• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦାରିଙ୍ଗବାଡିର ଶୋଭା ବଢ଼ାଇବ ଚେରୀ ବ୍ଲସମ୍ । ବନ ବିଭାଗ ପକ୍ଷରୁ ପ୍ରଥମ ଥର ପାଇଁ ରାଜ୍ୟରେ ଚେରୀ ବ୍ଲସମ୍ ଗଛ ଲଗାଯିବ । ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡିରେ ଏହି ଚାଷ ହେବାକୁ ଯାଉଛି। ରାଜ୍ୟସ୍ତରୀୟ ବନ ମହୋତ୍ସବ ପାଳନ ଅବସରରେ ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେହିପରି ଏ ବର୍ଷ ରାଜ୍ୟରେ ଲାଗିବ ୫ କୋଟି ଗଛ । ରାଜ୍ୟ ସରକାର ଲଗାଇବେ ୨ କୋଟି ୨୦ ଲକ୍ଷ ଗଛ । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସଂଗଠନ ଜରିଆରେ ଆଉ ୨ କୋଟି ୮୦ ଲକ୍ଷ ବୃକ୍ଷରୋପଣ କରାଯିବ । ବଜ୍ରପାତଜନିତ ମୃତ୍ୟୁ ରୋକିବାକୁ ରାଜ୍ୟରେ ୧୯ ଲକ୍ଷ ତାଳ ଗଛ ଲଗାଇବାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକ୍ରମେ ଏକ ପେଡ୍ ମାଆ କେ ନାମ୍ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାରେ ୧ ଲକ୍ଷ ୪୫ ହଜାର ଲୋକେ ଗଛ ଲଗାଇ ଫଟୋ ପଠାଇଛନ୍ତି । ଏହା ସହ ବୃକ୍ଷରୋପଣରେ ଓଡ଼ିଶା ଦେଶରେ ଏକ ନମ୍ବର ସ୍ଥାନରେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନା ଅନୁସାରେ ଜୁନ୍‌ ୨୩ରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମା’ ନାଁ ରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସାଢ଼େ ଚାରି କୋଟି ଓଡ଼ିଆଙ୍କ ଲାଗି ସାଢ଼େ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଲକ୍ଷ୍ୟ । ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରେ ମିଶନ ଶକ୍ତିର ମହିଳାମାନେ ଅଢେଇ କୋଟି ଗଛ ଲଗେଇବେ ବୋଲି ସେ କହିଥିଲେ ।

ମିଶନ ଶକ୍ତିର ମାଆମାନେ ନିଜ ବାଡ଼ି କିମ୍ବା ରାସ୍ତା କଡ଼ରେ ଗୋଟିଏ ଲେଖା ଗଛ ଲଗେଇବେ । ଆଉ ଯିଏ ଯେଉଁ ଗଛ ଲଗେଇବେ ନିଜ ମାଆର ଯତ୍ନ ନେଲା ଭଳି ସେ ଗଛର ଯତ୍ନ ନେବେ । କାରଣ ପୃଥିବୀ ହେଉଛି ଆମ ମାଆ ସେଥିପାଇଁ ତା’ର ସୁରକ୍ଷା ପାଇଁ ଅର୍ଥାତ ପରିବେଶର ସୁରକ୍ଷା ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗାଇ ତା’ର ଯତ୍ନ ନେବେ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

OTV is now on Whatsapp

Join and get latest news update delivered to you via whatsapp

Join Now