Advertisment

ବିଧାନସଭାରେ ଛତୁଆ ତାତି, ପୁଷ୍ଟିକର ଖାଦ୍ୟ ନାଁରେ ଅଖାଦ୍ୟ ଯୋଗାଣ ଅଭିଯୋଗ

ଛତୁଆକୁ ନେଇ ବିଧାନସଭାରେ ଗଭୀର ଉଦବେଗ। ସାରା ରାଜ୍ୟରେ ବର୍ଷ ବର୍ଷ ଧରି ଛତୁଆ ମହାଦୁର୍ନୀତି ବରଗଛ ଚେର ଭଳି ମାଡ଼ି ରହିଥିବା ବେଳେ ଆଜି ଗୃହରେ ଉଠିଛି ଏ ପ୍ରସଙ୍ଗ।

author-image
Santosh Kumar Sahoo
undefined

Chatua

ଛତୁଆକୁ ନେଇ ବିଧାନସଭାରେ ଗଭୀର ଉଦବେଗ । ଗର୍ଭବତୀ ମହିଳା ଓ କଅଁଳ ପିଲାଙ୍କ ପୁଷ୍ଟିକର ଖାଦ୍ୟ ଛତୁଆକୁ ନେଇ ବରିଷ୍ଠ ବିଧାୟକଙ୍କ ତାଛଲ୍ୟ, ବ୍ୟବସ୍ଥାକୁ ତୀବ୍ର ସମାଲୋଚନା । ବର୍ଷ ବର୍ଷ ଧରି ରାଜ୍ୟବ୍ୟାପୀ ବିଶାଳ ଚେର ମାଡ଼ି ସାରିଥିବା ଛତୁଆ ଦୁର୍ନୀତିକୁ ନେଇ ବିଧାନସଭାରେ ଦେଖିବାକୁ ମିଳିଛି ଉଦବେଗ । ଆଜି ଗୃହରେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ପ୍ରଶ୍ନୋତ୍ତର ଆରମ୍ଭ ହେବା ମାତ୍ରେ ଛତୁଆ ମହାଦୁର୍ନୀତି ପ୍ରସଙ୍ଗରେ ମୁହଁ ଖୋଲିଥିଲେ କଂଗ୍ରେସର ବରିଷ୍ଠ ସଦସ୍ୟ ତାରା ବାହିନୀପତି । ପରେ ପରେ ବିରୋଧୀଙ୍କ ସ୍ବର ସହ ସ୍ବର ମିଳାଇଥିଲେ ଶାସକ ଦଳର ସଦସ୍ୟ ।

Advertisment

ବ୍ୟବସ୍ଥାରେ ନାକ ତଳେ ଚାଲୁଥିବା ଏ ମହାଦୁର୍ନୀତି ସମ୍ପର୍କରେ ସମସ୍ତେ ଅବଗତ ଥାଇ ବି କିଭଳି ବର୍ଷ ବର୍ଷ ଧରି ପୁଷ୍ଟି ନାଁରେ ଅପପୁଷ୍ଟି ବଣ୍ଟା ଚାଲିଛି ତା’ର ସ୍ପଷ୍ଟ ଅବତରାଣା କରିଥିଲେ ଜଣକ ପରେ ଜଣେ ବିଧାୟକ । ପରେ ଏ ଘଟଣାର ତଦନ୍ତ କରାଯାଇ, ବିଧାନସଭାକୁ ଜଣାଯିବ ବୋଲି ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଏହା ପୂର୍ବରୁ ମଧ୍ୟ ଛତୁଆ ଦୁର୍ନୀତିକୁ ନେଇ ବିଭିନ୍ନ ସମୟରେ ବିରୋଧାଭାଷ ଓ ବାଦ ବିବାଦର କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା । ଗତ ୨୬ ତାରିଖରେ ଭଦ୍ରକ ତିହିଡ଼ି ବ୍ଳକ୍ କାର୍ଯ୍ୟାଳୟରେ ବିରୋଧାଭାଷ ଦେଖିବାକୁ ମିଳିଥିଲା । ଏଠି ପଞ୍ଚାୟତ ସମିତି ବୈଠକରେ ଛତୁଆର ମାନକୁ ନେଇ ବିଡିଓ ଓ ଚେୟାରମ୍ୟାନଙ୍କ ଆଗରେ ପ୍ରଶ୍ନ ଉଠାଇଥିଲେ କିଛି ସରପଞ୍ଚ । ସେହିଭଳି ଚାନ୍ଦବାଲି ବ୍ଲକ୍ ତେନ୍ତୁଳିଆରୁ ବି ଗତମାସ ୩୧ ତାରିଖରେ ଆସିଥିଲା ଏଭଳି ନିମ୍ନ ମାନର ଛତୁଆକୁ ନେଇ ସାଂଘାତିକ ଅଭିଯୋଗ । ଏ ନେଇ କିଛି ଲୋକ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି ଏଯାଏଁ ଫଳ ଶୁନ୍ ।

Advertisment

ଆଉ ଯାଜପୁର ରସୁଲପୁର ବ୍ଲକ୍ ପରିସରର ଦାମୋଦରପୁର ଓ ଚିତ୍ରକୁଳ ସାହିରେ ପୋକ ସାଲୁବାଲୁ ଛତୁଆ ଯୋଗାଣ ହୋଇଥିବା ଅଭିଯୋଗରେ ଛତୁଆ ପ୍ରସ୍ତୁତକାରୀ ଓ ସିଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିଡିଓଙ୍କୁ ଦାବିପତ୍ର ଦେଇଥିଲା ଏକ ସଂସ୍ଥା । ସେହିଭଳି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ମାଆ ଓ ଶିଶୁଙ୍କ ପାଇଁ ସରକାର ଯୋଗାଇ ଦେଉଛନ୍ତି ନିକୃଷ୍ଟ ମାନର ଛତୁଆ । ଯାହାକୁ ନେଇ ତାତିଛନ୍ତି ସାଧାରଣ ଲୋକେ ।

ଛତୁଆ ଦୁର୍ନୀତି ଆଜିକାଲିର ନୁହେଁ, ବର୍ଷ ବର୍ଷ ତଳର । ହେଲେ ଏ ଚେରମଡ଼ା ଦୁର୍ନୀତି ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିବାରୁ ଏହାର ଅନ୍ତ କେବେ ହେଉଛି, ଆଉ ପୁଷ୍ଟି ନାଁରେ ମାଆ ଓ ଶିଶୁଙ୍କୁ ପ୍ରକୃତ ପୁଷ୍ଟିକର ଖାଦ୍ୟ କେବେ ମିଳୁଛି, ତାହା ଦେଖିବାକୁ ବାକି ରହିଲା ।

Odisha Assembly
Advertisment
Advertisment