• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାଲେଶ୍ୱରରେ ସୁଧୁରିଛି ସ୍ଥିତି, କୋହଳ ହେଉଛି କର୍ଫ୍ୟୁ । ହେଲେ ସ୍ୱାଭାବିକ ହୋଇନି ମୋବାଇଲ୍ ଇଣ୍ଟରନେଟ୍ ସେବା । ଇଦରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦକୁ ନେଇ ସହରରେ ଜାରି ହୋଇଥିଲା କର୍ଫ୍ୟୁ । ସେବେଠୁ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ପୂର୍ବରୁ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ସମ୍ପୂର୍ଣ୍ଣ କର୍ଫ୍ୟୁ ହଟିଥିବା ବେଳେ ଆଜିଠୁ ସହଦେବଖୁଣ୍ଟା ଥାନା ଅଞ୍ଚଳରେ ସକାଳ ୫ରୁ ରାତି ୯ଟା ଯାଏଁ କର୍ଫ୍ୟୁ କୋହଳ କରାଯାଇଛି ।

ଟାଉନ ଥାନା ଅଞ୍ଚଳରେ ପୂର୍ବ ପରି ସକାଳ ୫ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ କୋହଳ ରହିବ କର୍ଫ୍ୟୁ । ଲିଜ୍ ଲାଇନ୍, ଲାଣ୍ଡ ଲାଇନ୍ ଓ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ ସେବା ମିଳୁଥିବା ବେଳେ ମୋବାଇଲ ଇଣ୍ଟରନେଟକୁ ବାରଣ କରିଛି ପ୍ରଶାସନ । ଗୋଷ୍ଠୀ ସଂଘର୍ଷ ଘଟଣାରେ ମୋଟ ୧୯ଟି ମାମଲା ରୁଜୁ ହୋଇଛି । ଗିରଫ ସଂଖ୍ୟା ୭୫ରେ ପହଞ୍ଚିଛି ।

ସାମ୍ପ୍ରତିକ ପରିସ୍ଥିତିକୁ ନେଇ ସମ୍ବେଦନଶୀଳ ଅଞ୍ଚଳମାନଙ୍କରେ ଡ୍ରୋନ୍ ଦ୍ୱାରା ସ୍ଥିତି ଅନୁଧ୍ୟାନ କରୁଛି ପୋଲିସ । ସେପଟେ ଗୁଜବ ଏବଂ ମିଥ୍ୟା ପ୍ରଚାର ଉପରେ ରୋକ ଲଗାଇବା ପାଇଁ ସାଇବର ଏକ୍ସପର୍ଟମାନେ ନିୟୋଜିତ ଅଛନ୍ତି । ଯେଉଁମାନେ ଗୁଜବ ସୃଷ୍ଟି ଓ ଅପପ୍ରଚାର କରିବେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

ବାଲେଶ୍ୱର ସହରରେ ଧିରେ ଧିରେ ଶାନ୍ତି ଫେରୁଥିଲେ ବି କେବେ କଟକଣା ସମ୍ପୂର୍ଣ୍ଣ ଉଠିବ, ସେନେଇ ଲୋକଙ୍କ ମନରେ ନାନା ପ୍ରଶ୍ନ । ଶୂନଶାନ୍ ସାରା ଇଲାକା...ପଇଁତରା ମାରୁଛି ପୋଲିସ । ମାଇକରେ କରାଯାଉଛି ସତର୍କ... ଗୋଷ୍ଠୀ ସଂଘର୍ଷକୁ ପ୍ରତିହତ ଉଦ୍ଦେଶ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରଶାସନ ଜାରି କରିଥିବା କର୍ଫ୍ୟୁ ପରର ଚିତ୍ର ଅତ୍ୟନ୍ତ ନିଶବ୍ଦ ।

ଏହା ମନେ ପକାଇ ଦେଉଛି, କରୋନା ବେଳର କଥାକୁ... ଶୂନଶାନ ସହରରେ ଅତ୍ୟାବଶ୍ୟକ ସାମଗ୍ରୀ ନପାଇ କିଏ ହନ୍ତସନ୍ତ ତ ଆଉ କିଏ ଦି’ମୁଠା ଖାଇବାକୁ ନପାଇ କଲବଲ । ପ୍ରଶାସନର କର୍ଫ୍ୟୁ କଟକଣାକୁ ହେଲାଣି ୩ ଦିନ । ଆଉ କର୍ଫ୍ୟୁ ମାଡ଼ରେ ସାଧାରଣ ଜନତା ଏବେ ଏଭଳି ହୀନସ୍ତା ହେଉଛନ୍ତି ।

ଦୋକାନ ବଜାର, ରାସ୍ତାଘାଟ ବନ୍ଦ ଥିବାରୁ ନା ଖାଇବାକୁ ପାଉଛନ୍ତି, ନା କୁଆଡ଼େ ଯାଇପାରୁଛନ୍ତି । କେବଳ ଏତିକି ନୁହେଁ, କର୍ଫ୍ୟୁର ଫାଇଦା ନେଇ ବାଲେଶ୍ୱର ସହରରେ ଏବେ ସକ୍ରିୟ ହୋଇଛନ୍ତି ମୁନାଫାଖୋର୍ ବ୍ୟବସାୟୀ । ସୂଚନା ଅନୁସାରେ ଗତ ରବିବାର ସଂଧ୍ୟାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ସେହିଦିନ ରାତିରେ ଏହା ଉଗ୍ରରୂପ ନେଇଥିଲା ।

ଏପରିକି ପୋଲିସ ଉପରକୁ ବି ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା । ଏହା ପରଠାରୁ ଅନିର୍ଦ୍ଦିଷ୍ଟ କାଳ କର୍ଫ୍ୟୁ କବଳରେ ରହିଛି ସାରା ବାଲେଶ୍ୱର ସହର । ଏବେ ବାଲେଶ୍ୱରରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା କହିଛନ୍ତି ଜିଳ୍ଲାପାଳ । ମୁଖ୍ୟମନ୍ତ୍ରୀ ମଧ୍ୟ ପୋଲିସ ଡିଜି ଓ ମୁଖ୍ୟ ଶାସନ ସଚିବଙ୍କ ସହ ବାଲେଶ୍ୱର ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି ।

OTV is now on Whatsapp

Join and get latest news update delivered to you via whatsapp

Join Now