/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756267050.jpg)
Chitrakonda_Dancing-Teacher
କୁନି କୁନି ଛାତ୍ରଛାତ୍ରୀଙ୍କ ସହ ଛୁଆ ପାଲଟି ଯାଆନ୍ତି ସାର୍। ଶ୍ରେଣୀ ଗୃହରେ ନାଚନ୍ତି, ପିଲାଙ୍କ ସହ ନାଚି ଗାଇ, ଅଭିନୟ ମାଧ୍ୟମରେ ପାଠ ପଢାନ୍ତି। ସେ ବଉଳା ଗାଈ ଗପ ହେଉ କି ଗଣିତ, ପିଲାଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇ ଦେବାରେ ସେ ପୁରା ମାହିର। ଛାତ୍ରଛାତ୍ରୀମାନେ ମଧ୍ୟ ସାରଙ୍କୁ ଅନୁକରଣ କରି ପାଠ ପଢିବାରେ ଦେଖାଉଛନ୍ତି ଆଗ୍ରହ। ସେ ହେଉଛନ୍ତି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଏକ ସରକାରୀ ବିଦ୍ୟାଳୟର ଶିକ୍ଷକ।
ମାଲକାନଗିରି କୋରୁକୋଣ୍ଡା ବ୍ଲକ କଣ୍ଡେଲ ସରକାରୀ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବସନ୍ତ କୁମାର ରଣା। ତାଙ୍କର ଅନନ୍ୟ ପାଠ ପଢ଼ା ପାଇଁ ବସନ୍ତ ସାର୍ ସଭିଙ୍କ ଭାରି ଆପଣାର। ଆଉ ସବୁଠାରୁ ଗର୍ବର ବିଷୟ ହେଉଛି ଚଳିତ ବର୍ଷ ମାଲକାନଗିରିର ଏହି ଶିକ୍ଷକ ପାଇବାକୁ ଯାଉଛନ୍ତି ଜାତୀୟ ଶିକ୍ଷକ ପୁରସ୍କାର। ନାଚିଗାଇ ପିଲାଙ୍କୁ ପାଠ ପଢାଇ ସମସ୍ତଙ୍କର ପ୍ରିୟ ଶିକ୍ଷକ ପାଲଟିଛନ୍ତି ବସନ୍ତ । ୩୦ ବର୍ଷ ହେଲା ସେ ଶିକ୍ଷକତା କରୁଥିବାବେଳେ ବିଭିନ୍ନ ଅଞ୍ଚଳରେ ପିଲାଙ୍କୁ ପାଠ ପଢାଇଛନ୍ତି। ଆଦିବାସୀ ଅଞ୍ଚଳରେ ଶିକ୍ଷାର ବିକାଶରେ ପ୍ରମୁଖ ଭୂମିକା ନିଭାଇଛନ୍ତି ।
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର କୁନି କୁନି ପିଲାଙ୍କୁ ବେଶ୍ ଭଲ ପାଆନ୍ତି ଶିକ୍ଷକ ବସନ୍ତ କୁମାର ରଣା । ଶିକ୍ଷକ ଓ ଶିକ୍ଷାକୁ ବୃତ୍ତି ଭାବେ ବାଛି ନେଇଥିବା ବସନ୍ତ ସାର ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସଦା ସର୍ବଦା ଚେଷ୍ଟିତ। ଆଉ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଉତ୍ସର୍ଗୀକୃତ। କଣ୍ଡେଲ ବିଦ୍ୟାଳୟ ପୂର୍ବରୁ ଉପାନ୍ତର, ବିଚ୍ଛିନ୍ନ ଅଂଚଳରେ ଶିକ୍ଷା ଦାନ କରିଛନ୍ତି ବସନ୍ତ ସାର୍ । ସଭିଙ୍କ ପ୍ରିୟ ବସନ୍ତ ସାର୍ ପାଇବେ ଆଓ୍ବାର୍ଡ। ଯାହାକୁ ଶୁଣି ସାରା ଅଞ୍ଚଳରେ ଖେଳିଯାଇଛି ଖୁସିର ଲହରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)