• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଜୀବନ-ମରଣର ଯୁଦ୍ଧ ଭିତରେ ରୋଗୀକୁ ମେଡ଼ିକାଲ୍ ପହଞ୍ଚାଇବା ପାଇଁ ଦୂତ ସାଜିଥିବା 108 ଆମ୍ବୁଲାନ୍ସ ନିଜେ ଏବେ ଅସହାୟ। ରାଜ୍ୟବ୍ୟାପି ଆପଣ ଯେଉଁଠିକୁ ଯାଆନ୍ତୁ, ଯେଉଁ ଆମ୍ବୁଲାନ୍ସକୁ ବି ଆଖି ବୁଲାଇ ଆଣନ୍ତୁ, ଅବ୍ୟବସ୍ଥାର ମାଳ ମାଳ ଚିତ୍ର। କାଲି ଆମ୍ବୁଲାନ୍ସ ସମସ୍ୟା ପାଇଁ ଜଣେ ୧୯ ବର୍ଷିୟ ଯୁବକ ଯେଭଳି ପ୍ରାଣ ହରାଇଲେ, ପ୍ରମାଣିତ ହୋଇଗଲା ଜରୁରୀକାଳୀନ ସେବାର ଯନ୍ତ୍ରଣାଦାୟକ ଅବସ୍ଥା। ଆଜିର ଚିତ୍ର ଦେଖିଲେ, ମୁଣ୍ଡରେ ହାତ ଦେଇଦେବେ ଆପଣ। ଆସନ୍ତୁ ବଣାଇ ଓ ମୋହନା ଅଞ୍ଚଳରୁ ଆମ୍ବୁଲାନ୍ସ ସେବାର ରୁଗ୍ଣ ଘଟଣା ବିଷୟରେ...

ମେଡ଼ିକାଲ୍ ଯିବାକୁ ସାଧାରଣ ଗରିବ ରୋଗୀଟିଏର ଭରସା 108 ଆମ୍ବୁଲାନ୍ସ...ହେଲେ ସେହି 108 ଆମ୍ବୁଲାନ୍ସର ଏବେ ଶହେ ଦୁଃଖ...ନିଜ ବୋଝ ସମ୍ଭାଳିବାକୁ ଯେତେବେଳେ ଅସମର୍ଥ, ଜୀବନ-ମରଣର ଯୁଦ୍ଧ ଭିତରେ ଥିବା ରୋଗୀ ବୋଝକୁ ବା ସମ୍ଭାଳିବ କେମିତି...ଧତଡ଼ା ହୋଇଗଲାଣି ଟାୟାର...କେତେବେଳେ କେଉଁଠି ଚକ ଫାଟିବ, କହିବା ମୁସ୍କିଲ...ଖାଲି କ’ଣ ଚକ ? ଡ୍ରାଇଭର କ୍ୟାବିନରୁ ପାଣି ଗଳୁଛି...କାମ କରୁନି AC...ଦୁର୍ବଳ ହୋଇଗଲାଣି ଡୋର୍...ରାତିରେ ଗଲାବେଳେ ହେଡଲାଇଟ୍ ଫେଲ୍। ଗଜପତି ମୋହନା ମେଡ଼ିକାଲରେ ନିୟୋଜିତ 108 ଆମ୍ବୁଲାନ୍ସର। ଡ୍ରାଇଭର ହୁଅନ୍ତୁ ଅବା କର୍ମଚାରୀ, କର୍ତ୍ତୃପକ୍ଷଙ୍କୁ ଏକଥା କହି କହି ଥକିଗଲେଣି। 108 ଆମ୍ବୁଲାନ୍ସ ସେବାର ଜିଲ୍ଲା ସଂଘ ସଭାପତି କହିଛନ୍ତି, ତେଲେଙ୍ଗାନାର ଏକ ସଂସ୍ଥା ୧୦୮ ଆମ୍ବୁଲାନ୍ସର ଦାୟିତ୍ବ ନେଇଛି। କୌଣସି ପଦକ୍ଷେପ ନେଉନାହିଁ। ସମସ୍ୟାର ସମାଧାନ ବଦଳରେ ଛଟେଇ ଧମକ ଦେଉଛି। 

ଅଧିକ ପଢନ୍ତୁ: ଆଜି ପବିତ୍ର ବାହୁଡ଼ା ଯାତ୍ରା: ଶ୍ରୀମନ୍ଦିର ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ଅପେକ୍ଷା କରିଛି ସିଂହଦ୍ୱାର

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ବଣାଇ ଅଞ୍ଚଳର ଏହି 108 ଆମ୍ବୁଲାନସରେ ରୋଗୀ ସେବା ପାଇଁ ରାସ୍ତାରେ ଦୌଡ଼ିବା ବଦଳରେ ରାସ୍ତା କଡ଼ରେ ଧକଉଛି। କ’ଣ ହୋଇଛି କ’ଣ ନାଇଁ, ଜାଣିପାରୁନାହାଁନ୍ତି ଡ୍ରାଇଭର। ଆମ୍ବୁଲାନ୍ସ କୁଆଡ଼େ ଗୁରୁଣ୍ଡିଆରୁ ପେସେଣ୍ଟ ଧରି ବଣାଇ ମେଡ଼ିକାଲକୁ ଯାଉଥିଲା। କିନ୍ତୁ ମଝି ବାଟରେ ଖରାପ। ଗୁରୁତର ରୋଗୀଙ୍କୁ ଅନ୍ୟ ବ୍ୟବସ୍ଥା କରି ପଠାଇଦିଆଗଲା ମେଡ଼ିକାଲ୍। ହେଲେ ରାସ୍ତା କଡ଼ରେ ଅଚଳ ହୋଇପଡ଼ିଥିବା ଆମ୍ବୁଲାନ୍ସକୁ ପଚାରିବାକୁ କେହି ନାହିଁ। ଡ୍ରାଇଭରଙ୍କ କହିବା କଥା ଗାଡ଼ିଗୁଡ଼ିକ ବାରମ୍ବାର ଖରାପ ହେଉଛି। ଫଳରେ ରୋଗୀ ତ ହଇରାଣ ହେଉଛନ୍ତି, ଆମକୁ ପାଲଟା ଗାଳି ଶୁଣିବାକୁ ପଡ଼ୁଛି। 

ରକ୍ଷଣାବେକ୍ଷଣ ଅଭାବରୁ ହେଉ କି ଦାୟିତ୍ବହୀନତା। ରୋଗୀ ପରିବହନ କ୍ଷେତ୍ରରେ ମାଗଣା ସେବା ଯୋଗାଉଥିବା 108 ଆମ୍ବୁଲାନ୍ସ ଏବେ ନିଜେ ଖୋଜୁଛି ନିଜ ସୁରକ୍ଷା। ଏଇ ଯେମିତି ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା 108 ଆମ୍ବୁଲାନ୍ସ। ଚାରିଆଡ଼େ କଳଙ୍କି ଲାଗିଗଲାଣି। ପାଣି ଗଳୁଛି ତା ଭିତରୁ। ଏସି କି ଅକ୍ସିଜେନ୍ କଥା ନକହିବା ଭଲ। ତଥାପି ଏହି ଜରାଜୀର୍ଣ୍ଣ ଆମ୍ବୁଲାନ୍ସରେ ଚାଲିଛି ରୋଗୀବୁହା। ଆପଣ ଯୁଆଡ଼େ ଯାଆନ୍ତୁ ମାଳ ମାଳ ରୁଗଣ ଆମ୍ବୁଲାନ୍ସ ରୋଗୀସେବାରେ ନିୟୋଜିତ ହୋଇଛି। ...ଦିନେ ଆମ୍ବୁଲାନ୍ସ ସେବା ନପାଇ ମୃତ ପତ୍ନୀର ଶବକୁ କାନ୍ଧେଇ ଚର୍ଚ୍ଚାରେ ଆସିଥିଲେ କଳାହାଣ୍ଡିର ଦାନ ମାଝୀ। ଆଉ ଆଜି ବି ସେହି ଆମ୍ବୁଲାନ୍ସ ସେବା ଆଣ୍ଠେଇ ପଡ଼ିଛି ରୁଗଣ ବ୍ୟବସ୍ଥା ଭିତରେ। ତେବେ ଏ ସଂପର୍କରେ ୧୦୮ ଆମ୍ବୁଲାନ୍ସ ସେବା ଦାୟିତ୍ବରେ ଥିବା ସଂସ୍ଥା କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।