Advertisment

ପଶ୍ଚିମବଙ୍ଗରୁ ସ୍ବାଭାବିକ ହେଉଛି ଆଳୁ ଯୋଗାଣ, କିନ୍ତୁ ଖୁଚୁରା ବଜାରରେ ଖସୁନି ଦର

ବଜାରରେ ଆଳୁ ଅଛି। ହେଲେ ମନ୍ତ୍ରୀଙ୍କ ବୟାନ ପରେ ବିକ୍ରିଦରକୁ ନେଇ ଦ୍ବନ୍ଦ୍ବ। ଗ୍ରାହକଙ୍କ ପାଇଁ କୃତ୍ରିମ ଅଭାବ ସ୍ଥିତି। କିଛି ଦିନର ସଂକଟ ପରେ ପାଇକାରୀ ଗୋଦାମଠୁ ଖୁଚୁରା ଦୋକାନ ଯାଏଁ, ଏବେ ସବୁଠି ବସ୍ତା ମରା ହୋଇଛି।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Potato Price

Potato Price

ସପ୍ତାହକର ସଂକଟ ପରେ ଧିରେ ଧିରେ ପଶ୍ଚିମବଙ୍ଗରୁ ସ୍ବାଭାବିକ ହେଉଛି ଆଳୁ ଯୋଗାଣ ପ୍ରକ୍ରିୟା । ଟ୍ରକ୍ ଟ୍ରକ୍ ଆଳୁ ଗାଡ଼ି ଆସି ଗୋଦାମ ଭରି ହେଉଛି। ହେଲେ ଦରକୁ ନେଇ ଦ୍ବନ୍ଦ୍ବ ପାଇଁ ଗ୍ରାହକଙ୍କ ପାଇଁ କୃତ୍ରିମ ଅଭାବ ସ୍ଥିତି । 32 ଟଙ୍କାରେ ଆଳୁ ବିକ୍ରି ପାଇଁ ଯୋଗାଣ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ବି ଖୁଚୁରା ବଜାରରେ ଖସୁନି ଆଳୁ ଦର। ଏସବୁ ଭିତରେ ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଳୁ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଥିବା ସେ ସୂଚନା ଦେଇଛନ୍ତି ।

Advertisment

ବଜାରରେ ଆଳୁ ଅଛି। ହେଲେ ମନ୍ତ୍ରୀଙ୍କ ବୟାନ ପରେ ବିକ୍ରିଦରକୁ ନେଇ ଦ୍ବନ୍ଦ୍ବ। ଗ୍ରାହକଙ୍କ ପାଇଁ କୃତ୍ରିମ ଅଭାବ ସ୍ଥିତି। କିଛି ଦିନର ସଂକଟ ପରେ ପାଇକାରୀ ଗୋଦାମଠୁ ଖୁଚୁରା ଦୋକାନ ଯାଏଁ, ଏବେ ସବୁଠି ବସ୍ତା ମରା ହୋଇଛି। ହେଲେ ବିଚରା ଗ୍ରାହକ ପାଇଁ ନାହିଁ। ଭୁବନେଶ୍ବର ଏକ ନମ୍ବର ହାଟରେ ଥିବା ଦୋକାନରେ ଆଳୁ ବସ୍ତା ପ୍ୟାକ୍ ହୋଇରହିଛି କିନ୍ତୁ ବାଛିବା କାଉଣ୍ଟର ଖାଁ ଖାଁ । ଗୋଟେ ବି ଆଳୁ ଦିଶୁନି। ଗ୍ରାହକ ମାଗିଲେ ଉତ୍ତର ମିଳୁଛି ନେବ ତ କିଲୋ ୪୫ ଟଙ୍କା ଦରରେ ନିଅ, ନହେଲେ ଶସ୍ତାରେ ପୁରା ଆଳୁ ବସ୍ତା ନିଅ। ପ୍ରାୟ ୪୪-୪୫ କିଲୋ ଆଳୁ ରହୁଥିବା ବସ୍ତା ୧୬୦୦ ଟଙ୍କା ପଡୁଛି। ଖୁଚୁରା ବେପାରୀଙ୍କଠୁ ଏମିତି ଉତ୍ତର ଶୁଣି ଗ୍ରାହକଙ୍କ ମୁଣ୍ଡ ଝାଇଁ ମାରୁଛି ।

ଏପଟେ ପାଇକାରୀ ବଜାରର ଚିତ୍ର କହୁଛି, ଆଜି ପଶ୍ଚିମବଙ୍ଗରୁ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଆଳୁ ଆସିଛି। ଗୋଦାମରେ ଟ୍ରକ୍ ଅନଲୋଡିଂ ବି ଚାଲିଛି। ସରକାରଙ୍କ ଦ୍ବାରା ଧାର୍ଯ୍ୟ ଦର ଅନୁସାରେ ପାଇକାରୀ ବଜାରରେ ଆଳୁ କିଲୋ ୩୨ ଟଙ୍କାରେ ବିକାଯାଉଛି । ହେଲେ ରାଜ୍ୟ ବ୍ୟବସାୟୀ ମହାସଂଘର ପ୍ରଶ୍ନ ଯଦି ପାଇକାରୀ ବ୍ୟବସାୟୀ ଧାର୍ଯ୍ୟ ୩୨ ଟଙ୍କାରେ ଆଳୁ ବିକିବେ, ଖୁଚୁରା ବ୍ୟବସାୟୀ ସେହି ଦରରେ କେମିତି ବିକିବେ ? ତେଣୁ ସରକାର ତୁରନ୍ତ ଖୁଚୁରା ଦର ପୁନନିର୍ଦ୍ଧାରଣ କରନ୍ତୁ ।

Advertisment

ଏପଟେ ନୀତି ଆୟୋଗ ମିଟିଂକୁ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ନୂଆଦିଲ୍ଲୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଭେଟି ଆଳୁ ଯୋଗାଣ ସମସ୍ୟାର ସମାଧାନ ନେଇ ଆଲୋଚନା କରିଛନ୍ତି। ଆଲୋଚନା ପରେ ପଶ୍ଚିମବଙ୍ଗରୁ ଆଳୁ ଆସିବା ପ୍ରକ୍ରିୟା ସ୍ବାଭାବିକ ହୋଇଥିବା ନେଇ ଏକ୍ସରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଦରକୁ ନେଇ ଦ୍ବନ୍ଦ୍ବ କେବେ ଦୂର ହେଉଛି ଏବେ ତା ଉପରେ ନଜର ।

Potato Price Potato
Advertisment
Advertisment