ଫ୍ଲିପକାର୍ଟ ଡେଲିଭରୀ ବଏଙ୍କ ସ୍ୱପ୍ନ ହେଲା ସାକାର । ପିନ୍ଧିବେ CISF ବର୍ଦ୍ଦି, ଶତୃଙ୍କୁ ଦେବେ କଡ଼ା ପ୍ରହାର । ଜୀବନର ସଂଘର୍ଷ ଓ କଠିନ ପରିଶ୍ରମ ତାଙ୍କୁ ଦେଖାଇଦେଲା ସଫଳତାର କୁସୁମିତ ପଥ । ଏ ସଂଘର୍ଷର କାହାଣୀ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚାନ୍ଦୋତରା ଗାଁର ରୋହିତ ବାଗଙ୍କର ।
Also Read
ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ କଲେ କୌଣସି କାମ ଅସମ୍ଭବ ନୁହେଁ l ଯାହାକୁ ପ୍ରମାଣିତ କରିଛନ୍ତି ରୋହିତ l ତାଙ୍କ ଆଗରେ ହାର ମାନିଲା ଦାରିଦ୍ର୍ୟ । ଫ୍ଲିପକାର୍ଟ ଡେଲିଭରି ବଏ ଭାବେ କାମ କରି ଆଜି ସେ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ବା CISFରେ ଚାକିରୀ ପାଇଛନ୍ତି l ତାହା ପୁଣି ମାତ୍ର ୨୧ ବର୍ଷ ବୟସରେ । ହେଲେ ଏ ସଫଳତାର ପଥ ତାଙ୍କ ପାଇଁଥିଲା ସଂଘର୍ଷମୟ । ୨୦୧୮ ମସିହାରେ ରୋହିତଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା l ଘରେ ଲାଗି ରହୁଥିଲା ଦାରିଦ୍ର୍ୟ ଓ ଅଭାବ ଅନାଟନ l ଘରେ ବିଧବା ମା ଓ ଦୁଇ ଭଉଣୀ । ଏତେ ସବୁ ଅସୁବିଧା ପରେ ବି ହାର ମାନିନଥିଲେ ରୋହିତ । ତେଣୁ ପରିବାରର ବୋଝକୁ କାନ୍ଧରେ ଉଠାଇ ଚାଷ କାମ କରିବା ସହ ଡେଲିଭରି ବଏ ଭାବରେ କାମ କରୁଥିଲେ ରୋହିତ। ଏହାସହ CISF ଯବାନ ହେବାର ସ୍ୱପ୍ନ ପୁରଣ ପାଇଁ ପରିଶ୍ରମ ମଧ୍ୟ କରୁଥିଲେ ।
ଅଧିକ ପଢ଼ନ୍ତୁ: ଆଜି ସବୁଠାରୁ ଛୋଟ ଦିନ, ରାତି ହେବ ଲମ୍ବା
ଭୋର୍ ୪ଟାରୁ ଉଠି ଦୌଡ଼ିବାରେ ଯାଆନ୍ତି ରୋହିତ। ସେଠାରୁ ଫେରି ଘରେ ପାଠ ପଢନ୍ତି । ପରେ ଦିନ ୯ଟାରୁ ଘର ଘର ବୁଲି ଲୋକଙ୍କ ପାଖରେ ପାର୍ସଲ ପହଞ୍ଚାନ୍ତି । ଏହାପରେ ସନ୍ଧ୍ୟା ସମୟରେ କମ୍ପୁଟର କ୍ଲାସକୁ ଯାଇ ଘରକୁ ଫେରିଥାନ୍ତି । ପରିବାର ପାଇଁ ଦିନଯାକ ଖୁବ ପରିଶ୍ରମ କରନ୍ତି ରୋହିତ । ଗତ ୧୪ ତାରିଖ ଦିନ CISFରେ ଚାକିରୀ ପାଇଯାଇଥିବା ଜାଣିବାକୁ ପାଇଥିଲେ ରୋହିତ । ଯାହାକୁ ଶୁଣି ତାଙ୍କ ପରିବାରରେ ଖେଳିଯାଇଛି ଖୁସିର ଲହରୀ ।
ଅଭାବ ଅନାଟନ ଓ ଗରିବୀ ଥିଲେ ମଧ୍ୟ କେବେ ହତାଶ ହୋଇନଥିଲେ ରୋହିତ । କଠିନ ପରିଶ୍ରମ କରିଥିଲେ ଆଜି ସଫଳତା ହାସଲ କଲେ ଏବଂ ଅନ୍ୟମାନଙ୍କ ପାଇଁ ପାଲଟିଗଲେ ଉଦାହରଣ l ରୋହିତଙ୍କ ଏହି ସଫଳତାକୁ ଦେଖି ଅଞ୍ଚଳବାସୀ ତାଙ୍କୁ ପ୍ରଶଂସା କରିଛନ୍ତି ।