• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସିଂହଦ୍ୱାର ପଟେ ତ ଏସି ଟନେଲ୍, ହେଲେ ପ୍ରଶାସନ କାହିଁକି ପାଶୋରି ଗଲା ଉତ୍ତର ଦ୍ୱାର ସମସ୍ୟାର କଥା ? ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଭକ୍ତ କଲବଲ । ପେଭର ରୋଡର ତାତିରେ ପୋଡ଼ି ଯାଉଛି ଖାଲି ପାଦ । ଖରା ବଢ଼ିବା ସହ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ ସମସ୍ୟା ବଢ଼ିବା ପରେ, ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରକାଶ ପାଇଛି ତୀବ୍ର ଅସନ୍ତୋଷ ।

ଗରମରେ ଆଉଟୁ ପାଉଟୁ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦୁର୍ଦ୍ଦଶା କଥା ତ ନକହିବା ଭଲ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସାଇଡ୍-ଇଫେକ୍ଟ... ଜଗା ଦର୍ଶନ ସାରି ପ୍ରସନ୍ନ ମନରେ ନୁହେଁ... କିଲିବିଲା ହୋଇ ବାହାରୁଛନ୍ତି ଶ୍ରଦ୍ଧାଳୁ । ସତେ ଯେମିତି ଉତ୍ତର ଦ୍ୱାର ବାହାରେ ଅପେକ୍ଷା କରିଛି ଅଗ୍ନିପଥ । ପେଭର ରୋଡ୍ ନୁହେଁ ତ, ଜଳନ୍ତା ରଡ଼ ନିଆଁ ।

ଯେଉଁଠି ଗୋଟିଏ ପାଦ ଥାପିଲେ ପ୍ରାଣ ଛାଡ଼ିଗଲା ଭଳି ଲାଗୁଛି, ସେଠି ଖାଲି ପାଦରେ ପାରି ହେବାକୁ ପଡ଼ୁଛି ୩ଶହରୁ ୪ ଶହ ମିଟର ବାଟ । ତେଣୁ କିଏ ଡେଇଁ ଡେଇଁ ଯାଉଛି, ତ ଆଉ କିଏ ଏକା ନିଶ୍ୱାସେ ରିତିମତ୍ ଦୌଡ଼ୁଛି । ମୁଣ୍ଡ ଉପରେ ଟାଇଁ ଟାଇଁ ଖରାଠୁ ବଳିଯାଉଛି ତତଲା ରାସ୍ତାର କଷ୍ଟ । ପିଲାଠୁ ବୁଢ଼ା... ପୁରୁଷ ମହିଳା ।

ସମସ୍ତେ ଛଟପଟ ହୋଇ ଦୌଡ଼ୁଛନ୍ତି ଟିକେ ଛାଇ ଜାଗାକୁ । କିଏ ବିକଳରେ ପାଦରେ ପାଣି ଢାଳି ପକାଉଛି, ତ ଆଉ କିଏ ରାସ୍ତା ଡିଭାଇଡରରେ ଥିବା ମାଟିରେ ଚାଲି ଚାଲି ଆସୁଛି । ଏବେ ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସ୍ଥିତି ଜାରି ରହିଥିବା ବେଳେ, ଶ୍ରୀମନ୍ଦିରରୁ ବାହାରୁଥିବା ଶ୍ରଦ୍ଧାଳୁ ଉତ୍ତର ଦ୍ୱାର ଦେଇ ଏଇ ଜଳନ୍ତା ପରିକ୍ରମା ମାର୍ଗ ପଟେ ଖାଲି ପାଦରେ ବାହାରିବାକୁ ବାଧ୍ୟ ହେଉଛନ୍ତି ।

ଅନେକଙ୍କ ପାଦରେ ଫୋଟକା ପଡ଼ିଯାଉଛି । ଅଗ୍ନିଶମ ଗାଡ଼ିରେ ପାଣି ସିଞ୍ଚନ ହେଉଥିଲେ ବି, ତାହା ବିଶେଷ ଫଳପ୍ରଦ ହେଉନଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏଠାରେ ଅନେକ ଦୋକାନ ବଜାର ଓ ମଠଗୁଡ଼ିକ ଥିଲା । ତେଣୁ ଶ୍ରୀମନ୍ଦିରରୁ ବାହାରୁ ବାହାରୁ ସହଜରେ ଛାଇ ପାଇ ପାରୁଥିଲେ ଶ୍ରଦ୍ଧାଳୁ ।

ହେଲେ ଏବେ ପରିକ୍ରମା ପ୍ରକଳ୍ପ ଯୋଗୁଁ ଶ୍ରଦ୍ଧାଳୁଙ୍କୁ ଅସହ୍ୟ ଯନ୍ତ୍ରଣା ସହିବାକୁ ପଡ଼ୁଥିବାରୁ, ଏହାକୁ ପ୍ରଶାସନର ଦୂରଦୃଷ୍ଟିର ଅଭାବ ବୋଲି ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ପ୍ରଚଣ୍ଡ ଗରମ ଗୁଳୁଗୁଳିରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ପାଇଁ ମଧ୍ୟ ଉପଯୁକ୍ତ ବ୍ୟବସ୍ଥା ନଥିବା ଅଭିଯୋଗ ହୋଇଛି । ସେ କାଠ ହ୍ୱିଲ ଚେୟାର ହେଉ, କି ୪ ଜଣ ସ୍ୱେଚ୍ଛାସେବୀ କାନ୍ଧରେ ବୋହିବାକୁ ଥିବା କାଠ ଚେୟାର, ସବୁ ବ୍ୟବସ୍ଥା ଫେଲ୍ ମାରିଛି ।

ଏଭଳି ସ୍ଥିତିରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ଗତକାଲି ଛତିଶା ନିଯୋଗ ବୈଠକରେ ମଧ୍ୟ ଦାବି ଉଠିଥିଲା । ଅନ୍ୟପକ୍ଷରେ ଏହିସବୁ ଅସୁବିଧାକୁ ପୁରୀ SP ସ୍ୱୀକାର କରିବା ସହ, ଆଗକୁ ବ୍ୟାପକ ବ୍ୟବସ୍ଥା ହେବ ବୋଲି କହିଛନ୍ତି । ତେବେ ଏହି ସବୁ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ ।

  • Reported by:
  • MADHUSUDAN MISHRA