଚାଦରରେ ଲୁଚି ଯାଇଛି ଶ୍ରୀମନ୍ଦିର । ଦୂରରୁ ନୀଳଚକ୍ର କି ପତିତପାବନ ବାନା ଦର୍ଶନ କରିପାରୁ ନାହାନ୍ତି ଭକ୍ତ । ସେହିପରି ନୂଆବର୍ଷରେ ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ପୁରୀକୁ ଜଗିବେ ୬୦ ପ୍ଲାଟୁନ୍ ଫୋର୍ସ ।

ଅଧିକ ପଢ଼ନ୍ତୁ: OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା; ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା...

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ବେଳାଭୂମିରେ ପର୍ଯ୍ୟଟକଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ନେଇ ବ୍ୟାପକ ପ୍ରସ୍ତୁତି କରିଛି ପୁରୀ ପୋଲିସ । ଡିସେମ୍ବର ୩୧ ତାରିଖଠୁ ନୂଆବର୍ଷ ପର୍ଯ୍ୟନ୍ତ ପ୍ରବଳ ଭିଡ଼ ଆଶଙ୍କାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି । ପୁରୀର ମୁଖ୍ୟ ପ୍ରବେଶପଥରେ ଚେକିଂକୁ କଡାକଡି କରାଯିବ ।

ଭୁବନେଶ୍ୱରରୁ ଆସୁଥିବା ଚାରିଚକିଆ ଯାନ ଜେଲ୍ ରୋଡ ପାର୍କିଂରେ, କୋଣାର୍କରୁ ଆସୁଥିବା ଚାରିଚକିଆ ତାଳବଣିଆ ପାର୍କିଂରେ ଓ ବ୍ରହ୍ମଗିରିରୁ ଆସୁଥିବା ଚାରିଚକିଆ ଯାନ ଷ୍ଟର୍ଲିନ କିମ୍ବା ଯାତ୍ରିକା ପାର୍କିଂରେ ରହିବ । ମେଡିକାଲ୍ ଛକଠାରୁ ଶ୍ରୀମନ୍ଦିର ଓ ବେଳାଭୂମି ପର୍ଯ୍ୟନ୍ତ କୌଣସି ଚାରିଚକିଆ ଯାନ ଯାତାୟାତ କରିବ ନାହିଁ । ମାର୍କେଟ ଛକଠାରୁ ହେବ NO VEHICLE ZONE ।

ଶ୍ରୀମନ୍ଦିର ବାହାରେ ଓ ଶ୍ରୀମନ୍ଦିର ଭିତରେ ଭିଡ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି । ବେଳାଭୂମିରେ ପର୍ଯ୍ୟାପ୍ତ ଲାଇଫଗାର୍ଡ ମୁତୟନ ହେବାସହ ଜିରୋ ନାଇଟ୍ ସେଲିବ୍ରେସନ ବେଳେ ପାଟ୍ରୋଲିଂକୁ ମଧ୍ୟ କଡାକଡି କରାଯିବ । ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍ ଉପରେ ତୀକ୍ଷ୍ଣ ନଜର ରଖାଯିବ ବୋଲି ଏସପି କହିଛନ୍ତି ।

ସେହିପରି ଜାନୁଆରୀ ପହିଲାରୁ ଲାଗୁ ହୋଇଯିବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା । ସାତ ପାହାଚ ପାଖରୁ ଭକ୍ତ ବ୍ୟାରିକେଡରେ ପଶିବେ । ନାଟମଣ୍ଡପରେ ରାଂପରେ ଚଢ଼ି ଜଗା ଦର୍ଶନ କରିବେ । ଜାନୁଆରୀ ପହିଲାରୁ ଜଗନ୍ନାଥ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥାର ଶୁଭାରମ୍ଭ ନେଇ ସ୍ପଷ୍ଟ କରିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି- ଭକ୍ତ ସାତ ପାହାଚ ପାଖରେ ହିଁ ଲାଇନ୍ ଲଗାଇବେ । ନାଟ ମଣ୍ଡପରେ ଧାଡ଼ିରେ ଦର୍ଶନ ସାରି ଘଣ୍ଟି ଓ ଗାରଦ ଦ୍ୱାର ଦେଇ ପ୍ରସ୍ଥାନ କରିବେ ।

ଅଧିକ ପଢ଼ନ୍ତୁ: OCA ସଭାପତି ପଦରୁ ବବି ଦାସଙ୍କ ଇସ୍ତଫା; ବ୍ୟକ୍ତିଗତ କାରଣ ଦର୍ଶାଇ ଦେଲେ ଇସ୍ତଫା...