• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମଝି ରାତିରେ ଦାନବ ପରି ମାଡ଼ି ଆସିଥିଲା ବାତ୍ୟା ‘ଦାନା’ । ରାତି ପାହିଲା ବେଳକୁ ଅସମ୍ଭାଳ ବର୍ଷା ଅଜାଡ଼ି, ଉଜାଡ଼ି ଦେଇଗଲା ସବୁକିଛିକୁ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା । ବାତ୍ୟା ଫେରିଯିବାର ୩ ଦିନ ପରେ ବି ଏହି ୩ ଜିଲ୍ଲାରେ ଛାଇ ରହିଛି ଦୁଃଖର କଳା ବାଦଲ । ଜଳବନ୍ଦୀ ଜୀବନ ଭିତରେ ଶହ ଶହ ପରିବାର ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରୁଥିଲେ ବି ସରକାରୀ ସହାୟତାକୁ ଅନାଇଁ ରହିଛନ୍ତି ସମସ୍ତେ ।

ଫେରିଯାଇଛି ବାତ୍ୟା...ନା ମେଘ ଅଛି ନା ପବନ...ଉଦୁଉଦୁଆ ଖରା...ହେଲେ ଦାଉ ସାଧୁଛି ବାତ୍ୟା ପରବର୍ତ୍ତୀ ବର୍ଷା ଜଳ । ତାରି ଭିତରେ ୨ ଦିନ ଧରି କଷ୍ଟେ ମଷ୍ଟେ ଚଳିଯିବା ପରେ ଆଜି ବତୁରା ଚୁଲିରେ ହାଣ୍ଡି ବସି ଭାତ ଫୁଟିଛି । ହେଲେ ଘରୁ ପଦାକୁ ଗୋଡ଼ କାଢ଼ିଲା ବେଳକୁ ଘର ଦାଣ୍ଡରେ ଢେଉ ଖେଳୁଛି ବର୍ଷା ପାଣି ।

ସାଳନ୍ଦୀ ଓ ଶାଖା ନଦୀ ନାଳିଆ ଫୁଲିଥିବାରୁ ଯୁଆଡ଼େ ଚାହିଁବେ ପାଣି । ଗାଁ ଦେବତୀ ବି ଜଳବନ୍ଦୀ । ଭଦ୍ରକ ତିହିଡ଼ି ବ୍ଲକର ୭ଟି ପଞ୍ଚାୟତ ଏବଂ ଧାମନଗର ବ୍ଲକର ପ୍ରାୟ ୭ଟି ପଞ୍ଚାୟତ ୧୫ ଗାଁ ଏବେ ବି ଏଭଳି ଜଳବନ୍ଦୀ ଅବସ୍ଥାରେ ।

ନିରବ ଘାତକ ସାଜି ଫେରି ଯାଇଥିବା ବାତ୍ୟା ଦାନାର ଏବେ ବି ରହିଛି ପଦଚିହ୍ନ । ଭଦ୍ରକ ସୁଦର୍ଶନପୁର ପଞ୍ଚାୟତ ଜଗନ୍ନାଥି ଗାଁ । ଯେଉଁଠି ପବନ ମାଡ଼ରେ ଗଛ ଟଳି ପଡ଼ିବାରୁ ମାଟିରେ ଲୋଟିପଡ଼ିଛି ଘର । ପଢୁଆ ପଞ୍ଚାୟତ ମଳିକ ସାହିରେ ସମାନ ଅବସ୍ଥା ।

ତାଙ୍କ ଘରଦ୍ୱାର ବି ଧୂଳିସାତ ହୋଇଯାଇଛି । ଏବେ ମୁଣ୍ଡ ଗୁଞ୍ଜିବାକୁ ବାରଦୁଆର ହେଉଛନ୍ତି ଏହି ବିପନ୍ନ ପରିବାର । ବାତ୍ୟା ଦାନା ଖାଲି ଆସିଲାନି, ବରଂ ଚାଷୀର ବର୍ଷକର ଦାନାପାଣି ଛଡ଼ାଇନେଲା । ବାସୁଦେବପୁରରେ ଶହ ଶହ ହେକ୍ଟର ପାଚିଲା ଧାନ କ୍ଷେତ ପାଣିରେ ବତୁରିଯାଇଛି ।

ବାଡିରେ ଉଜୁଡି ପଡ଼ିଛି ପରିବା କ୍ଷେତ । ସେହି ବାସୁଦେବପୁରର ଅଟଳ ବିହାରୀ ସ୍କୁଲ ପରିସରରେ କିଟିମିଟି ଅନ୍ଧାର ଭିତରେ ଟର୍ଚ୍ଚ ଆଲୁଅରେ ଖାଦ୍ୟ ଖାଉଛନ୍ତି ହଷ୍ଟେଲ ଅନ୍ତେବାସୀ । ଏଯାଏଁ ସ୍ୱାଭାବିକ ହୋଇପାରୁନି ବିଦ୍ୟୁତ ସରବରାହ । ପରିଣାମ ସ୍ୱରୂପ ମୋବାଇଲ୍ ଚାର୍ଜ ପାଇଁ ନୂଆଗାଁ ଅଞ୍ଚଳରେ ଏକ ଭଡ଼ା ଜେନେରେଟର ପାଖରେ କେମିତି ଭିଡ଼ ଜମାଇଛନ୍ତି ।

ଘଣ୍ଟାଏ ମୋବାଇଲ ଚାର୍ଜିଂ ପାଇଁ କୁଆଡ଼େ ୨୦ ଟଙ୍କା ଦେବାକୁ ପଡୁଛି । ବିପର୍ଯ୍ୟୟର ପଦ ଚିହ୍ନ ଦାଉ ଦାଉ ଦେଖାଯାଉଛି କେନ୍ଦ୍ରାପଡ଼ା ଆଉ ବାଲେଶ୍ୱର ଜିଲ୍ଲାରେ । ରାଜନଗର ବ୍ଲକ ସlତଭାୟା ପଞ୍ଚାୟତର ଚାରି ଗାଁ l ଏଇଠି ଥିବା ୧୨୦ ପରିବାରକୁ ପକ୍କା ଘର ନଥିବାରୁ ଦାନା ଉଜାଡ଼ିଯିବା ପରଠୁ ଦୟନୀୟ ଅବସ୍ଥାରେ ଜୀଉଁଛନ୍ତି ।

କାନ୍ଥ ଭୁଶୁଡ଼ି ଚାଳ ଛପର ଉଡ଼ିଯାଇଛି । ଆଳି ବ୍ଲକ ନିଆଳ ପଞ୍ଚାୟତରେ ଅସରନ୍ତି ଦୁର୍ଦ୍ଦଶା । ଲୋକଙ୍କ ଘର ଭିତରେ ଆଜି ବି ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଏପଟେ ବୁଢ଼ାବଳଙ୍ଗର ନଦୀ ପାଣି ସାମାନ୍ୟ ଖସିଛି ସତ, କିନ୍ତୁ ବାଲେଶ୍ୱର ଦୁମୁଦା ପଂଚାୟତରେ ସରୁନି ଦୁର୍ଦ୍ଦଶା ।

ସୋନ୍ ଏବଂ ବୁଢ଼ାବଳଙ୍ଗ ନଦୀ ଘେରରେ ଥିବା ଦୁମୁଦା ପଞ୍ଚାୟତରେ ଚାଷୀର ବର୍ଷକର ଦାନା ପାଣିର ଭବିଷ୍ୟତ ଧୋଇଯାଇଛି । ଉଜୁଡ଼ି ଯାଇଛି କ୍ଷେତବାଡ଼ି । ତେବେ ରାଜସ୍ୱ ମନ୍ତ୍ରୀଙ୍କ କହିବା କଥା, ବାତ୍ୟା ପ୍ରଭାବରେ ୧୪ ଜିଲ୍ଲାର ୧୬ ଶହ ୭୧ଟି ପଞ୍ଚାୟତ ଏବଂ ୩୧ଟି ସହରାଞ୍ଚଳର ୪୨୬ଟି ୱାର୍ଡ ବାସିନ୍ଦା ପ୍ରଭାବିତ ହୋଇଛନ୍ତି । ମୋଟ୍ ୩୫ ଲକ୍ଷ ୯୫ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୧ ଲକ୍ଷ ୨୫ ହଜାର ୯୧ଟି ଘର କ୍ଷତିଗ୍ରସ୍ତ ହୋଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now