• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭାଙ୍ଗିଲା IPS କୋଟେରୀ ଗ୍ରୁପ୍ । ହଟିଲେ ବୋଥ୍ରା ଓ ଅନୁପ ସାହୁ । ଅରୁଣ ରାୟ, R.P. କୋଚ୍ଚେ, ବିନୟତୋଷଙ୍କୁ ଗୁରୁ ଦାୟିତ୍ୱ । ପୋଲିସ କମିଶନର ଏବଂ ଡିସିପିଙ୍କୁ ମହଙ୍ଗା ପଡ଼ିଲା ଭରତପୁର ଘଟଣା । କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଆଇପିଏସ୍ ସ୍ତରରେ ବଡ଼ ଧରଣ ଅଦଳବଦଳ କରିଛନ୍ତି ମୋହନ ସରକାର ।

ଗତକାଲି ସନ୍ଧ୍ୟା ୮ଟାରେ ବିଜ୍ଞପ୍ତି, ଆଉ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଦାୟିତ୍ୱ ଗ୍ରହଣ । କଟକ-ଭୁବନେଶ୍ୱରର ନୂଆ ପୋଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ସୁରେଶ ଦେବଦତ୍ତ ସିଂ । ଆଉ କମିଶନର ଦାୟିତ୍ବରେ ଥିବା ସଞ୍ଜୀବ ପଣ୍ଡାଙ୍କୁ ବିଜୁ ପଟ୍ଟନାୟକ ପୋଲିସ୍ ଏକାଡେମୀର ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି ।

ଖାଲି ପୋଲିସ କମିଶନର ନୁହନ୍ତି, ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରାଯାଇ ତାଙ୍କ ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କୁ ଅଣାଯାଇଛି । ଭରତପୁର ଘଟଣାରେ ମାମଲାର ତ୍ରୁଟିପୂର୍ଣ୍ଣ ପରିଚାଳନା ଏହା ପଛର କାରଣ ବୋଲି କୁହାଯାଉଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଏଡିଜି ପଦରୁ IPS ଅରୁଣ ବୋଥ୍ରାକୁ ହଟାଇ ବିନୟତୋଷ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ବୋଥ୍ରାଙ୍କୁ ରେଲୱେ ଏବଂ ଉପକୂଳ ସୁରକ୍ଷା ଏଡିଜି ଭାବେ ଦାୟିତ୍ୱ ଦିଆଯାଇଛି । ସେହିପରି ଆଇପିଏସ୍ ଅନୁପ ସାହୁଙ୍କୁ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ଆଇଜି ଭାବେ ବଦଳି କରାଯାଇଛି।

ପୂର୍ବ ସରକାରରେ ସାଇଡ୍ ଲାଇନ୍ ହୋଇଥିବା ଦୁଇ IPSଙ୍କୁ ନୂଆ ନିଯୁକ୍ତି ଦେଇଛନ୍ତି ମୋହନ ସରକାର । ଆଇପିଏସ ଅରୁଣ କୁମାର ରାୟଙ୍କୁ ଜେଲ୍ ଡିଜି ଭାବେ ନିଯୁକ୍ତ କରିଛନ୍ତି । ସେହିପରି S.M. ନରୱଣେଙ୍କୁ ପୂର୍ବ ସରକାର ଗୃହ ବିଭାଗର ଓଏସ୍‌ଡି ଭାବେ ବସାଇଥିବା ବେଳେ ନୂଆ ସରକାର ତାଙ୍କୁ ପ୍ରିଣ୍ଟିଂ, ଷ୍ଟେସନାରୀ ଆଣ୍ଡ ପବ୍ଲିକେସନର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକରୁ ମଡର୍ଣ୍ଣନାଇଜେସନ ଏଡିଜି ଭାବେ ବଦଳି କରି ତାଙ୍କ ସ୍ଥାନରେ ଆଇପିଏସ R.P. କୋଚେଙ୍କୁ ଆଣିଛନ୍ତି ସରକାର । ଅଗଷ୍ଟ ୧୬ରେ ନୂଆ ଡିଜି ଭାବେ ଦାୟିତ୍ବ ନେଇଥିବା ୱାଇ ବି ଖୁରାନିଆ ଗତକାଲି ନିଜର ନୂଆ ଟିମ୍ ଗଠନ କରିଛନ୍ତି । ଆଉ ନୂଆ ଟିମ୍ ଆଗରେ ରହିଛି ଅନେକ ଚାଲେଞ୍ଜ । ରାଜ୍ୟରେ ମହିଳା ବିରୋଧୀ ଅପରାଧ ଓ ସାଇବର ଅପରାଧ ବୃଦ୍ଧିରେ ରୋକ୍ ଲଗାଇବା । ପୂର୍ବ ସରକାର ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିଥିବା ଥିବା ବେଳେ ତାକୁ ନିୟନ୍ତ୍ରଣକୁ ଆଣିବା । ନିକଟରେ ଜିଲ୍ଲାପାଳା ଓ ଏସ୍‌ପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରକଟ କରିଥିବା ଆଶାକୁ ସଫଳ କରିବା ବି ଚାଲେଞ୍ଜ ହେବ ।

ବଡ଼ କଥା ହେଲା ନୂଆ ସରକାରରେ କିଛି ବରିଷ୍ଠ ଓପିଏସ୍ ଅଧିକାରୀଙ୍କୁ ବି ମିଳିଛି ଗୁରୁତ୍ୱ । ଦେବଗଡ଼, ସୋନପୁର, ଜଗସିଂହପୁର, ନବରଙ୍ଗପୁର ଏବଂ ଗଜପତି ୫ ପୋଲିସ ଜିଲ୍ଲାର ଏସପି ଭାବେ ୫ ଜଣ ବରିଷ୍ଠ ଓପିଏସ୍‌ଙ୍କୁ ନିଯୁକ୍ତ କରାଯାଇଛି ।

  • Reported by:
  • SOUMYA RANJAN SAHOO , ATULYA BOUT

OTV is now on Whatsapp

Join and get latest news update delivered to you via whatsapp

Join Now