• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଟାଇଁ ଟାଇଁ ଖରାରେ ଶ୍ରୀଜିଉଙ୍କୁ ଦର୍ଶନ । ଧାଡ଼ିରେ ଠିଆ ହୋଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ମୁଣ୍ଡ ଉପରେ ଖରା, ଭୂଇଁ ବି ତତଲା । ଚାଲିବା କଷ୍ଟକର । ତାତି ଓ ଗୁଳୁଗୁଳିରେ ଠିଆହୋଇ ଧାଡ଼ିରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ କଲବଲ ହେଉଛନ୍ତି ସାଧାରଣ ଭକ୍ତ । ଛୋଟ ପିଲା, ପୁରୁଷ, ମହିଳା ଓ ବୟସ୍କ ଭାରି ହିନସ୍ତା ହେଉଥିବା ଦେଖିବାକୁ ମିଳିଛି ।

ଦର୍ଶନ ପାଇଁ ହୋଇଥିବା ସେଡ୍ ଯାଏ ଖାଲି ପାଦରେ ପହଞ୍ଚିଲା ବେଳକୁ ଛଟପଟ ହେଉଛନ୍ତି ସମସ୍ତେ । ଡ଼ହଳବିକଳ ପରିସ୍ଥିତି । ଏମିତି ଖରାରେ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସେମିତି କୌଣସି ବିଶେଷ ବ୍ୟବସ୍ଥା ହୋଇନି । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି । ବିଶେଷ କରି ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହେଉଛି ।

ଏବେ ରାଜ୍ୟରେ ପାରଦ ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଶ୍ରୀକ୍ଷେତ୍ରରେ ଦର୍ଶନକୁ ନେଇ ଖୁସି ନାହାନ୍ତି ଶ୍ରଦ୍ଧାଳୁ । ସେପଟେ ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରେ କଲବଲ ହେଉଛନ୍ତି ଲୋକେ । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ପାରଦ ୪୧ ଡିଗ୍ରୀ ଛୁଇଁଛି ।

ଅଧିକ ପଢ଼ନ୍ତୁ: ଆହୁରି ବଢିବ ତାତି:୧୦ ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ୱାର୍ଣ୍ଣିଂ

ସବୁଠୁ ଉତ୍ତପ୍ତ ସହର ପାଲଟିଛି ରାଜଧାନୀ ଭୁବନେଶ୍ୱର । ରାଜଧାନୀରେ ତାତି ୪୧.୧ ଡିଗ୍ରୀ ସେଲସିୟସ୍ ଥିବା ବେଳେ ବାଲେଶ୍ୱର ଓ ଚାନ୍ଦବାଲିରେ ୪୧ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ତାପମାତ୍ରା । ଝାରସୁଗୁଡ଼ାରେ ୪୦.୪, ହୀରାକୁଦରେ ୪୦.୨ ଓ କେନ୍ଦୁଝରରେ ୩୯.୬ ଡିଗ୍ରୀ ସେଲସିୟସ୍ ରହିଛି ।

ଆଗାମୀ ୫ ଦିନ ରାଜ୍ୟରେ ତାତି ଆହୁରି ବଢ଼ିବ । ୨୭-୨୮ ତାରିଖ ବେଳକୁ ମୟୂରଭଞ୍ଜ, ବୌଦ୍ଧ, ଖୋର୍ଦ୍ଧା, ଜଗତସିଂହପୁର, ସୁବର୍ଣ୍ଣପୁର, ନୂଆପଡ଼ା, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ଡି, ବାଲେଶ୍ବର ଭଳି ୧୦ ଜିଲ୍ଲାରେ ସିଭିୟର ହିଟ୍ ୱେଭ୍ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ତରଫରୁ ଜଣାପଡ଼ିଛି ।