Advertisment

Corrupt Officials: ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ମୋହନ ସରକାରଙ୍କ ପୁଣି ନାଲି ଆଖି, ଅବସର ଆଗରୁ ଚାକିରିରୁ ବିଦା ପାଇଁ ଚେତାବନୀ

ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାରଙ୍କ ନାଲି ଆଖି । ସଚ୍ଚୋଟ ପଣିଆର ଅଭାବ ପରିଲକ୍ଷିତ ହେଲା ମାତ୍ରେ ବାଜିବ ଆକ୍ସନ ଛାଟ । ଅପାରଗତା ଦେଖିବା ମାତ୍ରେ ଅବସର ଆଗରୁ ହୋଇଯିବେ ବିଦା ।

ଅଦ୍ୟତନ ହୋଇଛି
undefined

ଦୁର୍ନୀତିଖୋରଙ୍କୁ ସାବାଡ୍‌ ନାଲିଆଖି

Advertisment

ଦୁର୍ନୀତିଖୋର ସରକାରୀ ବାବୁଙ୍କୁ ପୁଣି ରାଜ୍ୟ ସରକାରଙ୍କ ୱାର୍ଣ୍ଣିଂ । ସଚ୍ଚୋଟ ପଣିଆ ନଥିଲେ କି ଅପାରଗତା ଦେଖିଲେ ତୁରନ୍ତ ଚାକିରିରୁ ବିଦା କର। ସବୁ ବିଭାଗକୁ ଏ ନେଇ ଗତକାଲି ଚିଠି ଲେଖି ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଯାହାକୁ ନେଇ ପଲିଟିକାଲ୍ ବୟାନବାଜି ବି ତେଜିଛି । କଂଗ୍ରେସ ସସପେଣ୍ଡ ବଦଳରେ ଟର୍ମିନେଟ୍ ପ୍ରସ୍ତାବ ଦେଇଥିବାବେଳେ ବିଜେଡି କହିଛି, ଏହା କେବଳ ଲୋକଦେଖାଣିଆ। ଜବାବରେ ବିଜେପି କହିଛି- ବିଜେଡି ଶାସନବେଳେ ଦୁର୍ନୀତିଖୋର ଗାଦି ମାଡ଼ି ବସିଥିଲେ, ତାଙ୍କୁ ମୋହନ ସରକାର ତଡ଼ିବା ଆରମ୍ଭ କରିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ସରକାର ଦେଉଛନ୍ତି ପ୍ରୋତ୍ସାହନ, ହଳଦିଆ ତରଭୁଜ ଚାଷକରି ଲକ୍ଷପତି ଚାଷୀ

ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ସରକାରଙ୍କ ନାଲି ଆଖି । ସଚ୍ଚୋଟ ପଣିଆର ଅଭାବ ପରିଲକ୍ଷିତ ହେଲା ମାତ୍ରେ ବାଜିବ ଆକ୍ସନ ଛାଟ । ଅପାରଗତା ଦେଖିବା ମାତ୍ରେ ଅବସର ଆଗରୁ ହୋଇଯିବେ ବିଦା । ଖୋଦ୍ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଦେଇଛନ୍ତି ଏଭଳି କଡ଼ା ଚେତାବନୀ । ଗତକାଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏ ନେଇ ଜାରି ହୋଇଛି ସର୍କୁଲାର୍ । ଯାହାକୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟ ଶାସନ ସଚିବ ସବୁ ବିଭାଗକୁ ଦେଇଛନ୍ତି ନିର୍ଦ୍ଦେଶ । ମୁଖ୍ୟ ସଚିବ ଚିଠିରେ ଉଲ୍ଲେଖ କରିଛନ୍ତି ଯେ- ଓଡ଼ିଶା ସେବା ନିୟମ-୭୧ (ଧାରା-କ) ଅନୁଯାୟୀ ସରକାରୀ କର୍ମଚାରୀଙ୍କ ପ୍ରିମାଚ୍ୟୁର ରିଟାୟରମେଣ୍ଟ ମାମଲାର ସମାଧାନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଓ ପ୍ରଶାସନିକ ଦକ୍ଷତାକୁ ସୁନିଶ୍ଚିତ ନିମନ୍ତେ ଜିଏ ଓ ପିଜି ବିଭାଗର ସର୍କୁଲାର ଜାରି ହୋଇଛି । ହେଲେ ସର୍କୁଲାରରେ ଥିବା ନିୟମଗୁଡ଼ିକୁ ଅନେକ ବିଭାଗ ସଂପୂର୍ଣ୍ଣ ପାଳନ କରୁନାହାନ୍ତି। ଯାହା ଫଳରେ ସଚ୍ଚୋଟତା ଓ ଦକ୍ଷତା ନଥିବା ଅଫିସର ଓ କର୍ମଚାରୀ ସରକାରୀ ଚାକିରିରେ ରହୁଛନ୍ତି, ଯାହାକି ଜନସ୍ବାର୍ଥ ପାଇଁ ଅତ୍ୟନ୍ତ କ୍ଷତିକାରକ।

ଏପଟେ ମୁଖ୍ୟ ଶାସନ ସଚିବଙ୍କ ଏଭଳି କଡ଼ା ଆଭିମୁଖ୍ୟକୁ ନେଇ ତେଜିଛି ପଲିଟିକାଲ ବୟାନବାଜି । କଂଗ୍ରେସ କହିଛି- ପ୍ରଶାସନିକ କଳରେ ତଳୁ ଉପର ଯାଏଁ ଦୁର୍ନୀତି ଚାଲିଛି । ଦୁର୍ନୀତିଖୋର ଅଫିସରଙ୍କୁ ଖାଲି ସସପେଣ୍ଡ କଲେ ହେବନି ବହିଷ୍କାର ଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଅନ୍ତୁ ସରକାର । ବିଜେଡି ଆକ୍ଷେପ କରି କହିଛି- ଇଏ କେବଳ ଏକ ଲୋକ ଦେଖାଣିଆ କାର୍ଯ୍ୟକ୍ରମ । ପ୍ରଶାସନିକ କଳ ଯେ, ସରକାରଙ୍କ ହାତରେ ନାହିଁ ଏବେ ଏଥିରୁ ସ୍ପଷ୍ଟ ଜଣାପଡୁଛି । ଅଫିସର ହେଉଛନ୍ତି ଘୋଡ଼ା, ତାଙ୍କୁ ସରକାର ଲଗାମ ଦେଇ ରଖିବା ଉଚିତ୍ । ଜବାବରେ ବିଜେପି କହିଛି- ବିଜେଡି ସରକାରରେ ଯେଉଁ ଅଫିସର ଦୀର୍ଘଦିନ ଧରି ଗାଦି ମାଡ଼ି ବସିଥିଲେ ଓ ଦୁର୍ନୀତିରେ ମାତିଥିଲେ ମୋହନ ସରକାର ସେମାନଙ୍କୁ ତଡ଼ିବାକୁ ପ୍ଲାନ କରିଛନ୍ତି । ଏ ସରକାର କରପସନକୁ ଆଦୌ ସହ୍ୟ କରିବାର ନାହିଁ ।

Advertisment

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରଠୁ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ବିଭାଗ ଛଞ୍ଚାଣ ଭଳି ମାଡ଼ି ବସୁଛି। ଏମିତିକି ସରକାରୀ କଳରେ ଦୁର୍ନୀତିକୁ ତାଙ୍କ ସରକାର ଆଦୌ ବରଦାସ୍ତ କରିବେ ନାହିଁ ବୋଲି ଚଳିତ ବିଧାନସଭା ଅଧିବେଶନରେ ନିଜେ ସ୍ପଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିନକ ତଳେ ଲିଖିତ ତଥ୍ୟ ରଖି ମୁଖ୍ୟମନ୍ତ୍ରୀ କହିଥିଲେ- ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ ବର୍ଷରେ ୧୫୯ ବାବୁ ବିଦା ହୋଇଥିବାବେଳେ ୧୨୦ ଅଫିସର ଓ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ତା ସହ ୩୯ ଜଣ ଅଫିସରଙ୍କୁ ବାଧ୍ୟତାମୂଳ ଅବସର ଦିଆଯାଇଛି । ଦୁର୍ନୀତିକୁ ନେଇ ସରକାରଙ୍କ ଜିରୋ ଟଲରାନ୍ସ ନୀତି ଜାରି ରହିଛି । ଗତକାଲି ପୁଣି ମୁଖ୍ୟ ସଚିବ- ସଚ୍ଚୋଟ ପଣିଆର ଅଭାବ ଓ ଦୁର୍ନୀତିଖୋର ସରକାରୀ କର୍ମଚାରୀଙ୍କୁ ଆକ୍ସନ ଛାଟ ଦେଖାଇବା ପରେ ପୂର୍ବତନ ପ୍ରଶାସନିକ ଅଧିକାରୀ କହିଛନ୍ତି ଏହାକୁ କାର୍ଯ୍ୟରେ ପରିଣତ କଲେ ହିଁ ଅନ୍ୟମାନେ ସାବାଡ଼ ହେବେ । ଏବେ ଦେଖିବାର କଥା ଦୁର୍ନୀତିଖୋର କର୍ମଚାରୀ ଓ ଅଫିସରଙ୍କୁ ସରକାରଙ୍କ ଏଭଳି ନାଲି ଆଖି କେତେ ବାଟକୁ ଆଣୁଛି ।

ଅଧିକ ପଢ଼ନ୍ତୁ: କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

Chief Secretary Zero Tolerance Mohan Majhi Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ