/odishatv-khabar/media/post_attachments/uploadimage/library/16_9/16_9_0/IMAGE_1729779809.jpg)
Cyclone Dana
ଲାଣ୍ଡଫଲ ପୂର୍ବରୁ ତୋଡ଼ ଦେଖାଇଛି ବାତ୍ୟା ଦାନା । ଉପକୂଳ ଓଡ଼ିଶା ବିଶେଷ କରି କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ଲଗାଣ ବର୍ଷା, ପବନ ସାଙ୍ଗକୁ ଅଶାନ୍ତ ହୋଇ ଉଠିଛି ସମୁଦ୍ର । କେଉଁଠି ସମୁଦ୍ର କୂଳ ଲଂଘିଛି, ତା ଆଉ କେଉଁଠି ଆସିଛି ଉଚ୍ଚ ଉଚ୍ଚ ଜୁଆର । ସେହିଭଳି ଆଉ କିଛି ଜିଲ୍ଲାରେ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ିଥିବା ଚିତ୍ର ସାମନାକୁ ଆସିଛି ।
ଭଦ୍ରକର ଧାମରା, କେନ୍ଦ୍ରାପଡ଼ାର ଭିତରକନିକା । ବାତ୍ୟା ଦାନା ଏ ଦୁଇ ଅଞ୍ଚଳ ମଧ୍ୟରେ ସ୍ଥଳଭାଗ ଛୁଇଁବା ପୂର୍ବରୁ ଅଶାନ୍ତ ଓ ଅସ୍ଥିର ହୋଇଛି ସମୁଦ୍ର । ଲାଣ୍ଡଫଲର କେଇ ଘଣ୍ଟା ଆଗରୁ ଆଜି ଦିନ ତମାମ ଦେଖିବାକୁ ମିଳିଛି ଉପକୂଳ ଅଞ୍ଚଳରେ ସମୁଦ୍ରର ଏଭଳି ଉଗ୍ର ରୂପ । ଧାମରାରେ କିଛି ମତ୍ସ୍ୟଜୀବୀ ନିଜ ମାଛଧରା ଡଙ୍ଗାକୁ ଲଙ୍ଗର ପକାଇ ସୁରକ୍ଷିତ ରଖିଥିଲେ ବି ତାକୁ ସମୁଦ୍ର ଭିତରକୁ ଟାଣି ନେଇ ଓଲଟାଇ ଦେଇଥିଲା ଶକ୍ତିଶାଳୀ ଜୁଆର ।
ଯାହାକୁ ଉଦ୍ଧାର କରି ପୁଣି ସ୍ଥିତାବସ୍ଥାକୁ ଫେରାଇ ଆଣିବା ଯାଏଁ ନାକେଦମ ହୋଇଥିଲେ ମତ୍ସ୍ୟଜୀବୀ । ଏପଟେ କେନ୍ଦ୍ରାପଡ଼ା ପେଣ୍ଠ ଅଞ୍ଚଳରେ ବି କୂଳ ଲଂଘିଥିଲା ସମୁଦ୍ର । ସାଧାରଣ ଭାବେ ଏ ସୁରକ୍ଷା ବନ୍ଧଠୁ ପ୍ରାୟ ୪୦ରୁ ୫୦ ଫୁଟ ଦୂରରେ ରହୁଥିବା ବେଳେ ଆଜି କିନ୍ତୁ ଦାନା ପ୍ରଭାବରେ ଖୁବ ଜୁଆରିଆ ହୋଇ ଉଠିଛି ସମୁଦ୍ର ।
ବାତ୍ୟା ଯୋଗୁଁ ପ୍ରାୟ ୧୦ ଫୁଟ ଉଚ୍ଚତାରେ ଜୁଆର ଆସୁଥିବାରୁ ଏହାକୁ ନେଇ ଛାନିଆ ସ୍ଥାନୀୟ ଅଞ୍ଚଳର ଲୋକେ । ସେହିଭଳି ଭିତରକନିକା ଜାତୀୟ ଉଦ୍ୟାନରେ ମଧ୍ୟ ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବୁଡ଼ି ରହିଛି ଜାତୀୟ ଉଦ୍ୟାନର ଅନେକ ଅଞ୍ଚଳ । ସେପଟେ କେନ୍ଦ୍ରାପଡ଼ା ରାଜନଗର ବ୍ଲକର ତାଳଚୁଆ ଓ ରାଜେନ୍ଦ୍ରନଗରରେ ଖୁବ୍ ତୋଡ଼ ଦେଖାଉଛି ସମୁଦ୍ର ।
ଦାନା ପ୍ରଭାବରେ ସମୁଦ୍ରର ଏ କରାଳ ରୂପକୁ ଦେଖ ଆଗୁଆ ବାଲିବସ୍ତା ପକାଇ ଅଘଟଣ ରୋକିବାକୁ ଉଦ୍ୟମ ଚଳାଇଥିଲେ ସ୍ଥାନୀୟ ଲୋକେ । କେନ୍ଦ୍ରାପଡ଼ା ଓ ଭଦ୍ରକ ଭଳି ପୁରୀ, ବାଲେଶ୍ୱର, କଟକ ଓ ଜଗତସିଂହପୁର ଜିଲ୍ଲାରେ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ କୋପ ଦେଖାଇଛି ଦାନା । କାଲି ରାତିରୁ ବର୍ଷା ଓ ପବନ ଯୋଗୁଁ ପୁରୀ ଅସ୍ତରଙ୍ଗ ରାସ୍ତାରେ ଉପୁଡି ଯାଇଥିଲା ବିରାଟ ଗଛ ।
ସେହିଭଳି ବାଲେଶ୍ୱର ବସ୍ତା ଓ ମୟୂରଭଞ୍ଜର ବେତନଟୀରେ ଗଛ ଭାଙ୍ଗିବା ସହ ବିଦ୍ୟୁତ ସରବରାହ ବ୍ୟବସ୍ଥା ପ୍ରତି କ୍ଷତି ପହଞ୍ଚାଇଛି ବର୍ଷା ପବନ । ଏପଟେ କେନ୍ଦ୍ରାପଡ଼ା ମହାକାଳପଡ଼ାରେ ବି କିଛି ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଥିଲେ ଏହାକୁ ତୁରନ୍ତ ହଟାଇ ନେଇ ରାସ୍ତା କ୍ଲିୟର କରିଥିଲେ ଅଗ୍ନିଶମ ବାହିନୀର ଯବାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)