• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୋଟିଏ ରୁଦ୍ରାକ୍ଷରେ ପ୍ରସ୍ତୁତ ହୋଇଛନ୍ତି ହନୁମାନ । ଏହାସହ ପୂଜା ପାଉଛି ନଅ ଶହ କୋଟି ନାମ ପତ୍ରିକା । ଦେଶର କୋଣ ଅନୁକୋଣରୁ ଆସିଛି ସାଧକଙ୍କ ଦ୍ଵାରା ଭିନ୍ନ ଭିନ୍ନ ଭାଷାରେ ଲିଖିତ ଏହି ରାମନାମ ପତ୍ରିକା । ଆମେ କହୁଛୁ ହେଉଛି ଆସିକା ବାଣୀବିହାର ସ୍ଥିତ ଗୁରୁକୃପା ଆଶ୍ରମର କଥା । ଏଠି ନିଆରା ଢଙ୍ଗରେ ପାଳନ ହେଉଛି ହନୁମାନ ଜୟନ୍ତୀ ।

ବେଲପତ୍ର ଉପରେ ହନୁମାନ ସିନ୍ଦୂରରେ ତୁଳସୀ କାଠି ସାହାଯ୍ୟରେ ଲିଖିତ ଲକ୍ଷେ ରାମନାମ ଲେଖାପତ୍ରକୁ ପ୍ରଭୁ ହନୁମାନଙ୍କୁ କରାଯାଇଛି ଅର୍ପଣ । ଏପରିକି ବଜରଙ୍ଗବାଲିଙ୍କ ପାଇଁ ସଂଗୃହୀତ ହୋଇଛି କୋଟିଏ ରୁଦ୍ରାକ୍ଷ । ଏହି ରୁଦ୍ରାକ୍ଷକୁ ନେପାଳ, ୠଷିକେଶ ଓ ହରିଦ୍ୱାର ଅଂଚଳରୁ ସଂଗ୍ରହ କରା ଯାଇଥିବା ବେଳେ ଏହାକୁ ଗୁରୁକୃପା ଆଶ୍ରମରେ ରଖାଯାଇଛି ।

ଦେଶର ବିଭିନ୍ନ ସ୍ଥାନରେ ରହିଛି ନାମ ପତ୍ରିକା । ମଧ୍ୟପ୍ରଦେଶର ସତାନାର ମାନସଂଘ ସ୍ଥିତ ରାମବନରେ ୧୫୦ କୋଟି ନାମ ପତ୍ରିକା ସ୍ଥାପନ ହୋଇ ତିଆରି ହୋଇଛି ନାମ ମନ୍ଦିର । ସେହିଭଳି କଲିକତାରେ ହରିନାମ ସଂକୀର୍ତ୍ତନ ଭବନରେ ମଧ୍ୟ ରାମ ପତ୍ରିକା ପୂଜା ପାଉଛି । ଅନ୍ୟପଟେ ନେପାଳ ପଶୁପତିନାଥଙ୍କ ନିକଟରେ ଅଛି ନାମ ପତ୍ରିକା ସ୍ତୁପ ।

ବିଦେଶରେ ମଧ୍ୟ ଦକ୍ଷିଣ ଆଫ୍ରିକା ଓ ନାଇରୋବିର କେତେକ ସ୍ଥାନରେ ୧୨୫ କୋଟି ନାମ ପତ୍ରିକା ସଂଗୃହିତ ହୋଇ ମନ୍ଦିର ପ୍ରତିଷ୍ଠା କରାଯାଇଛି । ତେବେ ଆସିକା ଗୁରୁକୃପା ଆଶ୍ରମରେ ପୃଥିବୀର ସର୍ବାଧିକ ୯ଶହ କୋଟି ନାମ ସଂଗୃହିତ ହୋଇ ଗଚ୍ଛିତ କରାଯାଇଥିବା କୁହାଯାଇଛି । ସେହିପରି ଏହି ଅବସରରେ ଏକ କୋଟି ରୁଦ୍ରାକ୍ଷରେ ବିଗ୍ରହ ସ୍ଥାପନ ଓ ୯ଶହ କୋଟି ନାମ ଉନ୍ମୋଚନ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା ।

ଆଶ୍ରମ ପ୍ରତିଷ୍ଠାତା ଆତ୍ମାରାମ ମହାରାଜଙ୍କ ଉଦ୍ଦେଶ୍ୟ ରହିଛି ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ ଭାବ ଧାରାର ପ୍ରସାର । ଯାହା ସମସ୍ତଙ୍କୁ ଭକ୍ତି ମାର୍ଗରେ ବାନ୍ଧି ରଖିଛି ।

  • Reported by:
  • Manoj Muni