ଏଥର ସାବାଡ଼ ହେବେ ରୋଡ଼ ରୋମିଓ । ଗାଡ଼ିରେ ବିକଟାଳ ଶବ୍ଦ କରୁଥିବା ହର୍ଣ୍ଣ ଲଗାଇଲେ ଏଣିକି କଟିବ ଫାଇନ୍ । ରୋଡ଼ ରୋମିଓ ଓ ରଙ୍ଗିଲା ଡ୍ରାଇଭରଙ୍କ ଉପରେ ଲାଗିବ ରୋକ୍ । କମିଶନରେଟ ପୋଲିସ୍ ପକ୍ଷରୁ ମୋଟର ଭେଇକିଲ୍ ଆକ୍ଟରେ ନିଆଯାଇଛି ଦୃଢ଼ କାର୍ଯ୍ୟାନୁଷ୍ଠାନ । ବାଣୀବିହାର ସମେତ ୫ଟି ସ୍ଥାନରେ ବିଭିନ୍ନ ଗାଡ଼ି ଅଟକାଇ ଯାଞ୍ଚ କରାଯାଇଛି । ବସ୍ରେ ଲାଗିଥିବା ପ୍ରେସର ହର୍ଣ୍ଣ ଯାଞ୍ଚ ସହ ଜୋରିମାନା ଆଦାୟ କରାଯାଇଛି । ଏହାସହ ବାଇକରେ ଲାଗିଥିବା ମୋଡିଫାଏଡ୍ ହର୍ଣ୍ଣ ଓ ସାଇଲେନ୍ସର ବି ଯାଞ୍ଚ କରିଛି ପୋଲିସ୍ । ଏହି ଅଭିଯାନ ଭୁବନେଶ୍ବର ଓ କଟକରେ ଜାରି ରହିଛି । କମିଶନରେଟ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଗାଡ଼ି ଅଟକାଇ କରାଯାଉଛି ଯାଞ୍ଚ ।
ଅଧିକ ପଢ଼ନ୍ତୁ: ସମ୍ପ୍ରସାରିତ ହେବ ଭୁବନେଶ୍ବର, ନୂଆ ମଡେଲରେ ହେବ ସହର’
Also Read
ବିଶେଷଭାବେ ବସ୍ର ବିକଟାଳ ହର୍ଣ୍ଣରେ ରାଜଧାନୀବାସୀ ଅତିଷ୍ଠ ହେଉଥିଲେ । ଶଦ୍ଦ ପ୍ରଦୂଷଣ ନେଇ ବାରମ୍ବାର ଅଭିଯୋଗ ପରେ ଏବେ ଆକ୍ସନ୍ ମୋଡ଼ରେ ପୋଲିସ୍ । ଚେକିଂ ସମୟରେ ବିଭିନ୍ନ ଗାଡ଼ିରୁ ପ୍ରେସର ହର୍ଣ୍ଣ ଖୋଲାଯିବା ସହ କଟାଯାଇଛି ମୋଟା ଅଙ୍କର ଫାଇନ୍ । ଗୋଟିଏ କି ଦୁଇଟି ନୁହେଁ, ଶତାଧିକ ପ୍ରେସର ହର୍ଣ୍ଣ ଜବତ କରିଛି ପୋଲିସ୍ । ଗତ ୩ ଦିନ ଧରି ଏଭଳି ଚେକିଂ ଚାଲିଥିବା ବେଳେ ଆଗାମୀ ଦିନରେ ବି ଏହା ଜାରି ରହିବ ବୋଲି କହିଛନ୍ତି ଟ୍ରାଫିକ ଡିସିପି । ସେପଟେ ପ୍ରେସର ହର୍ଣ୍ଣ ନ ବଜାଇଲେ ଲୋକେ ସାଇଡ ହେଉନାହାନ୍ତି ବୋଲି ଯୁକ୍ତି ବାଢିଛନ୍ତି ଗାଡି ଡ୍ରାଇଭର । ଅନ୍ୟପଟେ କର୍କଶ ଶଦ୍ଦ କରୁଥିବା ମୋଡିଫାଏଡ୍ ସାଇଲେନ୍ସର ମଧ୍ୟ ଜବତ କରିଛି ପୋଲିସ୍ ।
ଯାହାକୁ ବିଭିନ୍ନ ବାଇକରୁ କାଢି ଜବତ କରାଯାଇଛି । ୨ ଦିନ ତଳେ ରାସ୍ତାରେ ଯାଉଥିବା ରୋଡ଼ ରୋମିଓଙ୍କ ରଙ୍ଗୀନ ମିଜାଜକୁ ଫିକା କରିଦେଇଥିଲା ପୋଲିସ୍ । ମୋଡିଫାଏଡ଼ ସାଇଲେନ୍ସର, ସ୍ପୀଡ଼ ଡ୍ରାଇଭିଂ, ରଙ୍ଗ ରୁଟ ଡ୍ରାଇଭିଂ, ଟ୍ରିପଲ ରାଇଡିଂ, ପଲ୍ୟୁସନ, ହେଲମେଟ ନିୟମ ମାନୁନଥିବା ଟ୍ରାଫିକ ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ପେସାଦାର ଖିଲାପକାରୀଙ୍କ ଗାଡି ସିଜ୍ କରାଯାଇଛି । ଚାଳକଙ୍କୁ ଫାଇନ୍ ସହ ପିଆର ବଣ୍ଡ୍ରେ ଛଡ଼ାଯାଇଛି । ଦୁର୍ଘଟଣା ହାର ବଢିବା ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରିଛନ୍ତି ପୋଲିସ୍ କମିଶନର । ଆଗାମୀ ଦିନରେ ରୋଡ଼ ସେଫ୍ଟି କ୍ୟାମ୍ପେନକୁ ଆହୁରି ବ୍ୟାପକ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।