• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Dilip Sabat

ଅମଳ ସମୟରେ ୧ ସପ୍ତାହ ଧରି ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷା, ଫସଲ ନଷ୍ଟ ଏବଂ ୩ ଦିନରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟରେ ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଓଡିଶା ଚାଷୀ ଭୟଙ୍କର ସଙ୍କଟ ଦେଇ ଗତି କରୁଛି । ପ୍ରକୃତିର ଶକ୍ତ ପ୍ରହାର ଚାଷୀର ମେରୁଦଣ୍ଡକୁ ଦୋହଲାଇଦେଇଛି । ଏ ସମସ୍ତ ଘଟଣା ରାଜନୈତିକ କ୍ଷେତ୍ରରେ ବେଶ୍ ତତ୍ପରତା ସୃଷ୍ଟି କରିଛି । ବିରୋଧୀଦଳର ନେତାମାନେ ଧାନବିଲ ବୁଲି କୃଷକମାନଙ୍କ ସହିତ ଫସଲ କ୍ଷୟକ୍ଷତି ବିଷୟରେ ଆଲୋଚନା କରିବା ସହିତ ମୃତ ଚାଷୀଙ୍କ ପରିବାରକୁ ଭେଟିବା ଏବଂ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ସରକାରୀ ଦଳ ଓ କଳ କ୍ଷେତଆଡକୁ ମୁହାଁଇଲେ । ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦକ୍ଷିଣ ଓଡିଶାର କ୍ଷତିଗ୍ରସ୍ତ କୃଷକମାନଙ୍କ ଗହଣକୁ ଯାଇ ବିଲ ହିଡରେ ଠିଆ ହୋଇ ଚାଷୀଙ୍କସହିତ ଆଲୋଚନା କରି ବିରୋଧୀଙ୍କୁ ଜବାବ ଦେଲେ । ଦୁଇ ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନେ ମଧ୍ୟ କ୍ଷେତକୁ ଯାଇ ଚାଷୀଙ୍କ ଦୁଃଖରେ ଠିଆ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ: ଖୋଲା ଆକାଶ ତଳେ ପଡିରହିଛି ସୁନାର ଫସଲ...ଚାଷୀକୁ ବର୍ଷା ଚିନ୍ତା...

ଯଦିଓ ରାଜ୍ୟ ସରକାର କ୍ଷୟକ୍ଷତିର ଆକଳନ କରି ଉଚିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଧାନକ୍ଷେତ ସମ୍ପୂର୍ଣ୍ଣ ଉଜୁଡ଼ିଯିବା ଦୃଶ୍ୟ ଅନେକ ଋଣଗ୍ରସ୍ଥ ଚାଷୀମାନଙ୍କୁ ଅସହାୟ ଅବସ୍ଥାରେ ପକାଇ ଦେଇଛି । ଏହାକୁ ଦୃଷ୍ଟିରେରଖି ସେମାନଙ୍କର ଏଭଳି ଦୁଃଖ ଓ ବିପତ୍ତି ସମୟରେ ରାଜ୍ୟ ସରକାର ଚାଷୀଙ୍କ ସାଙ୍ଗରେ ଦୃଢତାର ସହିତ ଅଛନ୍ତି ବୋଲି ଯଦି ପ୍ରଥମରୁ ଚାଷୀଙ୍କୁ ବିଶ୍ୱାସ ଓ ଭରସା ଦେଇଥାନ୍ତେ ହୁଏତ ଚାଷୀ ମୃତ୍ୟୁ ଘଟଣାକୁ ଏଡାଯାଇ ପାରିଥାନ୍ତା । ଚାଷୀମାନଙ୍କୁ ଆଶ୍ୱାସନା ଦେବାପାଇଁ ସରକାର ସେମାନଙ୍କର ସମସ୍ତ କ୍ଷତି ଭରଣା କରିବା ଓ ଋଣ ପରିଶୋଧ ପାଇଁ ଚାଷୀ କୌଣସି ଚିନ୍ତା ନକରିବା ନେଇ ପ୍ରତିଶ୍ରୁତି ଦେବା ଜରୁରୀ ଥିଲା । କିନ୍ତୁ ଚାଷୀମାନଙ୍କ ମୃତ୍ୟୁ ଘଟଣାକୁ ଧାନ କ୍ଷତି ଜନିତ ପରିସ୍ଥିତି ପାଇଁ ସୃଷ୍ଟି ହେଲା ବୋଲି ସରକାର ସ୍ୱୀକାର ନକରି ଏହାର କାରଣ ତଦନ୍ତ କରାଯାଉଥିବା ବିଷୟ ଅନେକଙ୍କୁ ମର୍ମାହତ କରିଛି । 

ଚାଷୀ ଆତ୍ମହତ୍ୟା ମାନିନଥିଲେ ପୂର୍ବ ସରକାର

ଓଡିଶା ଜନସଂଖ୍ୟାର ସମୁଦାୟ ୭୦ ପ୍ରତିଶତ ଲୋକେ ଚାଷ ଉପରେ ନିର୍ଭର କରନ୍ତି । ଯାହାଙ୍କର ପ୍ରଧାନ ଚାଷ ହେଉଛି ଧାନ । ଏତେ ବଡ଼ ଭୋଟବ୍ୟାଙ୍କକୁ ଦୃଷ୍ଟିରେ ରଖି ବିଜେଡି ସରକାର ‘କାଳିଆ’ ସହିତ ଅନେକ ଆକୃଷ୍ଟ ଯୋଜନା କରିଥିଲେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ କ୍ଷତିରେ ବ୍ୟବସ୍ଥାର ଉଦାସୀନତା, ଚାଷକ୍ଷେତ୍ରରେ କୃଷକର ଋଣବୋଝ ଏବଂ ମଣ୍ଡିରେ ଅବ୍ୟବସ୍ଥା ଓ କଟଣି ଛଟଣିକୁ ନେଇ ସମସ୍ୟା ଲାଗି ରହିଲା । ବିପର୍ଯ୍ୟୟ ଦ୍ୱାରା ଫସଲ କ୍ଷୟକ୍ଷତି ଯୋଗୁ ବହୁଳଭାବରେ ଚାଷୀ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଥିଲା । ତେବେ ସେହି ସମୟରେ ମଧ୍ୟ ପୂର୍ବ ସରକାର ଏହାକୁ କୃଷିଜନିତ କିମ୍ବା ଋଣ କାରଣରୁ ମୃତ୍ୟୁ ବୋଲି ସ୍ୱୀକାର କରିନଥିଲେ । ଏହା ପଛରେ ପାରିବାରିକ କଳହ, ମଦଜନିତ ମୃତ୍ୟୁ ଆଦି କାରଣ ଥିବା ଦର୍ଶାଯାଇଥିଲା । ଯାହାଫଳରେ ପୂର୍ବ ସରକାର ଚାଷୀମାନଙ୍କ ଠାରେ ଭରସା ଓ ବିଶ୍ୱାସ ହରାଇଲେ । ୨୦୨୪ ନିର୍ବାଚନରେ ସରକାର ପରିବର୍ତ୍ତନ ହେଲା ।

ଚାଷୀଙ୍କ ଉତ୍ସାହ ଓ ପ୍ରାକୃତିକ ବିପର୍ଯ୍ୟୟ

ଓଡିଶାରେ ବିଜେପି ସରକାର ଗଠନ ହେବା ପରେ ଧାନ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ଖରିଦକୁ ନେଇ ଚାଷୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି କରିଥିଲା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ ଠାରୁ ୮୦୦ଟଙ୍କା ଅଧିକ ମୂଲ୍ୟରେ ରାଜ୍ୟରୁ ୮୦ ଲକ୍ଷ ଟନ୍ ଧାନ କିଣିବେ ବୋଲି ସରକାର ଘୋଷଣା କଲେ । ଏଥିରେ ଆକୃଷ୍ଟ ଚାଷୀ ବିଭିନ୍ନ ସୂତ୍ରରୁ ଋଣ କରି ଜମିରେ ଚାଷ କଲେ । ଚଳିତ ଖରିଫ ଋତୁରେ କ୍ଷେତରେ ସୁନାର ଫସଲ କରିଥିଲା ଚାଷୀ ।

ତେବେ ଉପକୂଳ ଓ ଦକ୍ଷିଣ ଓଡିଶାରେ ଅମଳ ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଚାଷୀମାନଙ୍କ ଧାନ ବିଲରେ ପାଣି ଭର୍ତି ହୋଇ ଧାନଗୁଡ଼ିକ ସବୁ ଗଜା ହୋଇଗଲା । ଯେଉଁମାନେ ଧାନ କାଟି ଅମଳ କରି ନପାରିଥିଲେ ସେମାନଙ୍କ ଧାନଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଗଲା । ତମାମ ବର୍ଷର ପରିଶ୍ରମରେ ଋଣଗ୍ରସ୍ତ ହୋଇ ଚାଷୀ ଯେଉଁ ଫସଲ ଫଳାଇଥିଲା, ସେସବୁରେ ପାଣି ମାଡିଯାଇଥିବା ଦେଖି ଚାଷୀ ଚିନ୍ତାଗ୍ରସ୍ତ । ସେପଟେ ପଶ୍ଚିମ ଓଡ଼ିଶା ତଥା ଧାନ ଅମଳ ସରିଥିବା ଅଞ୍ଚଳ ଗୁଡିକରେ ମଣ୍ଡି ଜନିତ ସମସ୍ୟା, ଧାନରମାନ ନିଦ୍ଧାରଣରେ ସମସ୍ୟା, କଟନି ଛଟନି ଆଦି ଘଟଣାରେ ଚାଷୀଙ୍କ ଅସନ୍ତୋଷ ଓ ପ୍ରତିବାଦ ସାମ୍ନାକୁ ଆସିଛି । ଏ ସମସ୍ତ ଘଟଣାର ମୁକାବିଲା ସହିତ ଚାଷୀଙ୍କ ବିଶ୍ୱାସଭାଜନ ହେବା ସରକାରୀ ଦଳ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି ।

ଆତ୍ମହତ୍ୟାର ସ୍ୱୀକାରୋକ୍ତି 

୨୦୨୪ ବର୍ଷକୁ ସ୍ମରଣୀୟ ବିଦାୟ ଓ ନୂଆ ବର୍ଷକୁ ସ୍ୱାଗତ ପାଇଁ ଉତ୍ସବ ମୁଖର ପରିବେଶ ଭିତରେ ରାଜ୍ୟରେ ଚାଷୀମାନଙ୍କକ୍ଷେତ୍ରରେ ଅତ୍ୟନ୍ତ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି ଅଦିନିଆ ଲଗାଣ ବର୍ଷା । ଆଖି ଆଗରେ ତମାମ ବର୍ଷକର ଫସଲ ନଷ୍ଟ ହେବାର କଷ୍ଟକୁ ସହିପାରି ନାହିଁ ଚାଷୀ । ଚାଷ ଋଣରୁ କିଭଳି ମୁକୁଳିବେ, ପିଲା ପରିବାର କେମିତି ଚଳିବେ ଏଭଳି ଚିନ୍ତାରେ ଜଣକ ପରେ ଜଣେ ୪ଜଣ ଚାଷୀଙ୍କ ପ୍ରାଣ ହରାଇଥିବା ଖବର ପ୍ରକାଶ ପାଇଲା । ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲା ବଡମାଧବପୁରର ବନମାଳୀ ପେଣ୍ଠେଇ (୬୪), କେନ୍ଦ୍ରାପଡା ଡେରାବିଶ ସ୍ଥିତ ସନ୍ଥପୁରାର ଭାବଗ୍ରାହୀ ମଲ୍ଲିକ (୫୨) ଏବଂ କୋସିଲା ଗାଁର ଦୈତାରୀ ଜେନା (୭୨) ଓ ଜଗତସିଂହପୁର ଚାନ୍ଦପୁରାର ଧ୍ରୁବ ସ୍ୱାଇଁ (୭୨) ଆଦି ଚାଷୀଙ୍କର ଆତ୍ମହତ୍ୟା ଅଭିଯୋଗ ସାମ୍ନାକୁ ଆସିଛି ।

ଲଘୁଚାପ ଜନିତ ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ପ୍ରାୟ ୨୧ଟି ଜିଲ୍ଲାରେ ବ୍ୟାପକ ଫସଲ ଓ ପନିପରିବା କ୍ଷତି ଚାଷୀଙ୍କୁ ସଙ୍କଟ ମଧ୍ୟକୁ ଠେଲିଦେଇଛି । କାଦୁଅ ପଚପଚ, ପାଣି ସରସର ବିଲରୁ ଧାନକୁ କାଢି ଆଣି ରାସ୍ତା କଡରେ ଶୁଖାଇ ଫସଲକୁ ଜୀବନ୍ୟାସ ଦେବାର ଭରପୁର ଉଦ୍ୟମରେ ଲାଗିଛନ୍ତି ଅନେକ ଚାଷୀ । ୩୧୦୦ ଟଙ୍କାରେ ଧାନ ଖରିଦ ପାଇଁ ଆହ୍ୱାନ ଦେଇ ବିଜେପି ସରକାର ଚାଷୀଙ୍କୁ ଉତ୍ସାହିତ କରିଥିଲେ। ତେବେ ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ତଥା ବିପତ୍ତି ବେଳରେ ଚାଷମାନଙ୍କ ସହିତ ସରକାର ଦୃଢତାର ସହିତ ଠିଆ ହେବା ସହ ସେମାନଙ୍କ ବିଶ୍ୱାସ ଜିତବା ଚ୍ୟାଲେଞ୍ଜ ହୋଇପଡିଛି ।

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକଙ୍କ ନିଜସ୍ୱ ମତ)

ଅଧିକ ପଢ଼ନ୍ତୁ: ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁଡ଼ା ଫସଲ ଦେଖି ଅଧା ଓଡ଼ିଶାର ଚାଷୀ ଆଖିରେ ଲୁହ

OTV is now on Whatsapp

Join and get latest news update delivered to you via whatsapp

Join Now