• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

'ସୁଭଦ୍ରା'କୁ ନେଇ ଦୂର ହେଲା ବଡ଼ ଦ୍ୱନ୍ଦ୍ବ । ଆକାଉଣ୍ଟକୁ ଟଙ୍କାଟିଏ ଯାଇନଥିଲେ ବି ଆସନ୍ତାକାଲି ଯିବ ସୁଭଦ୍ରା ଟଙ୍କା । ଆଉ ୧୭ ତାରିଖ ପରେ ପଞ୍ଜୀକରଣ କରୁ କରୁ ଯାଞ୍ଚ ପରେ ସଙ୍ଗେ ସଙ୍ଗେ ପାଇବେ ପ୍ରଥମ କିସ୍ତି । ସେଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ । ଆଜି ଏଭଳି ସୂଚନା ଦେଇ ଦ୍ୱନ୍ଦ୍ବ ଦୂର କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଗତକାଲି ପରୀକ୍ଷାମୂଳକ ଭାବେ କିଛି ଆକାଉଣ୍ଟକୁ ଟଙ୍କାଟିଏ ଲେଖାଏଁ ଯାଇଥିଲା । ଅନେକ ଆବେଦନକାରୀଙ୍କ ପାଖକୁ ଯାଇନଥିଲା । ଯାହାକୁ ନେଇ ସୃଷ୍ଟି ହୋଇଥିଲା ଦ୍ୱନ୍ଦ୍ବ । ଟଙ୍କାଟେ ପାଇନଥିବା ମହିଳାଙ୍କର ଆଶଙ୍କା ଥିଲା ସେମାନେ ବୋଧ ହୁଏ ଯୋଜନାରେ ସାମିଲ ହୋଇପାରିବେନି । କିନ୍ତୁ ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି, କେବଳ ସିଷ୍ଟମ୍ ଯାଞ୍ଚ ପାଇଁ ଟଙ୍କାଏଁ ଲେଖାଏଁ ପଠାଯାଇଥିଲା। ସମସ୍ତଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଏବେ ସୁଦ୍ଧା ୬୫ ଲକ୍ଷ ଆବେଦନ ହୋଇଛି, ଏବଂ ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିଥିବା ସେ ସୂଚନା ଦେଇଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ପରେ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟରେ ପଡ଼ିଯିବ ପ୍ରଥମ କିସ୍ତିର ୫ ହଜାର ଟଙ୍କା ।

ଗୋଟିଏ ପଟେ ସୁଭଦ୍ରାକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ ସୁପର୍ କ୍ରେଜ୍ ରହିଥିବା ବେଳେ, ଅନ୍ୟପଟେ ମାତିଛନ୍ତି ସାଇବର୍ ଠକ। ନିମାପଡ଼ା ଦହିଜଙ୍ଗ ଗ୍ରାମର ଜଣେ ହିତାଧିକାରୀଙ୍କୁଠାରୁ ୧୨ ହଜାର ଠକେଇ ହୋଇଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ମହିଳାଙ୍କୁ ସତର୍କ ଏବଂ ସାବଧାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସୁଭଦ୍ରା ଯୋଜନା ଟଙ୍କା ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ଏଥିପାଇଁ କୌଣସି କଲ୍ କିମ୍ବା ଲିଙ୍କ୍ ଯିବନି।କି ଓଟିପି ଦେବାକୁ ପଡିବନି ।

ଅନ୍ୟପଟେ ଉପାନ୍ତ ଅଞ୍ଚଳରେ ଆବେଦନ ପାଇଁ ନେଟୱର୍କ ସମସ୍ୟା ମହିଳାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି । ଗଜପତିର ମୋହନା ବ୍ଲକ୍ ମଳାସପଦର ଅଞ୍ଚଳରେ ନେଟୱର୍କ ନଥିବାରୁ ସକାଳ ହେଲେ ଗାଁଠୁ ୬ କିଲୋମିଟର ଦୂରକୁ ଯାଇ ଆବେଦନ କରିବାକୁ ପଡୁଛି । ଏବେ ବି ସ୍ଥାନୀୟ ଅଞ୍ଚଳର ଅନେକ ମହିଳା ଆବେଦନ କରିପାରିନାହାନ୍ତି । ବିଜୁଳି ଓ ନେଟୱର୍କ ସମସ୍ୟା ଯୋଗୁଁ କୋରାପୁଟ ଜିଲ୍ଲା ଲମତାପୁଟ ଅଂଚଳରେ ବି ସମାନ ସମସ୍ୟା ଦେଖିବାକୁ ମିଳିଛି । ଯାହାକୁ ନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ସମସ୍ୟା ଥିଲେ ବି ମାର୍ଚ୍ଚ ୮ ଯାଏଁ ସମସ୍ତ ମହିଳାଙ୍କୁ ସାମିଲ କରି ସୁଭଦ୍ରା ଟଙ୍କା ଦିଆଯିବ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଯୋଜନାର ଶୁଭାରମ୍ଭ କରିବେ । ଲକ୍ଷାଧିକ ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସହ କିଛି ହିତାଧିକାରୀଙ୍କୁ ନିଜେ ପ୍ରଧାନମନ୍ତ୍ରୀ ବାଣ୍ଟିବେ ସୁଭଦ୍ରା କାର୍ଡ। ଅନ୍ୟପଟେ ସମସ୍ତ ବ୍ଲକରେ ୫ ହଜାର ଲେଖାଏଁ ମହିଳାଙ୍କୁ ଏକାଠି କରି କାର୍ଯ୍ୟକ୍ରମ କରିବା ସହ ୩୩୮ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିବାକୁ ପ୍ରସ୍ତୁତି ହୋଇଛି ।

  • Reported by:
  • SOUMYA RANJAN SAHOO , Mihir Jati

OTV is now on Whatsapp

Join and get latest news update delivered to you via whatsapp

Join Now