• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ଫାଇଭ-ଟି ସ୍କୁଲ ରୂପାନ୍ତରଣ ନାଁରେ ବିପୁଳ ଟଙ୍କା ବାଟମାରଣାର ସାଂଘାତିକ ଅଭିଯୋଗ। ବାଲେଶ୍ବର ଜିଲ୍ଲାର ସୋର ଓ ଔପଦା ବ୍ଲକରେ ପ୍ରାୟ ୫ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ । RTI ବଳରେ ସେ ହାସଲ କରିଥିବା କିଛି ତଥ୍ୟ ବି ସେଇ ଆଡ଼କୁ ସୂଚାଉଛି। ତେବେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଏସବୁର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବେ ।

ପୁଣି ପଦାକୁ ଆସିଲା ଫାଇଭ୍-ଟି କେଳେଙ୍କାରୀର କଳା ଫର୍ଦ୍ଦ ! ସ୍କୁଲ ରୂପାନ୍ତରଣ ନାଁରେ ଟଙ୍କା ହରିଲୁଟ୍‌ର କଳା କାରନାମା ! ସାର ଦୋକାନରୁ କାଳେ କିଣାଯାଇଛି ସିମେଣ୍ଟ ଓ ଟାଇଲ୍ସ ! ମନରେଗା କାମ କରିଛନ୍ତି ଚାଲିପାରୁନଥିବା ୯୦ ବର୍ଷୀୟ ବୃଦ୍ଧ !

ବାଲେଶ୍ବର ଜିଲ୍ଲା ସୋର ଓ ଔପଦା ଅଞ୍ଚଳରୁ ଆସିଛି ସାଂଘାତିକ ଅଭିଯୋଗ। ଫାଇଭ-ଟି ସ୍କୁଲ ରୂପାନ୍ତରଣ ନାଁରେ କିଭଳି ମହାଦୁର୍ନୀତି ହୋଇଛି, ତାର ଗୁମର ଖୋଲିଛି ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ।  ଔପଦା ବ୍ଲକର ସ୍କୁଲ ପାଇଁ ୨ ଲକ୍ଷ ୯୪ ହଜାର ଟଙ୍କାର ସିମେଣ୍ଟ ଓ ଟାଇଲ୍ସ ଯେଉଁଠୁ କିଣାଯାଇଛି ବୋଲି ଦର୍ଶାଯାଇଛି, ତାହା ବାସ୍ତବରେ ଖଇରା ଅଞ୍ଚଳର ଏକ ସାର ଦୋକାନ। ସାର ଦୋକାନ ନାଁରେ ଫେକ୍ ବିଲ୍‌ରେ ସିମେଣ୍ଟ ଓ ଟାଇଲ୍ସ କିଣାଯାଇଥିବା ଅଭିଯୋଗ ହୋଇଛି । ଏହି ବିଲ୍ ସଂପର୍କରେ ପଚାରିବାରୁ ସଂପୃକ୍ତ ସାର ଦୋକାନୀ କହିଛନ୍ତି, ତାଙ୍କର କୌଣସି ସିମେଣ୍ଟ କି ଟାଇଲ୍ସ ଦୋକାନ ନାହିଁ ଏବଂ ସେ କାହାକୁ ଏହି ବିଲ୍ ଦେଇନାହାନ୍ତି କି ଏସଂପର୍କରେ କିଛି ଜାଣିନାହାନ୍ତି ।

ଖାଲି ଏମିତି ଗୋଟିଏ ଅଭିଯୋଗ ନୁହେଁ । ଔପଦା ବ୍ଲକ୍ ଦରଖୋଳି ଫାଇଭି-ଟି ସ୍କୁଲ ପାଇଁ ଶ୍ରମିକଙ୍କ ମାଷ୍ଟର୍-ରୋଲ୍‌ରେ ଅଛି ଶ୍ୟାମ ପରିଡ଼ାଙ୍କ ନାଁ ଓ ଦସ୍ତଖତ । ହେଲେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ,ଶ୍ୟାମ ପରିଡ଼ା ୯୦ ବର୍ଷୀୟ ବୃଦ୍ଧ, ଠିକ୍‌ରେ ଛିଡ଼ା ହୋଇପାରୁନାହାନ୍ତି, କି ବିନା ବାଡ଼ିରେ ଚାଲିପାରୁନାହାନ୍ତି। ଆଉ ସେ କାଳେ ମନରେଗାରେ ସ୍କୁଲ ନିର୍ମାଣ କାମ କରି ଟଙ୍କା ଉଠାଇଥିବା ମାଷ୍ଟରରୋଲ୍‌ରେ ଦର୍ଶାଯାଇଛି।

ଦରଖୋଳି ଫାଇଭ-ଟି ସ୍କୁଲ, ଯେଉଁଠି ଶ୍ୟାମ ପରିଡ଼ାଙ୍କ ନାଁରେ ଟଙ୍କା ବାଟମାରଣା ହୋଇଥିବା ଅଭିଯୋଗ ହୋଇଛି । ୨ ବର୍ଷ ଭିତରେ ବାହାରୁ ରଙ୍ଗ ଛାଡ଼ିଗଲାଣି, କାନ୍ଥ ଫାଟି ଆଁ କଲାଣି। ପ୍ରଧାନଶିକ୍ଷକ କହିଛନ୍ତି, ଜିଲ୍ଲାପାଳଙ୍କ ଚିଠି ଅନୁସାରେ ସେ ବିଡିଓଙ୍କ ଖାତାକୁ ଟଙ୍କା ଟ୍ରାନ୍ସଫର୍ କରିଥିଲେ। ତେବେ କେଉଁ ବାବଦରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ସେ ଜାଣିନଥିବା କହିଛନ୍ତି। କେବଳ ଏମିତି ଗୋଟିଏ ସ୍କୁଲ ନୁହେଁ, ସୋର ଓ ଔପଦା ବ୍ଲକର ୨୦ରୁ ଅଧିକ ସ୍କୁଲରେ ୫ କୋଟିରୁ ଅଧିକ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସୂଚନା ଅଧିକାର କର୍ମୀ। 

ସେପଟେ ଏନେଇ ବାଲେଶ୍ବର ଜିଲ୍ଲାପାଳ ଓ ତତ୍କାଳୀନ ଜେଇ ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ସେତେବେଳର ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଅନ୍ୟପକ୍ଷରେ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, କେବଳ ବାଲେଶ୍ବର ନୁହେଁ, ରାଜ୍ୟର ସମସ୍ତ ଜିଲ୍ଲାରେ ଏଭଳି ଦୁର୍ନୀତି ହୋଇଛି । ଏସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ସେ ଭିଜିଲାନ୍ସ ତଦନ୍ତ ଦାବି କରିବେ।   

OTV is now on Whatsapp

Join and get latest news update delivered to you via whatsapp

Join Now