/odishatv-khabar/media/post_attachments/uploadimage/library/16_9/16_9_0/IMAGE_1730041867.jpg)
Cyclone Dana Aftermath
ପ୍ରତି ବର୍ଷ ବାତ୍ୟା ଆସୁଛି । ଝାଟି ମାଟି ଘର ଭାଙ୍ଗୁଛି । ଆଉ ବିପନ୍ନ ପୁଣିଥରେ ସେଇ କଚ୍ଚା ଘର ତିଆରି କରୁଛି । ପିଏମ୍ ଆବାସ ପାଇଁ ଆବେଦନ କରି ହିତାଧିକାରୀ ବଞ୍ଚିତ ହେଉଛନ୍ତି । ପୂର୍ବର ବିଜେଡି ସରକାରର ଏହି ବ୍ୟବସ୍ଥାକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କଡ଼ା ସମାଲୋଚନା କରିବା ସହ ସ୍ଥାୟୀ ସମାଧାନ ଲାଗି ପ୍ରକ୍ରିୟା ଆରମ୍ଭ କରାଯାଇଥିବା କହିଛନ୍ତି ।
ନିକଟରେ ବିଧାନସଭାରେ ଆସିଥିବା ତଥ୍ୟ ଅନୁଯାୟୀ, ବିଜେଡି ସରକାର ସମୟରେ ତାଲିକା ଦେଇ ନପାରିବାରୁ ପ୍ରାୟ ୬ ଲକ୍ଷ ୫୭ ହଜାର ପକ୍କା ଘର ଫେରି ଯାଇଥିଲା । ଝାଟି ମାଟି ଘର ଭାଙ୍ଗିଥିଲେ ତାର ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦିଆଯିବ । କିନ୍ତୁ କାହିଁକି ଏତେ ଗରିବ ଶ୍ରେଣୀର ଲୋକ ପିଏମ୍ ଆବାସ ଯୋଜନାର ସୁବିଧା ଏଯାଏଁ ପାଇପାରିନାହାନ୍ତି?
ମନ୍ତ୍ରୀ କହିଛନ୍ତି ଆମ ସରକାର ଦୀର୍ଘ ମିଆଦି ପଦକ୍ଷେପ ନେବାକୁ ଯାଉଛନ୍ତି । ଯେପରି ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ଆଉ ଆଗକୁ ଘର ଭାଙ୍ଗିବନି । ସେପଟେ ବିଜେଡି କହିଛି ନବୀନ ସରକାରରେ ଆବାସ ଯୋଜନାରେ କୌଣସି ଦୁର୍ନୀତି ହୋଇନି ।
ଦୁଇ ବାତ୍ୟା ବିପନ୍ନ ହେଲେ ଦୀପକ କୁମାର ନାୟକ ଓ ନାରାୟଣ ନାୟକ । ବାଲେଶ୍ୱର ଶିମୁଳିଆର ବାସିନ୍ଦା । ବାତ୍ୟା ଦାନା ଏମାନଙ୍କ କଚ୍ଚା ଘରକୁ ଭାଙ୍ଗିଦେଇଛି । ଆଶ୍ଚର୍ଯ୍ୟର କଥା ହେଲା ଉଭୟ ଦୀପକ ଓ ନାରାୟଣ ଆବାସ ପାଇଁ ଆବେଦନ କରିଥିଲେ ବି ପୂର୍ବ ସରକାର ଏମାନଙ୍କୁ ଘର ଯୋଗାଇ ପାରିନି ।
ପ୍ରକୃତ ହିତାଧିକାରୀ ହୋଇ ବି ଆବାସ ଯୋଜନାରେ ପକ୍କା ଘର ପାଇପାରି ନାହାନ୍ତି । ଆଉ ବାତ୍ୟା ଦାନା ଏବେ ଘରକୁ ତ ଭାଙ୍ଗିନି ସତେ ଯେମିତି ଭାଙ୍ଗିଦେଇଛି ଅଣ୍ଟାକୁ । ନିକଟରେ ବିଧାନସଭାରେ ଆସିଥିବା ତଥ୍ୟରୁ ଜଣାପଡ଼ିଛି, ବିଜେଡି ସରକାର ସମୟରେ ତାଲିକା ନଦେବାରୁ ୬ ଲକ୍ଷ ୫୬ ହଜାର ୯୪୫ ପକ୍କା ଘର ଫେରି ଯାଇଥିଲା ।
୨୦୧୬ରୁ ୨୦୨୩ ମଧ୍ୟରେ ଯୋଗ୍ୟ ହିତାଧିକାରୀଙ୍କ ଧାର୍ଯ୍ୟ ଲକ୍ଷ୍ୟ ଥିବା ତାଲିକା ଦେଇ ପାରିନଥିଲେ ନବୀନ ସରକାର । ବର୍ତ୍ତମାନ ସୁଦ୍ଧା ୪୨ ଲକ୍ଷ ୧୮ ହଜାର ୩୬୪ ପକ୍କା ଘର ମିଳିଥିବା ବେଳେ ଏବେ ବି ୧ ଲକ୍ଷ ୨୬ ହଜାର ୭୧୯ ପରିବାର ଆବେଦନ କରି ଘର କେବେ ମିଳିବ ଅପେକ୍ଷା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)